ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ସର୍ଜରି ଓ ଶିଶୁ ରୋଗୀ ଓ୍ୱାର୍ଡରେ ତାଲା
  • ୧୧ ଜଣଙ୍କୁ କୋଭିଡ୍ କେୟାର
  • ଅନ୍ୟ ଜଣେ ଡାକ୍ତରଙ୍କୁ ହୋମ୍ କ୍ୱାରେଣ୍ଟାଇନ୍
  • ଡାକ୍ତରଙ୍କ ମନୋବଳ ବୃଦ୍ଧି ଉପରେ ଗୁରୁତ୍ୱ
  • ଜିଲ୍ଲାପାଳଙ୍କ ସୂଚନା- ପ୍ରଭାବିତ ହେବ ନାହିଁ ସ୍ୱାସ୍ଥ୍ୟ ସେବା

ନୟାଗଡ଼ ଜିଲ୍ଲା ହସ୍ପିଟାଲରେ ଜଣେ ଡାକ୍ତର ଓ ଦୁଇ ଜଣ ନର୍ସ କରୋନା ଆକ୍ରାନ୍ତ ହେବା ପରେ ହାଇଆଲର୍ଟ ସ୍ଥିତି ଉପୁଜିଛି। ସର୍ଜରି ଓ୍ୱାର୍ଡ ଓ ଶିଶୁ ରୋଗ ଓ୍ୱାର୍ଡକୁ ଅସ୍ଥାୟୀ ଭାବେ ବନ୍ଦ କରାଯାଇଥିବା ଜିଲ୍ଲାପାଳ ଡକ୍ଟର ପୋମା ଟୁଡୁ ସୂଚନା ଦେଇଛନ୍ତି।

କରୋନା ଆକ୍ରାନ୍ତ ହୋଇଥିବା ଡାକ୍ତର ବସୁଥିବା ଓପିଡିକୁ ମଧ୍ୟ ବନ୍ଦ କରି ଦିଆଯାଇଛି। ତାଙ୍କ ସଂସ୍ପର୍ଶରେ ଥିବା ଅନ୍ୟ ଜଣେ ଡାକ୍ତରଙ୍କୁ ହୋମ୍ କ୍ୱାରେଣ୍ଟାଇନରେ ରଖାଯାଇଛି। କରୋନା ପଜିଟିଭ୍ ଡାକ୍ତର ଓ ନର୍ସଙ୍କ ପରିବାର ୬ ଜଣ ଏବଂ ୫ ଜଣ ସହଯୋଗୀ ସ୍ୱାସ୍ଥ୍ୟ କର୍ମୀଙ୍କୁ ମିଶାଇ ୧୧ଜଣଙ୍କୁ କୋଭିଡ୍ କେୟାର ସେଣ୍ଟରକୁ ପଠାଯାଇଛି।

ସଂକ୍ରମିତ ଡାକ୍ତର ଓ ନର୍ସଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ରୋଗୀଙ୍କ ସହ ସଂକ୍ରମଣର ଟ୍ରାକିଂ ରେକର୍ଡ ଉପରେ ପ୍ରଶାସନ ନଜର ରଖିଛି। ହସ୍ପିଟାଲ ଓ ସହରର ବିଭିନ୍ନ ଓ୍ୱାର୍ଡକୁ ସାନିଟାଇଜ୍ କରାଯାଇଛି। ହସ୍ପିଟାଲର ଅଧିକାଂଶ ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟ କର୍ମୀଙ୍କ ସ୍ୱାବ୍ ପରୀକ୍ଷା କରାଯାଇଛି। ଅନ୍ୟମାନଙ୍କର ଲକ୍ଷଣ ଦେଖି ସ୍ୱାବ୍ ପରୀକ୍ଷା କରାଯିବ। ପିପିଇ କିଟ୍ ପରିଧାନ କରି ରୋଗୀ ସେବାକୁ ଏବେ ଗୁରୁତ୍ୱ ଦିଆଯାଇଛି।

ଅତି ଜରୁରୀ ଚିକିତ୍ସା ଆବଶ୍ୟକତା ନଥିଲେ ଜିଲ୍ଲା ହସ୍ପିଟାଲକୁ ରୋଗୀଙ୍କୁ ନଆସିବାକୁ କୁହାଯାଉଛି। ଜିଲ୍ଲାର ଅନ୍ୟ ସ୍ୱାସ୍ଥ୍ୟକେନ୍ଦ୍ରରେ ସାମାନ୍ୟ ରୋଗୀଙ୍କ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି। ରୋଗୀସେବା ବଜାୟ ରଖିବାକୁ ଡାକ୍ତର ଓ ଅନ୍ୟ କର୍ମଚାରୀମାନଙ୍କ ମନୋବଳ ଟାଣ ରହିଥିବା ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିତ ବୈଠକରେ ସୂଚନା ଦିଆଯାଇଛି।

Comment