ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଜୁଲାଇରେ କଲବଲ କଲାଣି କରୋନା
  • ୭ ଦିନରେ ଚିହ୍ନଟ ହେଲେଣି ୧୧ ହଜାର ରୋଗୀ
  • ଗଞ୍ଜାମ, ଖୋର୍ଦ୍ଧା ଓ କଟକରେ ସ୍ଥିତି ସାଙ୍ଘାତିକ
  • ସ୍ଥାନୀୟ ସଂକ୍ରମଣକୁ ନେଇ ଚିନ୍ତା ବଢ଼ିଲା

ମାଡ଼ି ଚାଲିଛି କରୋନା ମହାମାରୀ। ଦିନ ପରେ ଦିନ ଗଡୁଛି, ହେଲେ କରୋନା ଆତଙ୍କ ଥମିବାର ନାଁ ଧରୁନି। ଗତ ମାର୍ଚ୍ଚ ୧୫ ତାରିଖରେ ଓଡ଼ିଶାରେ ପାଦ ଦେଇଥିବା କରୋନା ଭୂତାଣୁ ଜୁଲାଇରେ ଅଧିକ ଟେନ୍‌ସନ୍‌ ଦେଲାଣି। ଜୁଲାଇ ଆରମ୍ଭରୁ କରୋନା ତାର କରାଳ ରୂପ ଦେଖାଇଛି। ଆକ୍ରାନ୍ତଙ୍କ ସଂଖ୍ୟା ୧୧ ହଜାର ଟପିଥିବା ବେଳେ ମୃତ୍ୟୁ ସଂଖ୍ୟା ୫୨ ଛୁଇଁଛି।

ଗତ ୮ ଦିନ ଭିତରେ କରୋନାରେ ଗଲାଣି ୨୫ ଜଣଙ୍କ ଜୀବନ। ୨ ତାରିଖରେ ୨ ଜଣଙ୍କ ଜୀବନ ଯାଇଥିବା ବେଳେ ୩ରେ ୨ ଜଣ, ୪ରେ ୫ ଜଣ, ୫ରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା। ସେହିପରି ୬ ତାରିଖରେ ୨ ଜଣ, ୭ରେ ୪ ଜଣ, ୮ରେ ୬ ଜଣ, ୯ରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

କେବଳ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ମୃତ୍ୟୁ ସଂଖ୍ୟା ରେକର୍ଡ କରାଯାଇଛି। ମୋଟ ୫୨ ମୃତକଙ୍କ ଭିତରୁ ଗଞ୍ଜାମ ଜିଲ୍ଲାରୁ ୩୦ ଜଣ ଅଛନ୍ତି। ଅନ୍ୟପଟେ ଖୋର୍ଦ୍ଧାରୁ ୮ ଏବଂ କଟକରୁ ୫ ଜଣଙ୍କ ଜୀବନ ନେଇଛି ଏହି କରୋନା ମହାମାରୀ।

ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ବି କିଛି କମ୍‌ ନାହିଁ। ଦୁଇ ଦିନରେ ହଜାରେ ଟପୁଛି ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୭ ଦିନ ଭିତରେ କେବଳ ୩ ହଜାର ୬୫୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

୩ ତାରିଖରେ ୫୬୧, ୪ ତାରିଖରେ ୪୯୫, ୫ ତାରିଖରେ ୪୬୯, ୬ ତାରିଖରେ ୪୫୬, ୭ ତାରିଖରେ ୫୭୧, ୮ ତାରିଖରେ ୫୨୭ ଏବଂ ୯ ତାରିଖରେ ୫୭୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜୁଲାଇ ମାସ ଆରମ୍ଭରୁ ୪୦୦ ରୁ ଅଧିକ ଆକ୍ରାନ୍ତ ପ୍ରତିଦିନ ଚିହ୍ନଟ ହେବା ଚିନ୍ତାର ବିଷୟ ପାଲଟିଛି।

CGU newଜୁଲାଇ ମାସରେ ଏବେ ୭ଟି ଜିଲ୍ଲା କରୋନା ହଟସ୍ପଟ ପାଲଟିଯାଇଛି। ଗଞ୍ଜାମ, ଖୋର୍ଦ୍ଧା, କଟକ, ଯାଜପୁର, ସୁନ୍ଦରଗଡ଼, ଗଜପତି, ବାଳେଶ୍ୱର ଜିଲ୍ଲାରେ ହୁ ହୁ ହୋଇ ଆକ୍ରାନ୍ତ ବଢ଼ି ଚାଲିଛନ୍ତି। ଜୁଲାଇ ୯ ତାରିଖ ସୁଦ୍ଧା ଗଞ୍ଜାମରେ ସର୍ବାଧିକ ରୋଗୀ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରେ ରୋଗୀ ସଂଖ୍ୟା ୩ ହଜାର ଡେଇଁଥିବା ବେଳେ ଖୋର୍ଦ୍ଧାରେ ୧୧୩୫, କଟକରେ ୮୮୬, ଯାଜପୁରରେ ୬୭୩, ସୁନ୍ଦରଗଡ଼ରେ ୫୫୪, ଗଜପତିରେ ୫୩୮, ବାଲେଶ୍ୱରରେ ୪୯୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଜଗତସିଂହପୁର, ପୁରୀ, କେନ୍ଦ୍ରାପଡ଼ା, ମୟୂରଭଞ୍ଜରେ ବି ସ୍ଥିତି ଦିନକୁ ଦିନ ଜଟିଳ ହେଉଛି। ଏହି ଜିଲ୍ଲାମାନଙ୍କରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି।

ଓଡ଼ିଶାରେ ଗତ ମାର୍ଚ୍ଚ ଓ ଏପ୍ରିଲ ମାସରେ କରୋନା ଭଲ ସ୍ଥିତିରେ ରହିଥିଲା। ମୃତ୍ୟୁ ସଂଖ୍ୟା କମ୍‌ ଥିବା ବେଳେ ୧୦୦ ଆକ୍ରାନ୍ତ ହେବାକୁ ଅତି କମ୍‌ରେ ୧୫ ଦିନରୁ ଅଧିକ ସମୟ ଲାଗୁଥିଲା। ହେଲେ ଜୁଲାଇ ଆରମ୍ଭରୁ ଧାରା ବଦଳିଛି। ମାତ୍ର ୭ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ମୁହାଁ ହୋଇଥିବାରୁ ଲୋକଙ୍କ ମନରେ ଛନକା ପଶିଛି।

ମାର୍ଚ୍ଚ ୧୬ ତାରିଖ ବେଳକୁ କେବଳ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହି ଆକ୍ରାନ୍ତ ଭୁବନେଶ୍ୱରରୁ ଚିହ୍ନଟ ହୋଇଥିଲେ। ଏହାପରେ ଅନ୍ୟ ଜିଲ୍ଲାକୁ କରୋନା କାୟା ମେଲାଇଥିଲା। ମେ’ ୧ରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫୬ ହୋଇଥିଲା। ଆକ୍ରାନ୍ତଙ୍କ ସଂଖ୍ୟା ୧୫୦ ଡେଇଁବାକୁ ଦେଢ଼ ମାସ ଲାଗି ଯାଇଥିଲା।

ମେ’ ମାସରେ ହୁ ହୁ ହୋଇ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଲା। ରାଜ୍ୟ ବାହାରୁ ଲୋକମାନେ ନିଜ ଗାଁକୁ ଆସିବା ପରେ ଏହି ସଂଖ୍ୟା ବଢ଼ି ଚାଲିଲା। ମେ’ ଆରମ୍ଭରୁ ୧୫୬ ଥିବା ଆକ୍ରାନ୍ତଙ୍କ ସଂଖ୍ୟା ଶେଷ ବେଳକୁ ୨୧୫୬ରେ ପହଞ୍ଚିଗଲା।

ମେ’ ମାସ ପରେ କ୍ୱାରେଣ୍ଟାଇନ ସେଣ୍ଟର ବାହାରୁ ଆକ୍ରାନ୍ତ ଚିହ୍ନଟ ହେଲେ। ବିଶେଷକରି ଆଗଧାଡ଼ିର କରୋନା ଯୋଦ୍ଧାଙ୍କୁ କରୋନା ହେଲା। କ୍ୱାରେଣ୍ଟାଇନ ସେଣ୍ଟର ଭିତରୁ ଏବଂ ବାହାରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଲେ। ଫଳରେ ଜୁନ୍‌ ଶେଷ ବେଳକୁ ଆକ୍ରାନ୍ତଙ୍କ ସଂଖ୍ୟା ୭ ହଜାର ଡେଇଁଥିଲା।

ଗତ ୪ ମାସ ଅପେକ୍ଷା ଜୁଲାଇ ମାସ ଅଧିକ ଟେନ୍‌ସନ୍‌ ଦେଲାଣି। ଏହି ମାସରେ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି। କରୋନା ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ହଟସ୍ପଟ ଅଞ୍ଚଳରେ ଆଣ୍ଟିଜେନ୍‌ ଟେଷ୍ଟ କରିବା ସହ ଘର ଘର ବୁଲି ସର୍ଭେ କରୁଛନ୍ତି। କିଛି ହଟସ୍ପଟ ଜିଲ୍ଲାରେ ନିୟମ କଡ଼ାକଡ଼ି ମଧ୍ୟ କରାଯାଇଛି। ଜୁଲାଇ ଆରମ୍ଭରୁ କରୋନା ଗ୍ରାଫ୍‌ ଓଡ଼ିଶାରେ ବଢ଼ି ଚାଲିଥିବାରୁ ଶେଷ ବେଳକୁ କ’ଣ ହେଉଛି ତାହା ଅପେକ୍ଷା କରି ଦେଖିବାର କଥା।

Comment