ଓଡ଼ିଶାଲାଇଭ୍ ବ୍ୟୁରୋ

Ayush agarwal

କଥାରେ ଅଛି ଶିକ୍ଷାଦାନ ମହତପୁନ୍ୟ, ହେଲେ ଶିକ୍ଷା ଦାନ କରିବା ବା ଶିକ୍ଷା ଗ୍ରହଣ କରିବା କଣ ସେତିକି ସହଜ ହୋଇଥାଏ। ଆଜିକାଲି ଡିଜିଟାଲ ପ୍ଲାଟଫର୍ମର ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଲାଣି, ଏବଂ ପାଠ ପଢ଼ିବାର ପୁରୁଣା କୌଶଳରେ ମଧ୍ୟ ଅନେକ ପରିବର୍ତ୍ତନ ଘଟିଛି। ତେବେ ସାରା ବିଶ୍ୱର ଶିକ୍ଷକ, ଅଧ୍ୟାପକ ତଥା ବିଦ୍ୱାନମାନଙ୍କ ଜ୍ଞାନକୁ ଗୋଟିଏ ଜାଗାରେ ଏକାଠି ପରଷି ଦେବାକୁ ଚିନ୍ତା କରିଥିଲେ ସିଲିକନ୍ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜୀର ଜଣେ ଛାତ୍ର ଆୟୁଷ ଅଗ୍ରଓ୍ୱାଲ୍।

ayush agrawal

ଆୟୁଷଙ୍କ ଜନ୍ମ କଳାହାଣ୍ଡିର କେସିଙ୍ଗାରେ ହୋଇଥିଲା। ସେ ଭୁବନେଶ୍ୱରର ସିଲିକନ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜୀରେ ଇଲେକ୍ଟ୍ରିକାଲ ଆଣ୍ଡ୍ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଂ କରିଥିଲେ। “ଲେକ୍ଚରନୋଟ୍ସ୍” ର ସି.ଇ.ଓ ବା ଫାଉଣ୍ଡର୍ ହିସାବରେ ସେ ଆଜି ବେଶ୍ ଜଣାସୁଣା। ପାଠପଢ଼ା କ୍ଷେତ୍ରରେ ଶିକ୍ଷକ ତଥା ପ୍ରଫେସରଙ୍କର ନୋଟର ରହିଛି ବହୁତ ଆବଶ୍ୟକତା। ତେବେ ବଡ଼ ବଡ଼ ତଥା ଜ୍ଞାନୀ ବ୍ୟକ୍ତିବିଶେଷଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ନୋସ୍ଟ୍ ଯଦି ଗୋଟିଏ ପ୍ଲାଟଫର୍ମରେ ମିଳିଯାଆନ୍ତା, ତେବେ ଦେଶର କୋଣ ଅନୁକୋଣରେ ଥିବା ସମସ୍ତ ଛାତ୍ରଛାତ୍ରୀ ବହୁତ ଉପକୃତ ହୁଅନ୍ତେ। କାରଣ ଜ୍ଞାନର ଆଦାନ ପ୍ରଦାନ ହିଁ ଶିକ୍ଷାର ବିକାଶର ମୂଳ ମନ୍ତ୍ର ଅଟେ। ଏହି ଚିନ୍ତାଧାରାକୁ ମୁଣ୍ଡରେ ରଖି ୨୦୧୭ ଜୁଲାଇରେ ଆୟୁଷ ଆରମ୍ଭ କରିଥିଲେ ଏକ ଏଜୁକେସନ୍ ଟେକ୍ନିକାଲ (ଡିଜିଟାଲ) ପ୍ଲାଟଫର୍ମ ଯାହା ବର୍ତ୍ତମାନ ଦେଶ ବିଦେଶରେ “ଲେକ୍ଚରନୋଟ୍ସ୍” ନାମରେ ବେଶ୍ ଖ୍ୟାତନାମା ଅର୍ଜନ କରିସାରିଲାଣି। ପ୍ରଥମେ ସେ ନିଜେ ପାଠ ପଢ଼ିଥିବା କଲେଜର (ସିଲିକନ ଇନଷ୍ଟିଚ୍ୟୁଟ୍) ଶିକ୍ଷକମାନଙ୍କ ସମ୍ମୁଖରେ ଏହାକୁ ରଖିଥିଲେ।

lectureNOTE

ତେବେ  “ଲେକ୍ଚରନୋଟ୍ସ୍” ଶିକ୍ଷାସଂସ୍ଥାର ମୁଖ୍ୟ ଲକ୍ଷ୍ୟ ହେଉଛି ବିଭିନ୍ନ ବର୍ଗର ଲୋକମାନଙ୍କ (ଛାତ୍ରଛାତ୍ରୀ) ମଧ୍ୟରେ ଥିବା ଶିକ୍ଷାଗତ ଦୂରତାକୁ କମ କରିବା। କ୍ଲାସର ପ୍ରଥମ ବେଞ୍ଚରେ ବସି ସବୁ ପ୍ରଶ୍ନର ଉତ୍ତର ଦେଉଥିବା ଛାତ୍ରଠୁ ଆରମ୍ଭ କରି ପଢ଼ାକ୍ଷେତ୍ରରେ ସମସ୍ୟାର ସମ୍ମୁଖିନ ହେଉଥିବା ଛାତ୍ର ପର୍ଯ୍ୟନ୍ତ, ସେହିପରି ବଡ଼ ବଡ଼ ଲାଇବ୍ରେରୀ ଥିବା ଖ୍ୟାତନାମା କଲେଜଠାରୁ ଆରମ୍ଭ କରି ବହି ଖାତା କିଣିବାକୁ ସକ୍ଷମ ନଥିବା ଛାତ୍ରଙ୍କ ମଧ୍ୟରେ ଥିବା ଏହି ଶିକ୍ଷାଗତ ଦୂରତାକୁ କମାଇବାକୁ ଏକ ପ୍ରଚେଷ୍ଟା ହେଉଛି “ଲେକ୍ଚରନୋଟ୍ସ୍”।

ଏହି ପ୍ଲାଟଫର୍ମ ସହ ଜଡ଼ିତ ଥିବା ଶିକ୍ଷକ ତଥା ପ୍ରଫେସରମାନେ ନିଜର ନୋଟ୍ସଗୁଡ଼ିକୁ (ପ୍ରେଜେଣ୍ଟେସନ୍, ହାତଲେଖା ବା ଅନ୍ୟ କୌଣସି ଆକାରରେ ) ଏହାର ଓ୍ୱେବସାଇଟରେ ଅପଲୋଡ କରିଥାନ୍ତି ଏବଂ ଛାତ୍ରଛାତ୍ରୀମାନେ ସିଧାସଳଖ ଏହାକୁ ଡାଉନଲୋଡ୍ କରିପାରିବେ। ବର୍ତ୍ତମାନ ଲକଡାଉନ ସମୟରେ ଏହି ସଂସ୍ଥା ପକ୍ଷରୁ ମାଗଣା ଲାଇଭ୍ କ୍ଲାସେସ୍ ର ସୁବିଧା ମଧ୍ୟ ଦିଆଯାଉଛି। ଓ୍ୱେବସାଇଟ୍ ପକ୍ଷରୁ ଦିଆଯାଉଥିବା ସମସ୍ତ ସୁବିଧାର ଲାଭ ଉଠାଇବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଏହି ଓ୍ୱେବସାଇଟରେ ରେଜିଷ୍ଟ୍ରେସନ କରିବାକୁ ପଡ଼ିବ।

LecturesNOTE-1 team

ଇଞ୍ଚିନିୟରିଂ ସେକ୍ଟରରୁ ପ୍ରାୟ ୨୮୦୦୦ ଶିକ୍ଷକ ଏହି ପ୍ଲାଟଫର୍ମ ସହ ଜଡ଼ିତ ଅଛନ୍ତି ଏବଂ ନିଜର ନୋଟ୍ସ୍ ଅପଲୋଡ୍ କରୁଛନ୍ତି। ସେହିପରି ସ୍କୁଲ ଶିକ୍ଷକ ତଥା ଆଇ.ଏ.ଏସ୍ କୋଚିଂ କ୍ଲାସେସର ପ୍ରଫେସରମାନେ ମଧ୍ୟ ଏହି ସଂସ୍ଥା ସହ ହାତ ମିଳେଇବା ପାଇଁ ମନ ବଳାଉଛନ୍ତି। ପ୍ରାୟ ୧୦ ଲକ୍ଷ୍ୟରୁ ଉର୍ଦ୍ଧ ସଂଖ୍ୟକ ଛାତ୍ରଛାତ୍ରୀ ଏଥିରୁ ଉପକୃତ ହେଉଛନ୍ତି। ସିଲିକନ୍ ଇନଷ୍ଟିଚ୍ୟୁଟ୍ ପରେ ପରେ ଗାନ୍ଧୀ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜିକାଲ ଆଡଭାନ୍ସମେଣ୍ଟ, ଟ୍ରାଇଡେଣ୍ଟ ଆକାଡେମୀ ଅଫ୍ ଟେକ୍ନୋଲୋଜୀ ଇତ୍ୟାଦି ଇନଷ୍ଟିଚ୍ୟୁସନମାନେ ମଧ୍ୟ ଏହି ପ୍ଲାଟଫର୍ମରେ ନିଜକୁ ସାମିଲ୍ କରିଛନ୍ତି। ଓଡ଼ିଶା ତଥା ଦକ୍ଷିଣ ଏବଂ ଉତ୍ତର ପ୍ରାନ୍ତରୁ ମଧ୍ୟ ଶିକ୍ଷକମାନେ ଏହି ପ୍ଲାଟଫର୍ମରେ ଯୋଗ ଦେଉଛନ୍ତି।

lecturesNOTE

ଏହି ସଂସ୍ଥାପାଇଁ ସମୁଦାୟ ୩୬ଜଣ କର୍ମଚାରୀ କାର୍ଯ୍ଯ କରୁଥିବା ବେଳେ ସେଥିମଧ୍ୟରୁ ୨୦ ଜଣ କର୍ମଚାରୀ ଏହି ପ୍ଲାଟଫର୍ମର ଟେକ୍ନିକାଲ ସାଇଟ ପାଇଁ ନିୟୋଜିତ ଅଛନ୍ତି। ବିନା କୌଣସି ସମସ୍ୟା ବା ବାଧାରେ କିପରି ଶିକ୍ଷକ ତଥା ଛାତ୍ରଛାତ୍ରୀମାନେ ଏହି ସଂସ୍ଥାର ଲାଭ ଉଠାଇପାରିବେ ସେଥିପ୍ରତି ସମସ୍ତେ ସବୁ ସମୟରେ ସଜାଗ ରହିଛନ୍ତି। ଆଗାମୀ ଦିନମାନଙ୍କରେ ଏହି ପ୍ଲାଟଫର୍ମକୁ ଭିଏତନାମ, ଇଣ୍ଡୋନେସିଆ, ଫିଲିପାଇନ୍ସ ତଥା ବିଶ୍ୱର ଅନ୍ୟ ଦେଶମାନଙ୍କରେ ବିସ୍ତାର କରିବାକୁ ଲକ୍ଷ୍ୟ ରଖିଛନ୍ତି  “ଲେକ୍ଚରନୋଟ୍ସ୍”ର ସି.ଇ.ଓ ତଥା କଳାହାଣ୍ଡି ସହ ସମଗ୍ର ଓଡ଼ିଶା ପାଇଁ ଗୌରବ ଆଣିଦେଇଥିବା ଯୁବ ଏଣ୍ଟରପ୍ରେନର୍ ଆୟୁଷ ଅଗ୍ରଓ୍ୱାଲ୍।

Comment