ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱର: ଦେଶର ଶ୍ରେଷ୍ଠ ୨୦ଟି ବିଶ୍ୱବିଦ୍ୟାଳୟ ମଧ୍ୟରେ ସାମିଲ୍ ହେଲା ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି)। ଗୁରୁବାର କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଡକ୍ଟର ରମେଶ ପୋଖରିଆଲ୍ ନିଶାଙ୍କ ବିଭିନ୍ନ ବର୍ଗର ଶିକ୍ଷାନୁଷ୍ଠାନକୁ ନେଇ ନ୍ୟାସନାଲ୍ ଇନଷ୍ଟିଚ୍ୟୁସନାଲ୍ ରାଙ୍କିଙ୍ଗ୍ ଫ୍ରେମ୍ଓ୍ୱାର୍କ-୨୦୨୦ ତାଲିକା ଘୋଷଣା କରିଥିଲେ। ଏଥିରେ ଶ୍ରେଷ୍ଠ ୨୦ ବିଶ୍ୱବିଦ୍ୟାଳୟ ମଧ୍ୟରେ ସ୍ଥାନ ହାସଲ କରିଛି ସୋଆ। ବିଶ୍ୱବିଦ୍ୟାଳୟ ତାଲିକାରେ ଓଡ଼ିଶାରେ ୧ ନମ୍ବର ସ୍ଥାନ ବଜାୟ ରଖିଛି ସୋଆ।

ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ବିଶ୍ୱବିଦ୍ୟାଳୟ ଏହି ନୂତନ ତାଲିକାରେ ୨୦ତମ ସ୍ଥାନ ହାସଲ କରିଥିବା ବେଳେ ସାମଗ୍ରିକ ଭାବେ ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡିକ ମଧ୍ୟରେ ଦେଶରେ ୩୮ତମ ସ୍ଥାନ ହାସଲ କରିଛି।

ୟୁନିଭର୍ସିଟି ଗ୍ରାଣ୍ଟସ୍‌ କମିସନ ଦ୍ୱାରା ୨୦୧୭ରେ ଡିମଡ ଟୁ ବି ୟୁନିଭର୍ସିଟିର ମାନ୍ୟତା ପାଇଥିବା ସୋଆ କ୍ରମାଗତ ଭାବେ ୫ମ ଥର ପାଇଁ ଓଡ଼ିଶାରେ ଏକ ନମ୍ବର ସ୍ଥାନ ବଜାୟ ରଖିଛି। ଚଳିତ ବର୍ଷ ୫୩.୧୦ ସ୍କୋର ହାସଲ କରି ଏହି ସ୍ଥାନରେ ରହିଛି।

୨୦୧୬ରେ ଏନଆଇଆର‌ଏଫ୍‌ ରାଙ୍କିଙ୍ଗ ଆରମ୍ଭ କରାଯାଇଥିବା ବେଳେ ତୃତୀୟ ଥର ପାଇଁ ଦେଶର ଶ୍ରେଷ୍ଠ ୨୦ ବିଶ୍ୱବିଦ୍ୟାଳୟ ମଧ୍ୟରେ ସ୍ଥାନ ପାଇଛି ସୋଆ। ସେହିପରି ଇିଞ୍ଜିନିୟରିଂ କ୍ୟାଟେଗୋରିରେ ଦେଶରେ ସୋଆ ୩୪ତମ ସ୍ଥାନରେ ରହିଥିବା ବେଳେ ମେଡିକାଲ୍ କଲେଜ କ୍ୟାଟେଗୋରିରେ ୨୩ତମ ସ୍ଥାନ ହାସଲ କରିଛି। ସୋଆ ପରିଚାଳିତ ଡେଣ୍ଟାଲ ସାଇନ୍ସ କଲେଜ ଚଳିତ ବର୍ଷ ପ୍ରଥମ ଥର ପାଇଁ ଏହି ରାଙ୍କିଙ୍ଗରେ ପ୍ରବେଶ କରି ଦେଶରେ ୧୨ତମ ସ୍ଥାନ ହାସଲ କରିଛି। ୨୦୨୦ ରାଙ୍କିଙ୍ଗ ଅନୁସାରେ ଓଡ଼ିଶାରେ ସୋଆର ମେଡିକାଲ ସାଇନସେସ୍‌ ଏବଂ ଡେଣ୍ଟାଲ ସାଇନସେସ୍‌ ଶିକ୍ଷାନୁଷ୍ଠାନ ୧ ନମ୍ବର ସ୍ଥାନରେ ରହିଛନ୍ତି।

ଏହି ଅବସରରେ ସୋଆର କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର କହିଛନ୍ତି, ‘‘ଏହି ସଫଳତା ହେଉଛି ସମସ୍ତ ଫାକଲ୍ଟି, ଗବେଷକ ଏବଂ ଦାୟିତ୍ୱ ତୁଲାଉଥିବା ସମସ୍ତ ବ୍ୟକ୍ତି ବିଶେଷଙ୍କର। ସୋଆ ଏହି ସଫଳତାର ସିଡ଼ିରେ ଆଗାମୀ ବର୍ଷ ମଧ୍ୟ ଆହୁରି ଉପରକୁ ଉଠିବ ବୋଲି ମୁଁ ଆଶା କରୁଛି।’’

‘‘ଏନଆଇଆରଏଫ ରାଙ୍କିଙ୍ଗରେ ଏହି ସଫଳତା ନିଶ୍ଚିତ ଭାବରେ ସୋଆର ସମସ୍ତ କର୍ମଚାରୀଙ୍କୁ ଭବିଷ୍ୟତରେ ଅଧିକ ଉନ୍ନତି ପାଇଁ ପ୍ରୋତ୍ସାହନ ଦେବ। ଏହି ସଫଳତା ପାଇଁ ମୁଁ ସୋଆ ପରିବାରର ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି’’, କହିଛନ୍ତି ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋରଞ୍ଜନ ନାୟକ।

Comment