ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗତ ୪୨ ଦିନ ହେବ ଲାଗିଛି ଭାରତ ଚୀନ ସୀମା ବିବାଦ। ପୂର୍ବ ଲଦାଖର ଗଲଓ୍ୱାନ ଭ୍ୟାଲିରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଥମିବାର ନାଁ ନେଉନାହିଁ। ଏହାକୁ ଦୃଷ୍ଟିରେ ରଖି ସୀମାରେ ଭଭୟ ଦେଶ ଏବେ ନିଜର ସେନା ସଂଖ୍ୟା ବଢ଼ାଇ ଦେଇଛନ୍ତି। ତେବେ ଦୁଇ ଦେଶ ମଧ୍ୟରେ ବିବାଦ ପଛରେ କ’ଣ ରହିଛି ମୂଳ କାରଣ, ଆସନ୍ତୁ ଜାଣିବା ଏହି ରିପୋର୍ଟରେ…

ଭାରତ ଚୀନ ବିବାଦ ମଧ୍ୟରେ ଆପଣ ଅନେକ ଥର ଗଲଓ୍ୱାନ ଘାଟିର ନାଁ ଶୁଣିଥିବେ। କୁହାଯାଉଛି ଏହିଠାରୁ ହିଁ ଦୁଇ ଦେଶ ମଧ୍ୟରେ ବିବାଦର ଉତ୍ପତି ହୋଇଛି। ଯାହାଫଳରେ ଦୁଇ ଦେଶ ମଧ୍ୟରେ ବିବାଦ ସଂଘର୍ଷର ରୂପ ନେଇଛି।

ଭାରତ ପାଇଁ କାହିଁକି ଜରୁରୀ ଗଲଓ୍ୱାନ ଭ୍ୟାଲି?

  • ଗଲଓ୍ୱାନ ଘାଟି ଲଦାଖ ଏବଂ ଆକସାଇ ଚିନ୍ ମଧ୍ୟରେ ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ରହିଛି।
  •  ଗଲଓ୍ୱାନ ଘାଟିରେ ପ୍ରକୃତ ନିୟନ୍ତ୍ରଣ ରେଖା ଅକସାଇ ଚୀନକୁ ଭାରତଠାରୁ ପୃଥକ କରେ। ୧୯୬୨ ଯୁଦ୍ଧରେ ଆକସାଇ ଚିନ୍ ଉପରେ ଚୀନ୍ କବ୍‌ଜା କରିଥିଲା।
  • ଚୀନ୍‌ର ଆକ୍ରମଣକୁ ରୋକିବା ପାଇଁ ଭାରତୀୟ ଯବାନମାନେ ମଧ୍ୟ ନିୟମିତ ଭାବେ ଗାଲଓ୍ୱାନ ନଦୀରେ ପାଟ୍ରୋଲିଂ କରନ୍ତି।
  • ଗାଲଓ୍ୱାନ ଘାଟି ଭାରତର ଲଦାଖରୁ ଚୀନର ଦକ୍ଷିଣ ଜିନଜିଆଙ୍ଗ ପର୍ଯ୍ୟନ୍ତ ବ୍ୟାପିଛି। ଏହି ଅଞ୍ଚଳ ଭାରତ ପାଇଁ ସାମରିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ, କାରଣ ଏହା ଉଭୟ ପାକିସ୍ଥାନ ଏବଂ ଚୀନ୍‌ର ଜିନଜିଆଙ୍ଗ ସହିତ ଜଡିତ। ଏଠାରେ ଭାରତର ଉପସ୍ଥିତି ଚୀନର ଚିନ୍ତା ବଢ଼ାଉଛି।

ଭାରତ ଚୀନ ବିବାଦ ପଛରେ କାରଣ କ’ଣ?

ଗଲଓ୍ୱାନ ଅଞ୍ଚଳରେ ଭାରତ ଏକ ରାସ୍ତା ନିର୍ମାଣ କରୁଛି, ଏହାକୁ ରୋକିବା ପାଇଁ ଚୀନ୍ ସୀମାରେ ବାରମ୍ବାର ଉତ୍ତେଜନା ସୃଷ୍ଟି କରୁଛି। କାରଣ ଭାରତ ଯଦି ଏଠାରେ ରାସ୍ତା ନିର୍ମାଣ କରିଦିଏ ତେବେ ଏହା ଭାରତ ଏକ ବଡ଼ ସୁବିଧା ଦେଇପାରେ। ଚୀନ ଉପରେ ନଜର ରଖିବା ଭାରତ ପାଇଁ ସହଜ ହୋଇପାରେ। ଭାରତର ଏହି ନିର୍ମାଣ କାମକୁ ବିରୋଧ କରୁଛି ଚୀନ। ପୂର୍ବରୁ ଚୀନ କିନ୍ତୁ ସୀମାରେ ରାସ୍ତା ନିର୍ମାଣ କରି ନିଜ ସେନାକୁ ମଜବୁତ କରିଛି।

ଜୁନ୍‌ ୧୫ରେ ହୋଇଥିଲା ସଂଘର୍ଷ

ଜୁନ୍‌ ୧୫ ଅଧରାତିରେ ଚୀନ ଓ ଭାରତ ସେନା ମଧ୍ୟରେ ହୋଇଥିଲା ଭୀଷଣ ସଂଘର୍ଷ। ଲୁହା ଛଡ଼, ଢେଲା ପଥରରେ ଭାରତୀୟ ସେନାକୁ ଆକ୍ରମଣ କରିଥିଲା ଚୀନ ସେନା। ଏହି ଘଟଣାରେ ଭାରତର ୨୦ ଯବାନ ସହିଦ ହୋଇଥିଲେ। ଏବେ ମଧ୍ୟ କେତେକ ଆହତ ଯବାନ ଚିକିତ୍ସିତ ହେଉଛନ୍ତି। ଚୀନକୁ ମଧ୍ୟ ଏଥିରେ ବଡ଼ କ୍ଷତି ସହିବାକୁ ପଡ଼ିଥିଲା। ଚୀନର ୪୩ ଜଣ ଯବାନଙ୍କ ମାରି ଗଡ଼ାଇଥିଲେ ଭାରତୀୟ ସେନା।

ଦୁଇ ଦେଶ ମଧ୍ୟରେ ଏହି ଉତ୍ତେଜନା ରୋକିବା ପାଇଁ ବିଭିନ୍ନ ଉଚ୍ଚ ସ୍ତରରେ ଆଲୋଚନା ହେଉଛି। ମାତ୍ର ଏହାର କୌଣସି ଫଳାଫଳ ମିଳୁନାହିଁ।

Comment