ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହାନଦୀ ଗର୍ଭରୁ ମିଳିଥିବା ଗୋପୀନାଥ ମନ୍ଦିରର ପୁନରୁଦ୍ଧାର ସହ ପୁନଃସ୍ଥାପନ ପାଇଁ ଚିଠି ଲେଖିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏନେଇ ସେ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ପଟେଲଙ୍କୁ ଚିଠି ଲେଖିଛନ୍ତି।

ଏହି ଚିଠିରେ ସେ ୫୦୦ ବର୍ଷ ତଳର ଏହି ମନ୍ଦିରକୁ ଭାରତୀୟ ପ୍ରତ୍ନତତ୍ତ୍ଵ ବିଭାଗ ଅଧୀନକୁ ଆଣିବା ସହ ଏହାର ପୁନରୁଦ୍ଧାର ଓ ପୁନଃସ୍ଥାପନ କରିବାକୁ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

ଧର୍ମେନ୍ଦ୍ର ଚିଠିରେ କହିଛନ୍ତି, “ନୟାଗଡ଼ ନିକଟବର୍ତ୍ତୀ ପଦ୍ମାବତୀ ଗ୍ରାମ ନିକଟ ମହାନଦୀ ଗର୍ଭରେ ଏକ ମନ୍ଦିର ମିଳିଛି। ମନ୍ଦିରର ଗଠନଶୈଳୀ ଏବଂ ବ୍ୟବହୃତ ସାମଗ୍ରୀ ଦେଖିଲେ ଏହା ପଞ୍ଚଦଶ କିମ୍ଵା ଷୋଡ଼ଶ ଶତାବ୍ଦୀର ଆରମ୍ଭରେ ନିର୍ମାଣ ହୋଇଥିବା ଜଣାପଡୁଛି। ବନ୍ୟା ଯୋଗୁଁ ୫୫-୬୦ ଫୁଟ ଉଚ୍ଚ ମନ୍ଦିରଟି ୧୯୩୩ ମସିହାରେ ନଦୀରେ ଲୀନ ହୋଇଯାଇଥିବା ଅନୁମାନ କରାଯାଉଛି।”

ବର୍ତ୍ତମାନ କେବଳ ମନ୍ଦିରର ଅଁଳା ବେଢ଼ା ଦେଖାଯାଉଛି। ଗତ ୧୧ ବର୍ଷ ତଳେ ପାଣି କମିବାରୁ ମନ୍ଦିରର ଅଗ୍ରଭାଗ ଦେଖିବାକୁ ମିଳିଥିଲା। ଏବେ ନଦୀର ଜଳସ୍ତର କମ ହେବାରୁ ମନ୍ଦିରଟି ପୁଣିଥରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି।

ଐତିହାସିକଙ୍କ ମତରେ ମନ୍ଦିରଟି ୫୦୦ ବର୍ଷ ପୁରୁଣା। ଏଥିରେ ପ୍ରଭୁ ଗୋପୀନାଥ ପୂଜା ପାଉଥିଲେ। ସମୟକ୍ରମେ ମହାନଦୀ ନିଜ ଗତିପଥ ବଦଳାଇବା ସହ ବନ୍ୟା ଆଦି ବିଭିନ୍ନ କାରଣରୁ ମନ୍ଦିର ସହ ପଦ୍ମାବତୀ ଗ୍ରାମ ନଦୀ ଜଳରେ ଲୀନ ହୋଇଯାଇଥିଲା।

Comment