ଓଡ଼ିଶାଲାଇଭ୍ ବ୍ୟୁରୋ

ହାଥରସ ଗଣଦୁଷ୍କର୍ମ ପୀଡ଼ିତାଙ୍କ ପରିବାରକୁ ଭେଟିବାକୁ ଯାଉଥିବାବେଳେ ତୃଣମୂଳ କଂଗ୍ରେସ ଦଳର ସାଂସଦ ଡେରିକ୍ ଓ ବ୍ରାଏନଙ୍କ ସହ ମୁହାଁମୁହିଁ ହୋଇଛି ଉତ୍ତରପ୍ରଦେଶ ପୋଲିସ୍। ଟିଏମସି ସମର୍ଥକ ଓ ପୋଲିସ କର୍ମୀଙ୍କ ଭିତରେ ଠେଲାପେଲା ହୋଇଥିବା ସୂଚନା ମିଳିଛି। ଏଥିରେ ସାଂସଦ ଡେରିକ୍ ଓ ବ୍ରାଏନ୍ ତଳେ ପଡ଼ିଯାଇଥିବା ମଧ୍ୟ ଦେଖିବାକୁ ମିଳିଛି।

ଉତ୍ତରପ୍ରଦେଶର ହାଥରସରେ ଘଟିଥିବା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ଏବେ ସାରା ଦେଶରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ଏହାକୁ ନେଇ ରାଜନୈତିକ ବୟାନବାଜି ମଧ୍ୟ ଆରମ୍ଭ ହୋଇଯାଇଛି।ଗତକାଲି ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ପୀଡ଼ିତାଙ୍କ ପରିବାରକୁ ଭେଟିବାକୁ ହାଥରସ୍ ଯାଉଥିବାବେଳେ ପୋଲିସ୍ ତାଙ୍କୁ ମଧ୍ୟ ଅଟକାଇଥିଲା। ଫଳରେ କଂଗ୍ରେସ କର୍ମୀ ଓ ପୋଲିସ୍ ହାତାହାତି ହୋଇଥିଲେ। ଏଥିରେ ରାହୁଲ ଗାନ୍ଧୀ ତଳେ ପଡ଼ିଯିବା ସହ ତାଙ୍କ ଉପରେ ପୋଲିସ୍ ଲାଠିଚାର୍ଜ କରିଥିବା ଅଭିଯୋଗ ହୋଇଥିଲା। ଗତକାଲିର ଘଟଣା ପରେ ଆଜି ସେହି ସମାନ ଘଟଣା ଟିଏମସି ସାଂସଦଙ୍କ ସହ ଘଟିଛି। ତାଙ୍କୁ ମଧ୍ୟ ହାଥରସ ପୀଡ଼ିତାଙ୍କ ପରିବାରକୁ ଭେଟିବାକୁ ଅନୁମତି ଦିଆଯାଇନାହିଁ।

ଅନ୍ୟପଟେ ହାଥରସ ପୀଡ଼ିତାଙ୍କ ବାପାଙ୍କ କହିବାନୁଯାୟୀ, ସରକାରୀ ଅଧିକାରୀମାନେ ତାଙ୍କ ଉପରେ ବୟାନ ବଦଳାଇବାକୁ ନେଇ ଚାପ ପ୍ରୟୋଗ କରୁଛନ୍ତି। ତେଣୁ ସେ ଏହି ମାମଲାର ସିବିଆଇ ତଦନ୍ତ ଦାବି କରିଛନ୍ତି।

Comment