ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗୋଷ୍ଠୀ ସଂକ୍ରମଣ ଜାଣିବା ପାଇଁ ଆସନ୍ତାକାଲିଠୁ ହେବ ସେରୋଲୋଜିକାଲ ସର୍ଭେ।

କରୋନା ଭାଇରସ୍‌ ଏବେ ନିଦ ହଜାଇଦେଲାଣି। ଓଡ଼ିଶାର ଚାରିଟି ଜିଲ୍ଲାରେ ସ୍ଥିତି ବେହାଲ ହୋଇଯାଇଥିବାରୁ ରାଜ୍ୟ ସରକାର ଚିନ୍ତାରେ ପଡ଼ିଛନ୍ତି। ଗଞ୍ଜାମ, ଗଜପତି, କଟକ ଏବଂ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ହଜାର ୮୨୨ ଛୁଇଁଥିବାରୁ ସବୁଠି ସତର୍କତା ଜାରି କରାଯାଇଛି।

ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୩୭ରେ ପହଞ୍ଚିଛି। ଏଥିମଧ୍ୟରେ ସୁସ୍ଥ ସଂଖ୍ୟା ୮୧୧ ଥିବା ବେଳେ ସକ୍ରିୟ ସଂଖ୍ୟା ୩୧୮ ରହିଛି। ହେଲେ ଏହି ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୮ରେ ପହଞ୍ଚିଛି। ଆଜି ମଧ୍ୟ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ହୋଇଥିବା ୫୦ ଆକ୍ରାନ୍ତଙ୍କ ମଧ୍ୟରୁ ୧୩ ଜଣ କରୋନା ଯୋଦ୍ଧା ଥିବା ଜଣାପଡ଼ିଛି।

ଗଞ୍ଜାମ ପଛକୁ ରହିଛି ଖୋର୍ଦ୍ଧା ଜିଲ୍ଲା। ଏହି ଜିଲ୍ଲାରୁ ଦ୍ୱିତୀୟ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେବେ ବୋଲି କେହି ଭାବି ନଥିଲେ। ବର୍ତ୍ତମାନସୁଦ୍ଧା ଏହି ଜିଲ୍ଲାରୁ ୭୫୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଜିଲ୍ଲାରେ ମୃତ୍ୟୁ ସଂଖ୍ୟ ୪ରେ ପହଞ୍ଚିଛି।

ସେହିପରି କଟକ ଜିଲ୍ଲ ବି କିଛି କମ୍‌ରେ ନାହିଁ। ମୋଟ ୫୨୨ ଆକ୍ରାନ୍ତ ଏହି ଜିଲ୍ଲାରୁ ଚିହ୍ନଟ ହେବା ସହ ମୃତ୍ୟୁ ସଂଖ୍ୟା ୩ରେ ପହଞ୍ଚିଛି। ଏପଟେ ଗଜପତି ଜିଲ୍ଲାରେ ୪୧୧ ଆକ୍ରାନ୍ତ ଚିହ୍ନଟ ହେବା ପ୍ରଶାସନ ପାଇଁ ଚାଲେଞ୍ଜ ବଢ଼ାଇଛି।

ସବୁଠୁ ବଡ଼ କଥା ହେଉଛି କ୍ୱାରେଣ୍ଟାଇନ ସେଣ୍ଟର ବାଦ୍‌ ସ୍ଥାନୀୟ ଅଞ୍ଚଳରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ବିଭିନ୍ନ ବସ୍ତି, ଗାଁରୁ ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ଚିନ୍ତା ବଢ଼ିଛି। ଏହାକୁ ନେଇ ଗୋଷ୍ଠୀ ସଂକ୍ରମଣର ଆଶଙ୍କା କରାଯାଉଛି।

କରୋନା ବେକାବୁ ହେଉଥିବାରୁ ବ୍ରହ୍ମପୁର ସହରକୁ ୪ ଦିନିଆ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି। ସେହିପରି ପାରଳାଖେମୁଣ୍ଡି ସହର, ଗୋଷାଣୀ ଓ ଗୁମ୍ମା ବ୍ଲକ ଏବଂ କାଶୀନଗର ବ୍ଲକର ଗୋଟିଏ ପଞ୍ଚାୟତକୁ ତିନି ଦିନିଆ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି।

ସଂକ୍ରମଣ ବଢ଼ୁଥିବାରୁ ଆସନ୍ତାକାଲିଠୁ ସେରୋଲୋଜିକାଲ ସର୍ଭେ ଆରମ୍ଭ ହେବାକୁ ଯାଉଛି। ପୁରୀରୁ ଏହି ସର୍ଭେ ଆରମ୍ଭ ହେବ। ପରେ କଟକ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି ସମେତ ଅନ୍ୟ ଜିଲ୍ଲାରେ ହେବ। ଗୋଷ୍ଠୀ ସଂକ୍ରମଣ ହୋଇଛି କି ନାହିଁ ତାହା ଏହି ସର୍ଭେରୁ ଜଣାପଡ଼ିବ।

ଏପଟେ ଜୁଲାଇ ମାସରେ କରୋନା ଟେଷ୍ଟିଂ ସଂଖ୍ୟା ବଢ଼ାଇବାକୁ ରାଜ୍ୟ ସରକାର ଯୋଜନା କରୁଛନ୍ତି। ଏଥିପାଇଁ ୫୦ ହଜାର କିଟ୍‌ ଆଣିବାକୁ ସରକାର ଚିଠି ଲେଖିଛନ୍ତି।

ରାଜଧାନୀ ଭୁବନେଶ୍ୱରରେ ବି କରୋନା ଭୟ ବଢ଼ିଛି। ଏଠି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୭୪ ଛୁଇଁଛି। ୧୫ ଦିନରେ ୧୬ ଜଣ ଆକ୍ରାନ୍ତ ଚିହ୍ନଟ ହେବା ବିଏମ୍‌ସି ପାଇଁ ଚାଲେଞ୍ଜ ବଢ଼ାଇଛି। ବିଶେଷକରି ବସ୍ତି ଅଞ୍ଚଳ ଏବଂ ହସ୍ପିଟାଲରୁ ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ସମସ୍ତଙ୍କ ପାଇଁ ସତର୍କତା ଜାରି କରାଯାଇଛି।

ବର୍ତ୍ତମାନସୁଦ୍ଧା ଓଡ଼ିଶାରେ ୬ ହଜାର ୧୮୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୨୧୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Comment