ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆସନ୍ତା ସୋମବାରଠାରୁ ଭାରତ ଖୋଲିବାକୁ ଯାଉଛି। ମାର୍ଚ୍ଚ ୨୪ରେ ଲକଡ଼ାଉନ ଘୋଷଣା ହେବା ପରେ ପ୍ରଥମ ଥର ପାଇଁ ଦେଶରେ ଅଧିକାଂଶ କଥା କୋହଳ ହେବ। ଗୃହ ମନ୍ତ୍ରାଳୟ ଏଥିପାଇଁ ତିନି ପୃଷ୍ଠାର ଏକ ଆଡଭାଇଜରି ପ୍ରସ୍ତୁତ କରିଛି।

ଦୁଇ ମାସରୁ ଅଧିକ ସମୟ ସମଗ୍ର ଦେଶରେ ତାଲା ବନ୍ଦ ହୋଇଥିଲା। ନୂଆ ନିୟମ ଅନୁଯାୟୀ କେବଳ କଣ୍ଟେନମେଣ୍ଟ ଜୋନରେ ହିଁ ଯାହା କିଛି କଟକଣା ରହିବ। ଯେଉଁ ଅଞ୍ଚଳ କଣ୍ଟେନମେଣ୍ଟ ଜୋନ ଭିତରେ ଆସୁନାହିଁ ସେଠି ପର୍ଯ୍ୟାୟକ୍ରମେ ସବୁ ଖୋଲିବ।

ନିର୍ଦ୍ଦେଶାବଳୀ ଅନୁସାରେ ୮ ଜୁନରୁ ଶ୍ରଦ୍ଧାଳୁଙ୍କ ପାଇଁ  ଧାର୍ମିକ ସ୍ଥାନ ସବୁ ଖୋଲି ଦିଆଯିବ। ସବୁଠାରୁ ବଡ଼ କଥା ରେଷ୍ଟୁରାଣ୍ଟ ଓ ହୋଟେଲ ବି ଖୋଲିବ। ତା’ ସହିତ ସେଲୁନ ମଧ୍ୟ। ତେବେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରଖିବା ବାଧ୍ୟତାମୂଳକ କରାଯାଇଛି।

ଲକଡାଉନ ଖୋଲିବା ପାଇଁ ଯେଉଁ ନୂଆ ଗାଇଡ଼ଲାଇନ ଆସିଛି ସେଥିରେ ରାତି କର୍ଫ୍ୟୁ ସମୟକୁ କୋହଳ କରାଯାଇଛି। ଲକଡ଼ାଉନ ୪.୦ ପରଠାରୁ କର୍ଫ୍ୟୁ ରାତି ୭ରୁ ସକାଳ ୭ ପର୍ଯ୍ୟନ୍ତ ବଳବତ୍ତର ରହୁଥିଲା। ଏବେ ଏହା ରାତି ୯ରୁ ସକାଳ ୫ ପର୍ଯ୍ୟନ୍ତ ରହିବ।

ଲକଡାଉନ ଖୋଲିବାର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହେବ ୮ରୁ। ଏହି ଦିନଠାରୁ ହୋଟେଲ, ରେଷ୍ଟୁରାଣ୍ଟ ଓ ଅନ୍ୟ ହସ୍ପିଟାଲିଟି ସେବାକୁ ଖୋଲି ଦିଆଯିବ। ସପିଙ୍ଗ ମଲ ବି ଖୋଲିବ। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏନେଇ ଏକ ଏସଓପି ଜାରି କରାଯିବ।

ଲକଡାଉନ ଉଠିବାର ଦ୍ଵିତୀୟ ପର୍ଯ୍ୟାୟରେ ଆସୁଛି ସ୍କୁଲ, କଲେଜ, ୟୁନିଭରସିଟି, ଟ୍ରେନିଂ ସଂସ୍ଥା, କୋଚିଂ ସେଣ୍ଟର। ଏଗୁଡ଼ିକ କେବେ ଖୋଲିବ ତାହା ଜୁଲାଇ ମାସରେ ନିଷ୍ପତ୍ତି ନିଆଯିବ। ଏଥିପାଇଁ ସବୁ ରାଜ୍ୟ ସରକାର, କେନ୍ଦ୍ର ଶାସିତ ଅଞ୍ଚଳ, ଶିକ୍ଷା ସଂସ୍ଥା ଓ ଅଭିଭାବକ ଗୋଷ୍ଠୀଙ୍କ ସହ ପରାମର୍ଶ କରାଯିବ।

ଏବେ ଆସିବା ତୃତୀୟ ବା ଶେଷ ପର୍ଯ୍ୟାୟକୁ। ଏହି ପର୍ଯ୍ୟାୟରେ ଭାରତ ଠିକ ସେହିଭଳି ଦେଖାଯିବ ଯେମିତି ମାର୍ଚ୍ଚ ୨୪ ପୂର୍ବରୁ ଦେଖା ଯାଉଥିଲା। ଏହି ପର୍ଯ୍ୟାୟରେ ଆନ୍ତର୍ଜାତିକ ଉଡାଣ, ମେଟ୍ରୋ ରେଳ, ସିନେମା ହଲ, ଜିମ, ସୁଇମିଙ୍ଗ ପୁଲ, ଥିଏଟର, ପାର୍କ, ବାର, ଅଡିଟୋରିୟମ ସବୁ ଖୋଲିବ। ତେବେ ତା’ ପୂର୍ବରୁ ସ୍ଥିତିର ସମୀକ୍ଷା କରାଯିବ। ତୃତୀୟ ପର୍ଯ୍ୟାୟରେ ସାମାଜିକ, ରାଜନୀତିକ, ଖେଳ, ମନୋରଞ୍ଜନ ଓ ସାଂସ୍କୃତିକ ଗତିବିଧି ଆରମ୍ଭ କରିବା ପାଇଁ ମଧ୍ୟ ନିଷ୍ପତ୍ତି ନିଆଯିବ।

ଗୃହ ମନ୍ତ୍ରାଳୟର ଆଦେଶରେ ଗୋଟିଏ ବଡ଼ କଥା କୁହାଯାଇଛି ଯେ, କଣ୍ଟେନମେଣ୍ଟ ଜୋନରେ ଜୁନ ୩୦ ପର୍ଯ୍ୟନ୍ତ କଟକଣା ଜାରି ରହିବ। କଣ୍ଟେନମେଣ୍ଟ ଜୋନର ଚିହ୍ନଟ ଜିଲ୍ଲା ପ୍ରଶାସନ କରିବ। ଏହି ଜୋନରେ କେବଳ ଅତ୍ୟାବଶ୍ୟକ ଗତିବିଧି ଚାଲୁ ରହିବ। ତା ଛଡ଼ା ଏଠି  କଟକଣାକୁ କଡ଼ା କରିବା ପାଇଁ ଗୃହ ମନ୍ତ୍ରାଳୟ କହିଛି। ମେଡିକାଲ ଆବଶ୍ୟକତା ବ୍ୟତୀତ କଣ୍ଟେନମେଣ୍ଟ ଜୋନରୁ କେହି ବାହାରକୁ ଯାଇ ପାରିବେ ନାହିଁ କି ବାହାରୁ ଆସି ପାରିବେ ନାହିଁ।

କରୋନା ସଂକ୍ରମଣକୁ ରୋକିବା ପାଇଁ ଅଧିକ କଣ କରିବାକୁ ହେବ ସେ ନେଇ ରାଜ୍ୟ ସରକାରମାନଙ୍କୁ ପୂରା କ୍ଷମତା ଦିଆଯାଇଛି।

Comment