ଓଡ଼ିଶାଲାଇଭ୍ ବ୍ୟୁରୋ

ପଣ୍ଡିତ କୃପାସିନ୍ଧୁ ମିଶ୍ର ଥିଲେ ସତ୍ୟବାଦୀ ଯୁଗର ଜଣେ ଓଡ଼ିଆ ସାହିତ୍ୟିକ, ଐତିହାସିକ ଓ ସମାଜସେବୀ, ଆଦର୍ଶ ଶିକ୍ଷକ। ଓଡ଼ିଆ ସାହିତ୍ୟକୁ ତାଙ୍କର ଅବଦାନ ପାଇଁ ସେ ଚିର ସ୍ମରଣୀୟ।

‘‘ସତ୍ୟବାଦୀ ବନ ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ ପଣ୍ଡିତ କୃପାସିନ୍ଧୁ ମିଶ୍ର। ଦର୍ଶନ ଶାସ୍ତ୍ରରେ ଏମ୍‌ ଏ ପାସ କରିଥିଲେ ସେ। ଏକ ଐତହାସିକ ଦୃଷ୍ଟି ଭଙ୍ଗିରେ ଗୋଟିଏ ଜାତିକୁ ଗଢ଼ି ତୋଳିବା ପାଇଁ ସେ ସତ୍ୟବାଦୀରେ ଶିକ୍ଷକତା କରୁଥିଲେ। ଦୃଢ଼ ଅଧ୍ୟବସାୟ ଫଳରେ ଏହା ସଫଳ ମଧ୍ୟ ହୋଇଥିଲା। ତାଙ୍କ ଲେଖାରେ ମଧ୍ୟ ଜାତୀୟତାବାଦ ଛୁଙ୍କ ବାରି ହୋଇପଡ଼େ’’, କୃପାସିନ୍ଧୁଙ୍କ ଜନ୍ମ ଜୟନ୍ତୀ ଅବସରରେ କହିଛନ୍ତି ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ହରି ହର ମିଶ୍ର।

ଆଜି ସେହି ଯୁଗସ୍ରଷ୍ଟା ମହାନ ସାହିତ୍ୟିକଙ୍କର ଜନ୍ମ ବାର୍ଷିକୀ। ଏହି ଅବସରରେ ତାଙ୍କୁ ସମ୍ମାନ ଜଣାଇବା ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗ ପକ୍ଷରୁ ପ୍ରତିବର୍ଷ ଜନ୍ମ ବାର୍ଷିକୀ ପାଳନ କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଉଛି।

୧୮୮୭ ମସିହା ଜୁନ ୨୭ ତାରିଖ ଦିନ ପୁରୀ ଜିଲ୍ଲାର ସାକ୍ଷୀଗୋପାଳ ବ୍ଳକସ୍ଥିତ ବୀରହରେକୃଷ୍ଣପୁର ଗ୍ରାମର ଏକ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲକୃପାସିନ୍ଧୁ। ବାଲ୍ୟକାଳରୁ ତାଙ୍କର ପିତାଙ୍କର ଦେହାନ୍ତ ଘଟିଥିଲା ଓ ସେ ନିଜ ମାଉସୀ ଘରକୁ ପୋଷ୍ୟ ପୁତ୍ର ହୋଇଯାଇଥିଲେ । ତୁଳସୀ ଦୁଇପତ୍ରରୁ ବାସିଲା ଭଳି ପିଲାବେଳୁ ତାଙ୍କ ଜ୍ଞାନ ଓ ବିଚକ୍ଷଣ ବୁଦ୍ଧିର ପରିଚୟ ମିଳିଥିଲା।

‘‘ଓଡ଼ିଆ ସାହିତ୍ୟ, ସଂସ୍କୃତି ଇତିହାସ କ୍ଷେତ୍ରରେ ପଣ୍ଡିତ କୃପାସିନ୍ଧୁ ମିଶ୍ରଙ୍କର ଅବଦାନ ଥିଲା ଅତୁଳନୀୟ ଓ ଗୁରୁତ୍ୱପୂର୍ଣ୍ଣ। ଓଡ଼ିଶାରେ ଯେଉଁ ପଞ୍ଚସଖାଙ୍କର ଆର୍ବିଭାବ ହୋଇଥିଲା ଓ ଯେଉଁମାନେ ଏକ ନୂତନ ଯୁଗର ଆବିଷ୍କାର କରିଥିଲେ ସେମାନଙ୍କ ଭିତରେ ଜଣେ ଥିଲେ କୃପାସିନ୍ଧୁ ମିଶ୍ର। ସେ ଓଡ଼ିଶା ଇତିହାସରେ ଚିର ଅମ୍ଳାନ ହୋଇ ରହିଛନ୍ତି ଆଗକୁ ରହିବେ ମଧ୍ୟ’’, କହିଛନ୍ତି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ବିଜୟ କୁମାର ନାୟକ।

ଉତ୍କଳ ଇତିହାସ, କୋଣାର୍କ, ବାରବାଟୀ ଦୁର୍ଗର ଇତିହାସ ଲେଖି ନିଜର ଐତିହାସିକ ଓ ଗବେଷକ ଜୀବନ ଓ ଉତ୍କଳ ପ୍ରାଣତାର ସୁସ୍ପଷ୍ଟ ପରିଚୟ ଦେଇଥିଲେ କୃପାସିନ୍ଧୁ ମିଶ୍ର।

‘‘ସତ୍ୟବାଦୀ ଯୁଗର ଅନ୍ୟତମ ସାରସ୍ୱତ ସାଧକ ହେଉଛନ୍ତି ପଣ୍ଡିତ କୃପାସିନ୍ଧୁ ମିଶ୍ର। ସ୍ୱାଭିମାନୀ କୃପାସିନ୍ଧୁ ମିଶ୍ର ଓଡ଼ିଶାର ଲୁପ୍ତ ଇତିହାସ ଓ ସଂସ୍କୃତିକୁ ଆଧାର କରି ବହୁ କାଳଜୟୀ ରଚନା କରିଛନ୍ତି। ସେ ଏ ଜାତିର ସେ ଚିରନମସ୍ୟ’’, କହିଛନ୍ତି ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ସୁଚିସ୍ମିତା ମନ୍ତ୍ରୀ।

‘‘କୃପାସିନ୍ଧୁଙ୍କ ପ୍ରବନ୍ଧରେ ତାଙ୍କର ନିଜସ୍ୱ ଦୃଷ୍ଟିଭଙ୍ଗୀ ଦେଖିବାକୁ ମିଳେ। ସେ ତାଙ୍କ ଲେଖାରେ ଶବ୍ଦର କୌଳିନ୍ୟ ଦେଖାଇଛନ୍ତି। ସାଧୁ ଭାଷାରେ ଗଦ୍ୟ କିପରି ଲେଖା ହୁଏ ତାହା ସେ ଶିଖାଇଛନ୍ତି। ଗଦ୍ୟ ସାହିତ୍ୟ ଯଦି ଅନ୍ୟର ଅନ୍ତରକୁ ନ ଛୁଏଁ ତାହାଲେ ତା’ର ମୂଲ୍ୟ କିଛି ନାହଁ ବୋଲି କହୁଥିଲେ କପୃାସିନ୍ଧୁ ମିଶ୍ର। ତାଙ୍କ ଲେଖାରେ ଥାଏ ଦେଶଭକ୍ତିର ଭାବ। କାରଣ ସେ ଜାଣିଥିଲେ ଦେଶ ଭକ୍ତି ନଥିଲେ କେହି ଭଲ ନାଗରିକ ହୋଇପାରିବ ନାହିଁ’’, କହିଛନ୍ତି ବିଶିଷ୍ଟ ପ୍ରାବନ୍ଧିକ, ସମାଲୋଚକ ପ୍ରଫେସର ବାଉରୀବନ୍ଧୁ କର।

‘‘ଆମ ସାହିତ୍ୟର ସତ୍ୟବାଦୀ ଯୁଗର ବରେଣ୍ୟ ସ୍ରଷ୍ଟା ହେଉଛନ୍ତି ପଣ୍ଡିତ କୃପାସିନ୍ଧୁ ମିଶ୍ର। ସେ ଜଣେ ପ୍ରଖ୍ୟାତ ଗବେଷକ ମଧ୍ୟ। ଛାତ୍ର ଜୀବନରେ ମହୁ ଅସୁବିଧା ଭିତରେ ଗତି କରିଥିଲେ ହେଁ ଦାରିଦ୍ର୍ୟ ତାଙ୍କ ପ୍ରତିଭାକୁ ନାଶ କରିପାରିନଥିଲା।  ନାନା ଘାତ ପ୍ରତିଘାତ ମଧ୍ୟରେ କୋଲକାତାରୁ ସେ ଉଚ୍ଚଶିକ୍ଷା ଲାଭ କରିଥିଲେ। ବହୁ ଉଚ୍ଚ ପଦ ପଦବୀ ଛାଡ଼ି ସେ ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ  ସତ୍ୟବାଦୀରେ ଜଣେ ଶିକ୍ଷକ ଭାବେ ଯୋଗ ଦେଇଥିଲେ’’, କହିଛନ୍ତି ବିଶିଷ୍ଟ ପ୍ରାବନ୍ଧିକ ଓ ସମାଲୋଚକ ଡକ୍ଟର ପ୍ରସନ୍ନ କୁମାର ସ୍ୱାଇଁ ।

୧୯୨୦ ସେପ୍ଟେମ୍ବର ୪ ତାରିଖରେ  କୋଲକାତାଠାରେ ଲାଲ ଲଜପତରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ କଂଗ୍ରେସ ଅଧିବେଶନରେ ଯୋଗ ଦେଇଥିଲେ କୃପାସିନ୍ଧୁ । ୧୯୨୪ରୁ ମୃତ୍ୟୁ ପର୍ଯ୍ୟନ୍ତ ସେ ପୁରୀ ଜିଲ୍ଲା ବୋର୍ଡର ସଭ୍ୟ ଭାବେ କାର୍ଯ୍ୟ କରିବା ସହିତ ଜିଲ୍ଲା ଶିକ୍ଷା କମିଟିରେ ସଭ୍ୟ ଥିଲେ। ୧୯୨୬ ମସିହା ଫେବ୍ରୁଆରି ୧୨ ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା।

Comment