ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଷ୍ଟାଫ ନର୍ସଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର
  • ସଂସ୍ପର୍ଶରେ ଆସିଥିବା ୫ ସ୍ୱାସ୍ଥ୍ୟ କର୍ମୀ କ୍ୱାରେଣ୍ଟିନରେ
  • ଦୁଇ ମହିଳା ଓ ନବଜାତକ କୋଭିଡ୍‌ କେୟାର ସେଣ୍ଟରକୁ ସ୍ଥାନାନ୍ତର
  • ମେ’ ୯ରେ ପ୍ରଥମେ ନୟାଗଡ଼ରେ ପାଦ ଦେଇଥିଲା କରୋନା
  • ଏବେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୭୮
  • ଭୟଭୀତ ନହେବାକୁ ଜିଲ୍ଲାପାଳଙ୍କ ପରାମର୍ଶ

ନୟାଗଡ଼: ନୟାଗଡ଼ ଜିଲ୍ଲାରେ କରୋନା ମହାମାରୀର ଭୟ ବଢ଼ିଛି। ଦିନ ଯେତିକି ଗଡୁଛି ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ଜିଲ୍ଲାରେ ବଢ଼ି ଚାଲିଛି। ଗତ ମେ’ ୯ ତାରିଖରେ ନୟାଗଡ଼ରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଥିଲେ। ଜୁନ୍‌ ୪ ତାରିଖ ସୁଦ୍ଧା ଏହି ସଂଖ୍ୟା ୭୮ରେ ପହଞ୍ଚିଲାଣି। ଆଜି ନୟାଗଡ଼ ଜିଲ୍ଲା ହସ୍ପିଟାଲର ଜଣେ ଷ୍ଟାଫ ନର୍ସଙ୍କଠାରୁ କରୋନା ଭୂତାଣୁ ଚିହ୍ନଟ ହେବା ପରେ ଚିନ୍ତା ବଢ଼ିଛି।

ସଙ୍ଗରୋଧ କେନ୍ଦ୍ର ଭିତରୁ କରୋନା ରୋଗୀ ଚିହ୍ନଟ ହେଉଥିଲେ। ହେଲେ ଗତ ୩ ଦିନ ଭିତରେ ସଙ୍ଗରୋଧ କେନ୍ଦ୍ର ବାହାରୁ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଦୁଇଦିନ ତଳେ ଜଣେ ଗ୍ରାମବାସୀଙ୍କଠାରେ କରୋନା ପଜିଟିଭ୍ ଦେଖା ଯାଇଥିଲା। ଆଜି ନୟାଗଡ଼ ଜିଲ୍ଲା ହସ୍ପିଟାଲର ଜଣେ ଷ୍ଟାଫ୍‌ ନର୍ସ କରୋନା ଭୂତାଣୁ ଦ୍ୱରା ସଂକ୍ରମିତ ହୋଇଥିବା ଜିଲ୍ଲାପାଳ ଡକ୍ଟର ପୋମା ଟୁଡୁ ସୂଚନା ଦେଇଛନ୍ତି।

‘‘କରୋନା ଆକ୍ରାନ୍ତ ହୋଇଥିବା ଷ୍ଟାଫ୍‌ ନର୍ସଙ୍କୁ ଭୁବନେଶ୍ୱରରେ ଚିକିତ୍ସା କରାଯାଉଛି। ତାଙ୍କ ସଂସ୍ପର୍ଶରେ ଆସିଥିବା ୫ ଜଣ ସ୍ଵାସ୍ଥ୍ୟକର୍ମୀଙ୍କୁ ସ୍ଥାନୀୟ ପିଟିଏସ୍ କ୍ୱାରେଣ୍ଟିନ୍ ସେଣ୍ଟରରେ ରଖାଯାଇଛି। ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ସମୟରେ ଷ୍ଟାଫ୍‌ ନର୍ସ ଜଣକ ସଂକ୍ରମିତ ହୋଇଛନ୍ତି’’, କହିଛନ୍ତି ଜିଲ୍ଲାପାଳ ପୋମା ଟୁଡୁ।

ଗତ ୭ ଦିନ ଭିତରେ ଏହି ନର୍ସ ଜଣକ ଜିଲ୍ଲା ହସ୍ପିଟାଲର ଯେଉଁ ସବୁ ଓ୍ୱାର୍ଡର ରୋଗୀଙ୍କ ସଂସ୍ପର୍ଷରେ ଆସିଥିଲେ ସେମାନଙ୍କ ଉପରେ ନଜର ରଖାଯାଇଛି। ନର୍ସଙ୍କ ସଂସ୍ପର୍ଶରେ ଆସିଥିବା ସ୍ତ୍ରୀ ଓ ପ୍ରସୂତି ଓ୍ୱାର୍ଡର ଦୁଇ ଜଣ ମହିଳା ଓ ସେମାନଙ୍କ ନବଜାତ ଶିଶୁଙ୍କୁ ଖଣ୍ଡପଡ଼ା କୋଭିଡ୍ କେୟାର ସେଣ୍ଟରକୁ ସ୍ଥାନାନ୍ତର କରାଯାଇଛି।

ଆକ୍ରାନ୍ତ ଷ୍ଟାଫ ନର୍ସ ନିୟମିତ ମେଡିସିନ ଓ୍ୱାର୍ଡର ରୋଗୀ ସେବା କାର୍ଯ୍ୟରେ ନିୟୋଜିତ ରହିଥିବାରୁ ସମସ୍ତ ଇଣ୍ଡୋର ରୋଗୀଙ୍କୁ ଅନ୍ୟ ଓ୍ୱାର୍ଡକୁ ସ୍ଥାନାନ୍ତର କରାଯାଛି। ବର୍ତ୍ତମାନ ପାଇଁ ମେଡିସିନ ଓ୍ୱାର୍ଡକୁ ବିଶୋଧନ ପରେ ସିଲ୍ କରାଯାଥିବା ଜିଲ୍ଲାପାଳ ଟୁଡୁ ସୂଚନା ଦେଇଛନ୍ତି।

ନୟାଗଡ଼ ଜିଲ୍ଲାରେ ମୋଟ ୭୮ ଜଣ ଆକ୍ରାନ୍ତଙ୍କ ଭିତରୁ ୪୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସଙ୍ଗରୋଧ କେନ୍ଦ୍ର ବାହାରେ ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ଲୋକଙ୍କ ମନରେ ଭୟ ବଢ଼ିଛି। ନୟାଗଡ଼ ବ୍ଲକ ଖେଡ଼ପଡ଼ା ଗାଁର ଜଣେ ସାଧାରଣ ଲୋକଙ୍କଠାରେ କରୋନା ପଜିଟିଭ୍ ଦେଖାଯାଇଥିଲ। ଖେଡ଼ପଡା ଗାଁର ସଂକ୍ରମଣ ପଛର ଏବେ କାରଣ ଖୋଜା ଚାଲିଛି। ସୁରକ୍ଷା ଦୃଷ୍ଟିରୁ ଦୁଇଟି ଗାଁକୁ କଣ୍ଟେନମେଣ୍ଟ ଜୋନ୍‌ କରିଛି ଜିଲ୍ଲା ପ୍ରଶାସନ। କଣ୍ଟେନମେଣ୍ଟ ଅଞ୍ଚଳରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚା ଯାଉଛି। ତେବେ ଏହା ଗୋଷ୍ଠୀ ସଂକ୍ରମଣ ନୁହେଁ ବୋଲି ଜିଲ୍ଲାପାଳ କହିଛନ୍ତି।

Comment