ଓଡ଼ିଶାଲାଇଭ୍‌ ବ୍ୟୁରୋ

କ୍ରିକେଟ ସାରା ବିଶ୍ଵରେ ବେଶ ଲୋକପ୍ରିୟ ଖେଳ। ଅନେକ ଖେଳାଳି ଏହି ଖେଳରେ ନିଜ ଦେଶ ପାଇଁ ନାଁ କମାଇଛନ୍ତି। ତେବେ କିଛି ଖେଳାଳି କ୍ରିକେଟରୁ ଅବସର ପରେ ବିଭିନ୍ନ କାର୍ଯ୍ୟରେ ଦେଶର ସେବା କରିଥାନ୍ତି। କିଏ ପୋଲିସରେ ଚାକିରି କରନ୍ତି, ତ କିଏ ରାଜନୀତି କ୍ଷେତ୍ରକୁ ଓହ୍ଲାନ୍ତି। ତେବେ ଆଜି ଆମେ ସେମିତି କିଛି କ୍ରିକେଟରଙ୍କ ବିଷୟରେ କଥା ହେବା ଯିଏ କ୍ରିକେଟରରୁ ଦେଶର ପ୍ରଧାନମନ୍ତ୍ରୀ ହୋଇଛନ୍ତି।

ସାର ଆଲେକ ଡୋଗଲାସ ହୋମ୍‌ (ବ୍ରିଟେନ)

ସାର ଆଲେକ ଡୋଗଲସ ହୋମ୍‌ ଜଣେ ବ୍ରିଟିଶ ରାଜନେତା ଥିଲେ। ସେ ୧୯୬୩ରୁ ୧୯୬୪ ପର୍ଯ୍ୟନ୍ତ ବ୍ରିଟେନର ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ସେ ଜଣେ ଦକ୍ଷ କ୍ରିକେଟର ମଧ୍ୟ ଥିଲେ। ସେ ମିଡ୍‌ଲେକ୍ସ ଓ ଅକ୍ସଫୋର୍ଡ ୟୁନିଭରସିଟି ତରଫରୁ କ୍ରିକେଟ ଖେଳିଛନ୍ତି। ୧୯୨୪ରୁ ୧୯୨୭ ମଧ୍ୟରେ ୧୦ଟି ପ୍ରଥମ ଶ୍ରେଣୀ ମ୍ୟାଚ ଖେଳି ୧୪୭ ରନ୍‌ ସଂଗ୍ରହ କରିଥିଲେ।

ଫ୍ରାନସିସ୍‌ ବେଲ୍‌ (ନ୍ୟୁଜିଲାଣ୍ଡ)

ଫ୍ରାନସିସ୍‌ ବେଲ୍‌ ହେଉଛନ୍ତି ନ୍ୟୁଜିଲାଣ୍ଡରେ ପ୍ରଥମ ପ୍ରଧାନମନ୍ତ୍ରୀ। ସେ ୧୯୨୫ ମସିହାରେ ମେ ୧୦ରୁ ୩୦ ପର୍ଯ୍ୟନ୍ତ ଦେଶର ପ୍ରଧାନମନ୍ତ୍ରୀ ଭାବେ କାର୍ୟ୍ୟ କରିଥିଲେ। ସେ ହିଁ ଏକମାତ୍ର ପ୍ରଧାନମନ୍ତ୍ରୀ ଭାବେ ଅଳ୍ପ ସମୟ କାର୍ଯ୍ୟ କରିଥିଲେ। ପୂର୍ବରୁ ସେ ଜଣେ ପ୍ରତିଷ୍ଠିତ କ୍ରିକେଟର ଥିଲେ। ଓ୍ଵେଲିଙ୍ଗଟନ୍‌ରେ ସେ ଦୁଇଟି ପ୍ରଥମ ଶ୍ରେଣୀ ମ୍ୟାଚ ଖେଳିଥିଲେ। ହେଲେ କ୍ରିକେଟରେ ଅସଫଳ ହେବା ପରେ ରାଜନୀତିରେ ପ୍ରବେଶ କରିଥିଲେ। ସେ କେମ୍ଵ୍ରିଜ ବିଶ୍ଵବିଦ୍ୟାଳୟରୁ ସ୍ନାତକ ଶେଷ କରିଥିଲେ।

କାମିସେସେ ମାରା (ଫିଜି)

କାମିସେସେ ମାରା ଫିଜି ଦ୍ଵୀପପୁଞ୍ଜର ପ୍ରତିଷ୍ଠାତା ଥିଲେ। ସେ ୧୯୭୦ରୁ ୧୯୯୨ ପର୍ଯ୍ୟନ୍ତ ଦେଶର ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ପରେ ୧୯୯୩ରୁ ୨୦୦୦ ମସିହା ଯାଏଁ ଦେଶର ରାଷ୍ଟ୍ରପତି ରହିଥିଲେ। କାମିସେସେ ନ୍ୟୁଜିଲାଣ୍ଡ ଗସ୍ତରେ ନ୍ୟୁଜିଲାଣ୍ଡ ପକ୍ଷରୁ ଓଟାଗୋ ଓ କ୍ୟାଣ୍ଟରବେରୀ ବିପକ୍ଷରେ ଦୁଇଟି ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିଥିଲେ। ଏହି ମ୍ୟାଚରେ ସେ ଦଳର ଉପ-ଅଧିନାୟକ ରହିଥିଲେ। ଏଥିରେ ତାଙ୍କ ଡାହଣ ହାତରେ ଆଘାତ ଲାଗିବା ଯୋଗୁଁ ତାଙ୍କୁ କ୍ରିକେଟ ଛାଡ଼ିବାକୁ ପଡ଼ିଥିଲା।

ନଓ୍ଵାଜ ସରିଫ୍‌ (ପାକିସ୍ତାନ)

ନଓ୍ଵାଜ ସରିଫ ଥିଲେ ପାକିସ୍ତାନର ପ୍ରଧାନମନ୍ତ୍ରୀ। ସେ ମଧ୍ୟ ଜଣେ କ୍ରିକେଟର ଥିଲେ। ସେ ଏକ କ୍ଲବ ତରଫରୁ କ୍ରିକେଟ ଖେଳୁଥିଲେ। ଏହାସହ ସେ ପ୍ରଥମ ଶ୍ରେଣୀ କ୍ରିକେଟ ମଧ୍ୟ ଖେଳିଛନ୍ତି। କୌଣସି କାରଣରୁ କ୍ରିକେଟ ଛାଡ଼ିବା ପରେ ସେ ରାଜନୀତିରେ ପାଦ ଦେଇଥିଲେ।

ଇମ୍ରାନ ଖାନ୍‌ (ପାକିସ୍ତାନ)

ପାକିସ୍ତାନର ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନକୁ କିଏ ବା ନଜାଣେ। ପାକିସ୍ତାନ କ୍ରିକେଟ ପାଇଁ ତାଙ୍କ ଅବଦାନ ଅତୁଳନୀୟ। କ୍ରିକେଟ ପରେ ଏବେ ସେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ସେ ପାକିସ୍ତାନ ପାଇଁ ୮୮ଟି ଟେଷ୍ଟ ମ୍ୟାଚ ଖେଳି ୩ ହଜାର ୮୦୭ ରନ୍‌ କରିଛନ୍ତି। ସେହିପରି ୧୭୫ ଦିନିକିଆ ଖେଳି ୩, ୭୦୯ ରନ୍‌ କରିଛନ୍ତି।

Comment