ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏଥର ବଡ଼ଦାଣ୍ଡରେ ଗଡ଼ିବନି ରଥ। ରଥଯାତ୍ରା ବନ୍ଦ କରିବାକୁ ସୁପ୍ରିମକୋର୍ଟଙ୍କ ରାୟ।

“କରୋନା ମହାମାରୀ ବେଳେ ରଥଯାତ୍ରା ଆୟୋଜନ କରିବା ସମ୍ଭବପର ନୁହେଁ। ଜନସ୍ୱାର୍ଥ ଏବଂ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରଥଯାତ୍ରା ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। କୌଣସି ଧାର୍ମିକ କାର୍ଯ୍ୟକ୍ରମକୁ ଅନୁମତି ଦେଲେ ବହୁତ ଲୋକ ଏକାଠି ହେବାର ସମ୍ଭାବନା ରହିଛି। ଯଦି ଆମେ ରଥଯାତ୍ରା ଅନୁମତି ଦେବୁ ତାହାଲେ ମହାପ୍ରଭୁ ଜଗନ୍ନାଥ ଆମକୁ କ୍ଷମା ଦେବେ ନାହିଁ’’, କହିଛନ୍ତି ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଶରଦ ଅରବିନ୍ଦ ବୋବ୍‌ଡେ।

କରୋନା ମହାମାରୀ ବେଳେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ବନ୍ଦ କରିବାକୁ ଓଡ଼ିଶା ବିକାଶ ପରିଷଦ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି ମାମଲାର ବିଚାର କରି ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ରଥଯାତ୍ରା ବନ୍ଦ କରିବାକୁ ରାୟ ଦେଇଛନ୍ତି। ଶେଷରେ ଜଗନ୍ନାଥଙ୍କ ପାଖରେ କ୍ଷମା ମଧ୍ୟ ମାଗିଛନ୍ତି।

ଏହି ମାମଲାରେ ସୁପ୍ରିମକୋର୍ଟର ବହୁ ନାମୀ ଓକିଲ ଲଢ଼ିଥିଲେ। ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ବରିଷ୍ଠ ଆଇନଜୀବୀ ମୁକୁଲ ରୋହତେଗୀ, ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ହରିଶ ସାଲ୍‌ଭେ ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରୋଲ ତୁଷାର ମେହଟ୍ଟା ମାମଲା ଲଢ଼ିଥିଲେ।

ହରିଶ ସାଲ୍‌ଭେ କହିଥିଲେ ଯେ, ଯଦି କୌଣସି ସ୍ଥାନରେ ଧାର୍ମିକ କାର୍ଯ୍ୟକ୍ରମ ହେଉଛି ତାହାଲେ ସେଠି ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଛି। ଏହାକୁ ଅଟକାଇବା ସମ୍ଭବ ହେଉନି। ଏଥିରେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ମଧ୍ୟ ସହମତ ହୋଇଥିଲେ।

‘‘କୋଭିଡ-୧୯ ମହାମାରୀକୁ ଦୃଷ୍ଟିରେ ରଖି ଚଳିତ ବର୍ଷରମହାପ୍ରଭୁଙ୍କ ରଥଯାତ୍ରା ବନ୍ଦ କରିବା ପାଇଁ ସର୍ବ ପ୍ରଥମେ “ଓଡ଼ିଶା ବିକାଶ ପରିଷଦ” ପକ୍ଷରୁ ମୁଁ ସୁପ୍ରିମକୋର୍ଟଙ୍କ ନିକଟରେ ଜନସ୍ୱାର୍ଥ ମାମଲା ଦାୟର  କରିଥିଲି। କେବଳ ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିର ଭିତରେ ମହାବାହୁଙ୍କ ରଥପର୍ବ ଅନୁଷ୍ଠିତ ହେବା ପାଇଁ ମୁଁ ଆବେଦନ କରିଥିଲି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆମ ରାଜ୍ୟ ଓଡ଼ିଶାରେ ମାର୍ଚ୍ଚ ଶେଷରେ ୩ ଥିବା ବେଳେ ଆଜିର ତାରିଖରେ ସାଢ଼େ ୪ ହଜାର ଟପିଛି। ଗୋଟିଏପଟେ ଧର୍ମୀୟ ପରମ୍ପରା ଆବେଗର କଥା ଅନ୍ୟପଟରେ ବାସ୍ତବତା ଓ ଜୀବନ। ସୁପ୍ରିମକୋର୍ଟ ଆଜି ଯେଉଁ ରାୟ ଦେଇଛନ୍ତି ତାହା ସ୍ୱାଗତଯୋଗ୍ୟ। ବିଶ୍ଵନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥ ଓଡ଼ିଆ ଜାତିର ମାର୍ଗଦର୍ଶନ କରନ୍ତୁ। ଏହା ମୋର ପ୍ରାର୍ଥନା’’, କହିଛନ୍ତି ଓଡ଼ିଶା ବିକାଶ ପରିଷଦର ସଭାପତି ସୁଶାନ୍ତ କୁମାର ପାଢ଼ୀ।

ଭାଙ୍ଗିଲା ବର୍ଷ ପର୍ଷର ପରମ୍ପରା। କରୋନା ପାଇଁ ଏଥର ବଡ଼ଦାଣ୍ଡରେ ଗଡ଼ିବନି ରଥ। ଶ୍ରୀଗୁଣ୍ଡିଚା ଯାତ୍ରାକୁ ଆଉ ୫ ଦିନ ଥିବା ବେଳେ ସୁପ୍ରିମକୋର୍ଟ ଆଜି ଏ ସମ୍ପର୍କରେ ସୁପ୍ରିମ ରାୟ ଶୁଣାଇଛନ୍ତି। ଜନ ସ୍ୱାର୍ଥ ଏବଂ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରଥଯାତ୍ରା ସମ୍ପୂର୍ଣ୍ଣ ବନ୍ଦ କରାଯିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

‘‘ରଥଯାତ୍ରା ନହେଲେ ମହାପ୍ରଭୁ ଅଣସର ଘରେ ରହିଯିବେ। ରତ୍ନବେଦୀକୁ ଆସି ପାରିବେ ନାହିଁ। ସୁପ୍ରିମକୋର୍ଟ ଯେଉଁ ରାୟ ଦେଇଛନ୍ତି ତାକୁ ଆମେ ସମ୍ମାନ ଦେଉଛୁ। ହେଲେ ରଥଯାତ୍ରାର ବିକଳ୍ପ କିଛି ନାହିଁ’’, କହିଛନ୍ତି ବଳଭଦ୍ରଙ୍କ ବାଡ଼ଗ୍ରାହୀ ହଳଧର ଦାସମହାପାତ୍ର।

କରୋନା ସମୟରେ ରଥଯାତ୍ରା ହେବ କି ନାହିଁ ତାକୁନେଇ କଳ୍ପନା ଜଳ୍ପନା ଲାଗି ରହିଥିଲା। ଅକ୍ଷୟ ତୃତୀୟା ତିଥିରୁ ରଥଯାତ୍ରାକୁ ନେଇ ଆଶଙ୍କା ବଢ଼ିଥିଲା। ରଥ ନିର୍ମାଣ ପାଇଁ ରାଜ୍ୟ ସରକାର ଅନୁମତି ନଦେବାରୁ ରଥଯାତ୍ରା ଏଥର ବନ୍ଦ ହୋଇପାରେ ବୋଲି ଚର୍ଚ୍ଚା ହେଉଥିଲା।

ଅକ୍ଷୟ ତୃତୀୟା ତିଥିରୁ ରଥକାଠ ଅନୁକୂଳ ହେବା ପରେ ରଥ ନିର୍ମାଣ କାମ ଆରମ୍ଭ ହୋଇଥାଏ। କିନ୍ତୁ କରୋନା ମହାମାରୀ ପାଇଁ ରଥଖଳାରେ ରଥକାଠ ଅନୁକୂଳ ହୋଇ ନଥିଲା। ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ଅନୁସାରେ ଶ୍ରୀମନ୍ଦିର ପରିସରରେ ରଥକାଠ ଅନୁକୂଳ ହୋଇଥିଲା। ରଥ ନିର୍ମାଣ କାମ ପାଇଁ ବି ରାଜ୍ୟ ସରକାର ସବୁଜ ସଙ୍କେତ ଦେଇପାରି ନଥିଲେ। କେନ୍ଦ୍ର ସରକାରଙ୍କ କୋର୍ଟକୁ ବଲ୍‌ ଫିଙ୍ଗିଥିଲେ। କେନ୍ଦ୍ର ସରକାର କୋଭିଡ୍‌ କଟକଣା ଭିତରେ ରଥ ନିର୍ମାଣ ହେଉ ବୋଲି କହିବା ସହ ରଥଯାତ୍ରା ନିଷ୍ପତ୍ତି ରାଜ୍ୟ ସରକାରଙ୍କର ବୋଲି କହିଥିଲେ।

‘‘ଏଥର ରଥଯାତ୍ରା ବନ୍ଦ କରିବାକୁ ସରକାର ଚାହୁଁଥିଲେ। ସେଥିପାଇଁ ସେ କୌଣସି ସ୍ପଷ୍ଟ ଘୋଷଣା କରୁ ନଥିଲେ। ଅକ୍ଷୟ ତୃତୀୟାରୁ ଏହା ସ୍ପଷ୍ଟ ଜଣାପଡୁଥିଲା। ରଥଯାତ୍ରା ବନ୍ଦ କରିବା ଏକ ପ୍ରାୟୋଜିତ କାର୍ଯ୍ୟକ୍ରମ’’, କହିଛନ୍ତି ବରିଷ୍ଠ ସେବାୟତ ବିନାୟକ ଦାସମହାପାତ୍ର।

କୋଭିଡ୍‌ ଗାଇଡଲାଇନ୍‌ ଅନୁସାରେ ରଥଖଳାରେ ରଥ ନିର୍ମାଣ କାମ ହୋଇଥିଲା। ଏବେ ରଥ ନିର୍ମାଣ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ହେଲେ ରାଜ୍ୟ ସରକାର ରଥଯାତ୍ରା କରିବେ କି ନାହିଁ ସେନେଇ କୌଣସି ନିଷ୍ପତ୍ତି ନେଇପାରି ନଥିଲେ। ଏହାରି ଭିତରେ ସୁପ୍ରିମକୋର୍ଟ ଯାଇଥିଲା ଓଡ଼ିଶା ବିକାଶ ପରିଷଦ। ସୁପ୍ରିମକୋର୍ଟ ଆଜି ରଥଯାତ୍ରା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Comment