ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏଣିକି ସରକାରୀ କ୍ୱାରେଣ୍ଟିନ ସେଣ୍ଟରରେ ୭ ଦିନ ବଦଳରେ ୧୪ ରହିବେ ପ୍ରବାସୀ। ନିର୍ଦ୍ଦେଶ ଦେଲେ କେନ୍ଦ୍ରାପଡା ଜିଲ୍ଲାପାଳ।

ପ୍ରବାସୀମାନେ ସରକାରୀ କ୍ୱାରେଣ୍ଟିନରେ ୭ ଦିନ ଏବଂ ହୋମ୍ କ୍ୱାରେଣ୍ଟିନରେ ୭ଦିନ ରହିବାକୁ ରାଜ୍ୟ ସରକାର ଘୋଷଣା କରିଥିଲେ। ଏହି ନିୟମକୁ ଆଜି କେନ୍ଦ୍ରାପଡା ଜିଲ୍ଲାରେ ବଦଳାଇଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା। ଗୃହ ସଙ୍ଗରୋଧର ନିୟମ ନମାନି ପ୍ରବାସୀମାନେ ଏଣେତେଣେ ବୁଲିବା ଓ ଘର ଲୋକମାନଙ୍କ ସହ ଖୋଲାଖୋଲି ମିଶିବା ଅଭିଯୋଗ ହେବାରୁ ଏହି ନିୟମରେ ପରିବର୍ତ୍ତନ କରାଯାଇଛି।

ଏଣିକି କେନ୍ଦ୍ରାପଡା ଜିଲ୍ଲାରେ ପ୍ରବାସୀମାନଙ୍କୁ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ୧୪ ଦିନ ରହିବାକୁ ପଡିବ। ସରକାରୀ ସଙ୍ଗରୋଧ କେନ୍ଦ୍ରରେ ୭ ଦିନ ଓ ଗୃହ ସଙ୍ଗରୋଧରେ ୭ ଦିନ ରହିବା ବ୍ୟବସ୍ଥାକୁ ଆଜିଠାରୁ ବନ୍ଦ କରିଦେଇଛନ୍ତି କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମା। ଗତ କିଛି ଦିନ ତଳେ ରାଜ୍ୟ ସରକାର ଏହି କ୍ୱାରେଣ୍ଟିନ ନୀତି ଘୋଷଣା କରିଥିଲେ। ହେଲେ ଏହି ନୀତି ଯୋଗୁ ଅମାନିଆ ପ୍ରବାସୀ ଗୃହ କ୍ୱାରେଣ୍ଟିନ ନିୟମକୁ ଫୁ କରି ଗାଁ ଗାଁ ରେ ବାଇକ ଚଢି ବୁଲି ସାଙ୍ଗ ଦୋସ୍ତି ଜମାଇଲେ। ଫଳରେ ସାମାଜିକ ସଂକ୍ରମଣର ଭୟ ସୃଷ୍ଟି ହେଲା।

ଏପରିକି ୭ ଦିନ ସରକାରୀ କ୍ୱାରେଣ୍ଟିନରେ ଥିବା ବେଳେ, ଯେଉଁମାନଙ୍କଠାରୁ ସ୍ୱାବ ସଂଗୃହିତ ହୋଇଥିଲା ସେମାନେ ପରବର୍ତ୍ତୀ ୭ ଦିନ ହୋମ କ୍ୱାରେଣ୍ଟିନରେ ଠିକ୍ ଭାବେ ନରହି ଗାଁରେ ମଉଜ ମଜଲିସ୍ କଲେ। କେହିକେହି ସାଙ୍ଗ ସାଥିରେ ମିଶି ଭୋଜି ଭାତ ଖାଇଲେ। ଦୋକାନ ବଜାରରେ ବୁଲି ଥଣ୍ଡା ପାନୀୟ ପିଇଲେ। ପରେ ସେମାନଙ୍କର ସ୍ଵାବ ରିପୋର୍ଟ ପଜିଟିଭ୍ ଆସିବାରୁ ଜିଲ୍ଲା ପ୍ରଶାସନର ମୁଣ୍ଡ ବିନ୍ଧା ବଢିଥିଲା।

ଏଥିପାଇଁ ଜିଲ୍ଲା ପ୍ରଶାସନକୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ୪୮ ଘଣ୍ଟିଆ ସଟଡାଉନ ଓ ସାନିଟାଇଜିଂ କରିବା ସହିତ କଣ୍ଟାକ୍ଟ ଟ୍ରେସିଂ ଆଦି କରିବାକୁ ପଡିଛି। ଏହାଛଡା ଗାଁ ମାନଙ୍କରେ କରୋନା ପଜିଟିଭ୍ ବାହାରିବା ଶୁଣି ଲୋକେ ଆତଙ୍କିତ ହେବାକୁ ଲାଗିଲେ। ଏହି ଅମାନିଆ ପ୍ରବାସୀ ସାମାଜିକ ସଂକ୍ରମଣର ଭୟ ସୃଷ୍ଟି କରିବାକୁ ଲାଗିଲେ। ଏସବୁ ଘଟଣାକୁ ନେଇ ଆଜିଠାରୁ ସରକାରୀ କ୍ୱାରେଣ୍ଟିନ ଅବଧି ୧୪ ଦିନ ବଢାଇବାକୁ ନିଷ୍ପତ୍ତି ନେଇଛି କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ।

Comment