ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଜନବସତି ମଧ୍ୟରେ ୪ ଆକ୍ରାନ୍ତ
  • ଆକ୍ରାନ୍ତଙ୍କ ମଧ୍ୟରେ ଜଣେ କଲେଜ ପଢୁଆ ଛାତ୍ର
  • ମୋଟ ପଜିଟିଭ୍ ସଂଖ୍ୟା ୯୦ ଛୁଇଁଲା
  • ଜମ୍ମୁ ଓ କଶ୍ମୀରରୁ ଫେରିଲେ ୯୩ ପ୍ରବାସୀ
  • ସମସ୍ତଙ୍କୁ ପଠାଗଲା କ୍ୱାରେଣ୍ଟାଇନ୍ ସେଣ୍ଟର

ନୟାଗଡ଼: ନୟାଗଡ଼ ଜିଲ୍ଲାରେ ମାରାତ୍ମକ କରୋନା ଭୂତାଣୁ ଗୋଷ୍ଠୀ ସଂକ୍ରମଣ ରୂପ ନେଉଛି। ଜୁନ୍ ମାସ ପହିଲାରୁ ଆଜି ସୁଦ୍ଧା ଜନବସତି ଅଞ୍ଚଳରେ ୪ ଜଣ ଆକ୍ରାନ୍ତ ଚିହ୍ନଟ ହେବା ଭୟ ବଢ଼ାଇଛି। ଜିଲ୍ଲାର ବିଭିନ୍ନ କ୍ୱାରେଣ୍ଟାଇନ୍ ସେଣ୍ଟରରେ ନିୟମିତ ପଜିଟିଭ୍ କେସ୍ ବାହାରୁଛି। ହେଲେ ଜନବସତି ଅଞ୍ଚଳରେ ଜଣକ ପରେ ଜଣେ ଆକ୍ରାନ୍ତ ଚିହ୍ନଟ ହେବା ଗୋଷ୍ଠୀ ସଂକ୍ରମଣର ସୂଚନା ଦେଉଛି।

ଗତକାଲି ସୁଦ୍ଧା କ୍ୱାରେଣ୍ଟାଇନ୍ ସେଣ୍ଟର ବାହାରେ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଆଜି ନୟାଗଡ଼ ବ୍ଲକ ମାନପୁର ଗାଁର ଜଣେ କଲେଜପଢ଼ୁଆ ଛାତ୍ର ଆକ୍ରାନ୍ତ ହୋଇଥିବା ପ୍ରଶାସନ ସୂଚନା ଦେଇଛି। ସେଥିଲାଗି ମାନପୁର ଗାଁକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ଏହାକୁ ମିଶାଇ ନୟାଗଡ଼ ବ୍ଲକର ୩ଟି ଗାଁ ବର୍ତ୍ତମାନ ସୁଦ୍ଧା କଣ୍ଟେନମେଣ୍ଟ ଜୋନକୁ ଆସିଯାଇଛି।

ସେପଟେ ଏକ ସ୍ୱତନ୍ତ୍ର ବିମାନରେ ଜାମ୍ମୁ- କଶ୍ମୀର ଅଞ୍ଚଳରୁ ୯୩ଜଣ ପ୍ରବାସୀ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସନ୍ଧ୍ୟାରେ ସେମାନଙ୍କୁ ବସ୍ ଯୋଗେ ନୟାଗଡ଼ ଅଣାଯାଇଥିଲା। ସମସ୍ତ ପ୍ରବାସୀଙ୍କୁ କ୍ୱାରେଣ୍ଟାଇନ୍ ସେଣ୍ଟରକୁ ପଠାଇ ଦିଆଯାଇଛି। ବର୍ତ୍ତମାନସୁଦ୍ଧା ଜିଲ୍ଲାରେ ପଜିଟିଭ୍ ସଂଖ୍ୟା ୯୦ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୬୫ ସୁସ୍ଥ ହୋଇଥିବା ବେଳେ ୨୫ ଜଣ ଚିକିତ୍ସାଧିନ ଅଛନ୍ତି।

Comment