ଓଡ଼ିଶାଲାଇଭ୍ ବ୍ୟୁରୋ

ହାଥରସ୍ ଘଟଣା ପ୍ରତିବାଦରେ ଗାନ୍ଧୀ ଜୟନ୍ତୀ ଦିନ ଗାନ୍ଧୀଙ୍କ ବେଶ ଧରି ଯୁବ କଂଗ୍ରେସର ସଦସ୍ୟମାନେ ଦିଲ୍ଲୀରେ ଧାରଣା ଦେଇଛନ୍ତି।

ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ। ଜାତିର ପିତା ମହାତ୍ମା ଗାନ୍ଧୀ ଏକଦା ଯାହା କହିଥିଲେ ତାହାର ମର୍ମ ଥିଲା ଏହିପରି ‘ଯେଉଁଦିନ ଜଣେ ମହିଳା ମଧ୍ୟରାତ୍ରିରେ ସହର ରାସ୍ତାରେ ନିରାପଦରେ ଚଳପ୍ରଚଳ କରିପାରିବ, ସେହିଦିନ ହିଁ ଦେଶକୁ ପ୍ରକୃତ ସ୍ୱାଧୀନତା ମିଳିବ ବୋଲି ଜାଣିବା।’ କିନ୍ତୁ ଦୁର୍ଭାଗ୍ୟ ଉତ୍ତରପ୍ରଦେଶରେ ହାଥରସ୍‌ରେ ଯେଉଁଭଳି ଗଣଦୁଷ୍କର୍ମ ଓ ପାଶବିକ ଅତ୍ୟାଚାର ଘଟିଲା, ସେଥିରେ ନାରୀ ଅସୁରକ୍ଷିତ ହୋଇପଡ଼ିଛି।

ତେଣୁ ଗାନ୍ଧୀ ଜୟନ୍ତୀରେ ମହିଳାଙ୍କ ପ୍ରତି ନିର୍ଯାତନା ଓ ଦୁଷ୍କର୍ମ ପ୍ରତିବାଦରେ ଗାନ୍ଧୀ ବେଶ ଧରି ଶୁକ୍ରବାର ରାସ୍ତାକୁ ଓହ୍ଲାଇଥିଲା ଦିଲ୍ଲୀର ଯୁବ କଂଗ୍ରେସ। ହାତରେ ପ୍ଲାକାର୍ଡ଼, କ୍ୟାଣ୍ଡେଲ ଧରି ସମୂହ ଗାନ୍ଧୀବେଶରେ ଯୁବ କଂଗ୍ରେସର ସଦସ୍ୟମାନେ ଶୋଭାଯାତ୍ରା କରିବା ସହ ଜନ୍ତରମନ୍ତରଠାରେ ଧାରଣା ଦେଇଥିଲେ।

ହାଥରସ୍ ଗଣଦୁଷ୍କର୍ମ ମାମଲାରେ ପୀଡ଼ିତାଙ୍କୁ ନ୍ୟାୟ ଦେବା ପାଇଁ ଦେଶବ୍ୟାପୀ ସ୍ୱର ତୀବ୍ର ହେବାରେ ଲାଗିଛି। ଏନେଇ ଶୁକ୍ରବାର ବିଭିନ୍ନ ରାଜନୈତିକ ଦଳ ବିକ୍ଷୋଭ ଧାରଣା ଦେଇଛନ୍ତି। ଦିଲ୍ଲୀର ଜନ୍ତରମନ୍ତର ପଡ଼ିଆରେ ଶହ ଶହ ବିକ୍ଷୋଭକାରୀ ଧାରଣାରେ ସାମିଲ ହୋଇଛନ୍ତି। ବିଭିନ୍ନ ରାଜନୈତିକ ଦଳ ଭିତରେ କଂଗ୍ରେସ, ଆମ୍ ଆଦ୍‌ମୀ ପାର୍ଟି, ବାମଦଳ ନେତା, ସାମାଜିକ କର୍ମୀ, ଛାତ୍ରଛାତ୍ରୀ ସେଠାରେ ଯୋଗଦେଇ ଶୁକ୍ରବାରେ ସନ୍ଧ୍ୟାରେ ପ୍ରତିବାଦ ସମାବେଶକୁ ତୀବ୍ର କରିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ, ସିପିଏମ୍ ନେତା ବ୍ରିନ୍ଦା କାରାତ, ଭୀମ୍ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦ ଧାରଣାସ୍ଥଳରେ ରହିଛନ୍ତି।

Comment