ଓଡିଶାଲାଇଭ୍ ବ୍ୟୁରୋ

କଟକରେ ମଙ୍ଗଳବାରଠାରୁ ଆରମ୍ଭ ହେବାକୁ ଯାଉଛି କରୋନାର ଆଣ୍ଟିଜେନ୍ ଟେଷ୍ଟ। ଆଜିଠାରୁ କଟକର ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲ, ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲ, ଶିଶୁଭବନ ଏବଂ ସିଟି ହସ୍ପିଟାଲରେ ରୋଗୀମାନଙ୍କର ଆଣ୍ଟିଜେନ୍ ଟେଷ୍ଟ ଆରମ୍ଭ ହେବ। ଏହି ପରୀକ୍ଷା ଫଳରେ ଅଧଘଣ୍ଟା ମଧ୍ୟରେ ରୋଗୀଙ୍କର କରୋନା ଷ୍ଟାଟସ୍ ଜଣାପଡିବ।

ବର୍ତ୍ତମାନ କଟକରେ କରୋନା କାୟା ବିସ୍ତାର କରିବାରେ ଲାଗିଛି। ଏସସିବି ମେଡିକାଲ ଓ ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲ ଏବେ କରୋନା ହଟସ୍ପଟ୍ ପାଲଟିଛି। ତେଣୁ ରାଜ୍ୟ ସରକାର କଟକର ସମ୍ପୃକ୍ତ ୪ଟି ପ୍ରମୁଖ ହସ୍ପିଟାଲଗୁଡିକରେ କରୋନା ଆଣ୍ଟିଜେନ୍ ଟେଷ୍ଟ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ହସ୍ପିଟାଲକୁ ଆସୁଥିବା ରୋଗୀମାନେ କରୋନା ସଂକ୍ରମିତ କି ନୁହେଁ, ତାହା ସୁନିଶ୍ଟିତ କରିବା ପାଇଁ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ଏହାଦ୍ଵାରା ହସ୍ପିଟାଲରେ କରୋନା ସଂକ୍ରମଣକୁ ରୋକାଯାଇପାରିବ।

ସଟଡାଉନ୍ ସମୟରେ ନିହାତି ଜରୁରୀ ନ ଥିଲେ ରୋଗୀଙ୍କୁ ଡାକ୍ତରଖାନା ଆସିବା ପାଇଁ ବାରଣ କରାଯାଇଛି। ବିଶେଷକରି ରାଜ୍ୟର କରୋନା ହଟସ୍ପଟ୍ ପାଲଟିଥିବା ଗଞ୍ଜାମ ଜିଲ୍ଲାରୁ ରୋଗୀଙ୍କ ଆସିବା ଉପରେ କଟକଣା ଜାରି କରାଯାଇଛି।

ନିହାତି ଜରୁରୀ କ୍ଷେତ୍ରରେ କାଜୁଆଲିଟିରେ ରୋଗୀଙ୍କର ସ୍କ୍ରିନିଂ କରାଯିବ। ରିପୋର୍ଟ ଆସିବା ପରେ ପରବର୍ତ୍ତୀ ଚିକିତ୍ସା, ଅସ୍ତ୍ରୋପଚାର ଆଦି କରାଯିବ। କିନ୍ତୁ ବିନା କୋଭିଡ୍ ପରୀକ୍ଷାରେ ଅସ୍ତ୍ରୋପଚାର କରାଯିବନାହିଁ।

ହସ୍ପିଟାଲକୁ ଆସୁଥିବା ସନ୍ଦିଗ୍ଧ ରୋଗୀ, ହଟସ୍ପଟ୍ ଜିଲ୍ଲା କିମ୍ବା କଣ୍ଟେନମେଣ୍ଟ ଜୋନର ରୋଗୀଙ୍କୁ ପ୍ରଥମେ ଆଇସୋଲେସନ ଓ୍ଵାର୍ଡରେ ରଖାଯିବ। ସେମାନଙ୍କ କୋଭିଡ୍ ଟେଷ୍ଟ ରିପୋର୍ଟ ଆସିବା ପରେ ଓ୍ଵାର୍ଡକୁ ସ୍ଥାନାନ୍ତରଣ କରାଯିବ।

Comment