ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଉରକେଲାରେ କୋଭିଡ୍‌ କଟକଣା କଡ଼ାକଡ଼ି କରାଯାଇଛି। କୋଭିଡ୍‌ ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କଠାରୁ ପ୍ରଶାସନ ମୋଟା ଅଙ୍କର ଜରିମାନା ଆଦାୟ କରୁଛି। ଆଜି  ମାସ୍କ ପିନ୍ଧି ନଥିବା ବ୍ୟକ୍ତିଙ୍କଠାରୁ ପ୍ରଶାସନ ମୋଟ ୪୩ ହଜାର ୫୦୦ ଟଙ୍କା ଆଦାୟ କରିଛି।

ଆଜି ସକାଳୁ ରାଉରକେଲା ମହାନଗର ନିଗମ କମିସନର ଦିବ୍ୟଜ୍ୟୋତି ପରିଡା, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଆଵୋଲି ସୁନିଲ ନରବଣେ, ଆରଏମସି ଉପାୟୁକ୍ତ ସୁଧାଂଶୁ ଭୋଇ, ଅତିରିକ୍ତ ତହସିଲଦାର ଅଭିଜିତ ମହନ୍ତ, ଆରଡ଼ିଏ ଓଏସଡ଼ି ଜିତେନ୍ଦ୍ର ମହାକୁଡ ପ୍ରମୁଖ ସହରର ବିଭିନ୍ନ ଅଞ୍ଚଳ ବୁଲି ଲୋକଙ୍କୁ କରୋନା ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ସଚେତନ କରିଥିଲେ।

ସାମାଜିକ ଦୂରତ୍ୱ ବଜାୟ ରଖିବା ଲାଗି ଲୋକଙ୍କୁ ନିବେଦନ କରିଥିଲେ। ଯେଉଁ ବ୍ୟବସାୟୀମାନେ ମାସ୍କ ପିନ୍ଧିବା ଲାଗି ନିଜ ଦୋକାନ ସାମ୍ନାରେ ନିବେଦନ ଫଳକ ମାରିଥିଲେ ଓ ସାମାଜିକ ଦୂରତ୍ୱ ବଜାୟ ରଖିବା ଲାଗି ଦୋକାନ ବାହାରେ ଗୋଲେଇ କାଟିଥିଲେ ସେମାନଙ୍କୁ ପ୍ରଶଂସା କରିଥିଲେ। ଯେଉଁମାନେ ଏପରି କରିନଥିଲେ ସେମାନଙ୍କୁ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବା ଲାଗି ପରାମର୍ଶ ଦେଇଥିଲେ। ନହେଲେ ସେମାନଙ୍କ ବିରୋଧରେ ବିହିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ ଚେତାଇ ଦେଇଥିଲେ।।

ଏଥିସହିତ ଯେଉଁ ଦୋକାନୀମାନେ ମାସ୍କ ପିନ୍ଧିନଥିଲେ କିମ୍ବା ଗାଡି ଚାଳକମାନେ ମାସ୍କ ପିନ୍ଧିନଥିଲେ, ସେମାନଙ୍କଠାରୁ ଜରିମାନା ଆଦାୟ କରାଯାଇଥିଲା।

Comment