ଡ଼ିଶାଲାଇଭ ବ୍ୟୁରୋ

ବାହାଘର ବେଳେ କୋଭିଡ୍‌ ନିୟମ ଉଲ୍ଲଂଘନ କରିବା ମହଙ୍ଗା ପଡ଼ିଛି। ଗଞ୍ଜାମ ଜିଲ୍ଲା ଗୋପାଳପୁରରେ ଏକ ବାହାଘରରେ କୋଭିଡ୍‌ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ବରର ବାପା ଓ ବଡ଼ବାପାଙ୍କୁ ପୋଲିସ ଗିରଫ କରିଛି। ଏହାସହ ବର ଓ କନ୍ୟା ପକ୍ଷରୁ ୫୦ ହଜାର ଟଙ୍କାର ଜରିମାନା କଷିଛି ଜିଲ୍ଲା ପ୍ରଶାସନ। ଗୋପାଳପୁରରେ ଥିବା ହୋଟେଲ ମେ’ ଫେୟାରକୁ ମଧ୍ୟ ଜିଲ୍ଲା ପ୍ରଶାସନ ୭ ଦିନ ପାଇଁ ସିଲ୍‌ କରିଛି।

ଗତକାଲି ଗୋପାଳପୁରରେ ଏକ ବାହାଘର ଅନୁଷ୍ଠିତ ହୋଇଥିଲା। କୋଭିଡ୍‌ ନିୟମ ଭିତରେ ବାହାଘର କରିବା ପାଇଁ ପୋଲିସ ବର ଓ କନ୍ୟା ପକ୍ଷକୁ ଅନମୁତି ଦେଇଥିଲା। ସାମାଜିକ ଦୂରତା ନିୟମ ମାନିବା ସହ ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି ବର ଓ କନ୍ୟା ପକ୍ଷଙ୍କୁ ପୋଲିସ କହିଥିଲା। ହେଲେ ଏହି କଟକଣାକୁ ଫୁ କରିଦେଇଥିଲେ ବରଯାତ୍ରୀ।

ବାଜା ବଜାଇ ପ୍ରୋସେସନରେ ବର ଆସିଥିଲେ। ବରଯାତ୍ରୀମାନେ ମୁହଁରେ ମାସ୍କ ନପିନ୍ଧି ବାଜାର ତାଳେ ତାଳେ ନାଚିଥିଲେ। ବର ବି ଏଥିରୁ ବାଦ୍‌ ପଡ଼ି ନଥିଲେ। ଗାଡ଼ି ଉପରେ ଛିଡ଼ା ହୋଇ ବର ମଧ୍ୟ ନାଚିଥିଲେ। ହେଲେ ବର କିମ୍ବା ବରଯାତ୍ରୀଙ୍କ ମୁହଁରେ ମାସ୍କ ନଥିଲା। କେହି ବି ସାମାଜିକ ଦୂରତା ନିୟମ ମାନି ନଥିଲେ। ପ୍ରୋସେସନ ବେଳର ଭିଡିଓ ଆଜି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଜିଲ୍ଲା ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବରର ବାପା ଓ ବଡ଼ବାପାଙ୍କୁ ଗିରଫ କରିଛି।

Comment