ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ପଟ୍ଟାମୁଣ୍ଡାଇ ବଡମୋହନପୁର ସଙ୍ଗରୋଧ କେନ୍ଦ୍ରରେ ଅନିୟମିତତା
  • ନିମ୍ନମାନର ଖାଦ୍ୟ ଓ ଦୁର୍ବ୍ୟବହାର ଅଭିଯୋଗ ଆଣିଲେ ଅନ୍ତେବାସୀ
  • ଉପବାସରେ ରହି ପ୍ରତିବାଦ କଲେ
  • ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକର ବଡମୋହନପୁର ପ୍ରାଥମିକ ବିଦ୍ୟାଳୟ ସଙ୍ଗରୋଧ କେନ୍ଦ୍ରରେ ନିମ୍ନମାନର ଖାଦ୍ୟ ମିଳୁଥିବା ଅଭିଯୋଗ ହୋଇଛି। ଏଠାରେ ରହୁଥିବା ସୁରତ ଫେରନ୍ତା ଅନ୍ତେବାସୀମାନେ ଆଜି ଖାଇବା ବର୍ଜନ କରି ପ୍ରତିବାଦ କରିଛନ୍ତି।

ପଞ୍ଚାୟତ ତରଫରୁ ଏହି ସଙ୍ଗରୋଧ କେନ୍ଦ୍ରରେ ଖାଦ୍ୟ ଯୋଗାଉଥିବା ଜଣେ ବ୍ୟକ୍ତି ଏହି ଅନ୍ତେବାସୀମାନଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି।

ବଡ଼ମୋହନପୁର ପ୍ରାଥମିକ ବିଦ୍ୟାଳୟର ଏହି ଅନିୟମିତତା ସମ୍ପର୍କିତ ଖବର କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ନିକଟରେ ପହଞ୍ଚିଥିଲା। କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମା  ଘଟଣାର ତଦନ୍ତ ଓ ସମାଧାନ କରିବାକୁ ପଟ୍ଟାମୁଣ୍ଡାଇ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଖବରପାଇ ବଡମୋହନପୁର ସରପଞ୍ଚ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଏଣିକି ସରକାରଙ୍କ ତାଲିକା ଅନୁସାରେ ସମସ୍ତ ଖାଇବା ବ୍ୟବସ୍ଥାରେ ମାନ ବଜାୟ ରଖିବାକୁ ତହସିଲଦାର ସରପଞ୍ଚଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଆଗାମୀ ଦିନରେ ଏପରି ଅବ୍ୟବସ୍ଥା ହେବନାହିଁ ବୋଲି ପ୍ରତିଶ୍ରୁତି ଦେବା ପରେ ଅନ୍ତେବାସୀମାନଙ୍କୁ ଖାଦ୍ୟ ବଣ୍ଟନ କରାଯାଇଛି। ଶେଷରେ ମାନ ଭାଙ୍ଗିଛନ୍ତି ଅନ୍ତେବାସୀମାନେ। ସମସ୍ତେ ଭୋଜନ କରିଥିବା ବଡମୋହନପୁର ସରପଞ୍ଚ ରବୀନ୍ଦ୍ର ବେହେରା ଓ ପଟ୍ଟାମୁଣ୍ଡାଇ ତହସିଲଦାର ଶରତ କୁମାର ଗିରି ସୂଚନା ଦେଇଛନ୍ତି।

Comment