ଓଡ଼ିଶାଲାଇଭ୍‌ ବ୍ୟୁରୋ

‘ମଣିଷ କାଗଜ କଲମରେ ନୁହେଁ, ନିଜ ରକ୍ତରେ ଲେଖେ’ – ଏହା ହେଉଛି କଥା ସମ୍ରାଟ ସୁରେନ୍ଦ୍ର ମହାନ୍ତିଙ୍କ ମନ୍ତବ୍ୟ।

ଔପନାସିକ କାହ୍ନୁଚରଣ ମହାନ୍ତି ଏବଂ ଗୋପୀନାଥ ମହାନ୍ତିଙ୍କ ପରେ ଓଡ଼ିଆ କଥା ସାହିତ୍ୟ ଜଗତରେ ଯଦି କାହାର ନାଁ ଆସେ ତାହାଲେ ସେ ହେଉଛନ୍ତି କଥା ସମ୍ରାଟ ସୁରେନ୍ଦ୍ର ମହାନ୍ତି। କ୍ଷୁଦ୍ର ଗଳ୍ପ, ବଳିଷ୍ଠ ଉପନ୍ୟାସ ଲେଖି ସେ ଓଡ଼ିଆ ସାହିତ୍ୟ ଜଗତକୁ ଅଧିକ ରୁଦ୍ଧିମନ୍ତ କରି ଅବିସ୍ମରଣୀୟ ହୋଇ ରହିଛନ୍ତି। ଓଡ଼ିଆ ଉପନ୍ୟାସକୁ ସଂସ୍କୃତି ଭିତ୍ତିକ ଏବଂ ଐତିହାସିକ ତଥ୍ୟ ଉପରେ ଅଧିକ ରୁଦ୍ଧିମନ୍ତ କରିଥିବା କଥା ସମ୍ରାଟ ସୁରେନ୍ଦ୍ର ମହାନ୍ତିଙ୍କ ଆଜି ଜୟନ୍ତୀ ଅବସରରେ ଗଭୀର ଶ୍ରଦ୍ଧାଞ୍ଜଳି।

‘‘କଥା ସାହିତ୍ୟର ଦିଗ୍‌ଦ୍ରଷ୍ଟା ଭାବେ ସୁରେନ୍ଦ୍ର ମହାନ୍ତି ଅବିସ୍ମରଣୀୟ ହୋଇ ରହିଛନ୍ତି। କ୍ଷୁଦ୍ରଗଳ୍ପ, ଉପନ୍ୟାସ, ନାଟକ ଏବଂ କଥା ସାହିତ୍ୟରେ ବିଭିନ୍ନ ପ୍ରକାରର ଚିନ୍ତା ଓ ଚେତନାକୁ ନେଇ ପରୀକ୍ଷା କରିବା ଏବଂ ସଫଳ ଭାବେ ପ୍ରୟୋଗ କରିବାରେ ସେ ସିଦ୍ଧହସ୍ତ ଥିଲେ। ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ସେ ପ୍ରଭାବିତ ହୋଇଥିଲେ। ବାପୁଙ୍କ ଜୀବନ କାହାଣୀକୁ ନେଇ ସେ ଆକାଶବାଣୀରେ ଧାରାବାହିକ ଭାବେ ବହୁ ନାଟକ ଲେଖିଛନ୍ତି’’, କହିଛନ୍ତି ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ହରିହର ମିଶ୍ର।

କଥାକାର ସୁରେନ୍ଦ୍ର ମହାନ୍ତି ୧୯୨୨ ମସିହା ଜୁନ୍‌ ୨୧ ତାରିଖରେ କଟକ ଜିଲ୍ଲାର ପୁରୁଷୋତ୍ତମପୁର ଗାଁରେ ଜନ୍ମ ଗ୍ରହଣ କରିଥିଲେ। ସେ ଏକାଧାରାରେ ଥିଲେ ସାହିତ୍ୟିକ, ସାମ୍ବାଦିକ, ଔପନାସିକ ଏବଂ ରାଜନେତା। ଯଦିଓ ରାଜନୀତି କ୍ଷେତ୍ରରେ ସେ ଲମ୍ବା ସମୟ ଅତିବାହିତ କରି ନାହାନ୍ତି, ହେଲେ ସାହିତ୍ୟିକ ଭାବେ ସେ ସଫଳତା ହାସଲ କରିଛନ୍ତି। କ୍ଷୁଦ୍ରଗଳ୍ପ, ଉପନ୍ୟାସ ରଚନା କରି ଓଡ଼ିଆ ସାହିତ୍ୟ ଜଗତକୁ ସେ ନୂଆ ଦିଗ ଦେଖାଇଛନ୍ତି।

ସେ ଅନ୍ଧ ଦିଗନ୍ତ, ନୀଳଶୈଳ, ନୀଳାଦ୍ରି ବିଜୟ, ଶତାବ୍ଦୀର ସୂର୍ଯ୍ୟ, କଳାନ୍ତର, ନେତି ନେତି, ଅଚଳାତନ, ମାଂସର ପ୍ରଳାପ କୋଣାର୍କ, ଦୁଇ ସୀମାନ୍ତ, ବଧୁ ଓ ପ୍ରିୟ ଏବଂ କଲେଜବୟ ଉପନ୍ୟାସ ରଚନା କରି ଚିରସ୍ମରଣୀୟ ହୋଇ ରହିଛନ୍ତି।

ସେହିପରି ତାଙ୍କ କ୍ଷୁଦ୍ର ଗଳ୍ପ ଭିତରେ ରହିଛି କୃଷ୍ଣଚୂଡ଼ା, ମହାନଗରୀର ରାତ୍ରୀ, ରୁଟି ଓ ଚନ୍ଦ୍ର, ସବୁଜ ପତ୍ର ଓ ଧୂସର ଗୋଲାପ, କବି ଓ ନର୍ତ୍ତକୀ, ମହାନିର୍ବାଣ, ରାଜଧାନୀ।

‘‘ଓଡ଼ିଆ କଥା ସାହିତ୍ୟରେ ସୁରେନ୍ଦ୍ର ମହାନ୍ତି ଅନେକ କାଳଜୟୀ ରଚନା କରିଛନ୍ତି। ସେ ଏକାଧାରାରେ ସାହିତ୍ୟିକ, ଔପନାସିକ ଏବଂ ରାଜନୈତିକ ବ୍ୟକ୍ତିତ୍ୱ ଥିଲେ। ନରଳଶୈଳ ଉପନ୍ୟାସ ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଛନ୍ତି। କୁଳ ବୃଦ୍ଧ ପୁସ୍ତକ ପାଇଁ ସେ ଶରଳା ପୁରସ୍କାର ପାଇଛନ୍ତି। ରାଜନୀତିରେ ରହି ସେ ସାହିତ୍ୟ ଏବଂ ସାମ୍ବାଦିକତା କରିଛନ୍ତି। ଏହି କାଳଜୟୀ ସ୍ରଷ୍ଟାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି’’, କହିଛନ୍ତି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ।

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଏବଂ ମହାରାଜା ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ସହିତ ସୁରେନ୍ଦ୍ର ମହାନ୍ତିଙ୍କର ଘନିଷ୍ଠ ସମ୍ପର୍କ ଥିଲା। ସେ ରାଜ୍ୟସଭା ସଦସ୍ୟ ଭାବେ ଥରେ ମନୋନୀତ ହୋଇଥିବା ବେଳେ ଦୁଇ ଥର ଲୋକସଭା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ।

‘‘ସୁରେନ୍ଦ୍ର ମହାନ୍ତି ସାହିତ୍ୟରେ ଭାଷା ଓ ଭାବକୁ ନେଇ ବହୁତ ପରୀକ୍ଷା ନିରୀକ୍ଷା କରିଛନ୍ତି। ସେ ଅର୍ଦ୍ଧ ଶତାବ୍ଦୀ ଧରି ବହୁ କ୍ଷୁଦ୍ର ଗଳ୍ପ ଏବଂ ଉପନ୍ୟାସ ରଚନା କରିଛନ୍ତି। ସାମ୍ବାଦିକତା କରିବା ସହ ସମ୍ପାଦକୀୟ ଲେଖି ସଫଳତା ହାସଲ କରିଛନ୍ତି। ସେ ଗୌତମ ବୁଦ୍ଧ, ବୌଦ୍ଧ ଧର୍ମ, ମହାପ୍ରଭୁ ଜଗନ୍ନାଥ ଏବଂ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଉପରେ ବହୁତ କିଛି ଲେଖିଛନ୍ତି। ସମ୍ବାଦ ଖବରକାଗଜର ସମ୍ପାଦନା କରିବା ବେଳେ ତାଙ୍କର ‘ଶେଷ ସ୍ତମ୍ଭ’ ବହୁତ ଲୋକପ୍ରିୟତା ପାଇଥିଲା’’, କହିଛନ୍ତି ବିଶିଷ୍ଟ ସାହିତ୍ୟିକ ତଥା ସାମ୍ବାଦିକ ଗୌରହରି ଦାସ।

‘‘ଓଡ଼ିଆ କଥା ସାହିତ୍ୟକୁ ସୁରେନ୍ଦ୍ର ମହାନ୍ତିଙ୍କ ଅବଦାନ ଅତୁଳନୀୟ। ସେ ଏକାଧାରାରେ ରାଜନେତା, ଐତିହାସିକ, ସାମ୍ବାଦିକ ଥିଲେ। ସେ ରଚନା କରିଥିବା ନୀଳଶୈଳ ଓ ନୀଳାଦ୍ରିବିଜେ ଉପନ୍ୟାସ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି। ଏଥିରେ ବହୁ ଐତିହାସିକ ତଥ୍ୟ ରହିଛି। ସୁରେନ୍ଦ୍ର ମହାନ୍ତିଙ୍କ ଭାଷା ଓ ଶୖଳୀ ହେଉଛି ଅନନ୍ୟ। ଓଡ଼ିଆ କଥା ସାହିତ୍ୟକୁ ନୂଆ ଦିଗ ଦେଖାଇଥିବା ସୁରେନ୍ଦ୍ର ମହାନ୍ତିଙ୍କୁ ଶ୍ରଦ୍ଧାଞ୍ଜଳି’’, କହିଛନ୍ତି ବିଶିଷ୍ଟ ଗାଳ୍ପିକା ଡକ୍ଟର ଜୟନ୍ତୀ ରଥ।

ସାମ୍ବାଦିକତା କ୍ଷେତ୍ରରେ ମଧ୍ୟ ସୁରେନ୍ଦ୍ର ମହାନ୍ତି ନିଜର ଛାପ ଛାଡ଼ିଛନ୍ତି। ସେ ଜନତା, ଗଣତନ୍ତ୍ର, କଳିଙ୍ଗ ଏବଂ ସମ୍ବାଦ ଖବରକାଗଜର ସମ୍ପାଦକ ଭାବେ ରହି ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ସେ ସମ୍ମାନଜନକ ଓଡ଼ଶା ସାହିତ୍ୟ ଏକାଡେମୀ, କେନ୍ଦ୍ର ସାହିତ୍ୟ ଏକାଡେମୀ ଏବଂ ଶରଳା ପୁରସ୍କାର ପାଇଛନ୍ତି।

‘‘ସାହିତ୍ୟରୁ ସାମ୍ବାଦିକତା ଏବଂ ରାଜନୀତି। ସୁରେନ୍ଦ୍ର ମହାନ୍ତି ଯେଉଁଠି ପାଦ ଥାପିଛନ୍ତି ତାହା ପାଲଟିଯାଇଛି ତାଙ୍କ ପୃଥିବୀ। ସେ କାଗଜକଲମରେ ସାହିତ୍ୟ ଲେଖନ୍ତି ନାହିଁ, ସେ ରକ୍ତରେ ଲେଖନ୍ତି। ସୁରେନ୍ଦ୍ର ମହାନ୍ତିଙ୍କ କାଳଜୟୀ ରଚନା ପ୍ରତି ଓଡ଼ିଆ ଧମନୀରେ ପ୍ରବାହିତ ହେଉଛି। ଆଜି ମହାନ କଥା ଶିଳ୍ପୀ ସୁରେନ୍ଦ୍ର ମହାନ୍ତିଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି’’, ଓଡ଼ିଶା ସାହିତ୍ୟ ଏକାଡେମୀ ସଚିବ ଶୁଚିସ୍ମିତା ମନ୍ତ୍ରୀ ଏହା କହିଛନ୍ତି।

LEAVE A REPLY

Please enter your comment!
Please enter your name here