ଓଡ଼ିଶାଲାଇଭ୍ ବ୍ୟୁରୋ

ଜୁଲାଇ ୩ରେ କାନପୁରରେ ଘଟିଥିଲା ଏକ ଅମାନବୀୟ କାଣ୍ଡ। କୁଖ୍ୟାତ ଅପରାଧୀ ବିକାଶ ଦୁବେର ଗୁଳିରେ ୮ ଜଣ ପୋଲିସଙ୍କର ଜୀବନ ଯାଇଥିଲା। ଏଭଳି ଏକ ଘଟଣା ଘଟାଇ ଫେରାର ହୋଇଯାଇଛି ବିକାଶ ଦୁବେ। ଘଟଣାର ୫ ଦିନ ବିତିଥିଲେ ବି ପୋଲିସ ହାତରେ କୌଣସି ସୁରାକ ଲାଗି ନାହିଁ। ଗ୍ୟାଙ୍ଗଷ୍ଟାର ବିକାଶ ଦୁବେକୁ ଖୋଜିବା ପାଇଁ ନେପାଳରୁ ଚାମ୍ବଲ ପର୍ଯ୍ୟନ୍ତ ପୋଲିସ ନଜର ରଖିଛି। କାନୁପରରେ ଥିବା ବିକାଶର ଘରକୁ ମଧ୍ୟ ଜେସିବିରେ ଭଙ୍ଗାଯାଇଛି।

ସବୁଠାରୁ ବଡ଼ ପ୍ରଶ୍ନ ଯେ ଏତେ ବଡ଼ ଅପରାଧ ଘଟାଇ ବିକାଶ ଗଲା କୁଆଡେ? ଉତ୍ତରପ୍ରଦେଶ ପୋଲିସ ଏବେ ବିକାଶକୁ ଖୋଜି ବାହାର କରିବାରେ ଜୁଟିଛି। ପୋଲିସ ପାଇଁ ଏହା ବହୁତ କଷ୍ଟ। କାରଣ ବିକାଶ ସହିତ କିଛି ପୋଲିସ ମଧ୍ୟ ସାମିଲ ଥିବା ଅନୁମାନ କରାଯାଉଛି।

ବିକାଶ ଦୁବେର ମୁଣ୍ଡ ଉପରେ ଅଢେଇ ଲକ୍ଷ ଟଙ୍କା ପୁରଷ୍କାର ଘୋଷଣା କରିବା ସହିତ ସ୍ଥାନେ ସ୍ଥାନେ ଫଟୋ ଲଗାଇଛି ୟୁପି ପୋଲିସ୍‌।

ବିକାଶ ଦୁବେର ଅପରାଧ ପ୍ରମାଣ ଖୋଜିବା ପାଇଁ ପୋଲିସ ଲାଗି ପଡ଼ିଛି। ଫତେହପୁରର ଏକ ଗ୍ରାମରୁ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଏଥିସହିତ ପୋଲିସ ବିକାଶ ଦୁବେଙ୍କ ଚାକରାଣୀ ଏବଂ ଦୁଇ ସମ୍ପର୍କୀୟଙ୍କୁ ମଧ୍ୟ ପଚରାଉଚରା କରୁଛି। ଅପରାଧୀକୁ ଧରିବା ପାଇଁ ପୋଲିସର ନିଦ ହଜି ଯାଇଛି।

ଗୁରୁବାର ମୋଷ୍ଟଓ୍ଵାଣ୍ଟେଡ ଅପରାଧୀ ବିକାଶ ଦୁବେକୁ ଗିରଫ କରିବା ପାଇଁ ଚୌବେପୁର ଥାନା ପୋଲିସ ବିକରୁ ଗାଁରେ ପହଞ୍ଚିଥିଲା। କିନ୍ତୁ ସେଠାରେ ବିକାଶ ଓ ତା’ର ସହଯୋଗୀମାନେ ପୋଲିସ ଉପରେ ପାଲଟା ଗୁଳିମାଡ଼ କରିଥିଲେ। ଏଥିରେ ପୋଲିସ ଟିମର ନେତୃତ୍ଵ ନେଉଥିବା ଡେପୁଟି ଏସପି ଦେବେନ୍ଦ୍ର କୁମାର ମିଶ୍ରଙ୍କ ସମେତ ୮ ଜଣ ପୋଲିସ କର୍ମଚାରୀ ସହିଦ ହୋଇଥିଲେ।

Comment