ଓଡ଼ିଶାଲାଇଭ୍ ବ୍ୟୁରୋ

(ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କ ବଦଳି ନେଇ ଜନ ଅସନ୍ତୋଷ ତେଜିବାରେ ଲାଗିଛି। ଏଥିପାଇଁ ବୁଧବାର ତେନ୍ତୁଳିଖୁଣ୍ଟି ମାନବ ସେବା ଗ୍ରୁପର ମୁଖ୍ୟ ଅଖିଳ ଭତରାଙ୍କ ନେତୃତ୍ୱରେ ଗ୍ରାମବାସୀମାନେ ମେଡିକାଲ ଅଫିସରଙ୍କୁ ଘେରାଉ କରି ଡାକ୍ତରଙ୍କ ବଦଳି ଆଦେଶ ବାତିଲ କରିବା ପାଇଁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଯଦି ତାଙ୍କ ବଦଳି ନିର୍ଦ୍ଦେଶକୁ ବାତିଲ ନ କରାଯାଏ ତେବେ ଅନିର୍ଦ୍ଧିଷ୍ଟ ସମୟ ପାଇଁ ଧାରଣା ଦିଆଯିବା ନେଇ ଚେତାବନୀ ଦିଆଯାଇଛି।

ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ମେଡିକାଲ ଅଫିସରଙ୍କ ସମେତ ତିନିଜଣ ଡାକ୍ତର କାର୍ଯ୍ୟ କରୁଛନ୍ତି। ମେଡିକାଲ ଅଫିସର କାର୍ଯ୍ୟାଳୟ ସମ୍ଭାଳୁ ଥବାରୁ ଅନ୍ୟ ତିନିଜଣ ଡାକ୍ତର ଶାନ୍ତି ସ୍ୱରୂପ ପଟ୍ଟନାୟକ, ଡାକ୍ତର କବି ପୀର ପ୍ରସାଦ ଶତପଥି, ଡାକ୍ତର ସଚିକାନ୍ତ ଲେଙ୍କା ପ୍ରମୁଖ ରୋଗୀ ସେବା ତୁଲାଉଛନ୍ତି।ବର୍ତ୍ତମାନ ସ୍ଵାସ୍ଥ୍ୟକେନ୍ଦ୍ରରେ ଶିଶୁ ବିଶେଷଜ୍ଞ, ଦାନ୍ତ ବିଶେଷଜ୍ଞ, ସ୍ତ୍ରୀ ବିଶେଷଜ୍ଞ ପଦବୀ ଆଦି ଖାଲି ପଡିଛି। ଏପରି ପରିସ୍ଥିତିରେ ଜଣେ ଡାକ୍ତରଙ୍କଉ ତେନ୍ତୁଳିଖୁଣ୍ଟାରୁ ଉମରକୋଟ ବଦଳି କରାଯିବାକୁ ଗ୍ରାମବାସୀମାନେ ବିରୋଧ କରିଛନ୍ତି। ବଦଳି ହୋଇଥିବା ଡାକ୍ତର ଜଣକ ହେଉଛନ୍ତି ଶାନ୍ତି ସ୍ୱରୂପ ପଟ୍ଟନାୟକ। ସେ ଜଣେ କର୍ତ୍ତବ୍ୟନିଷ୍ଠ ଡାକ୍ତର ସହ ରୋଗୀମାନଙ୍କ ସମସ୍ତ ସୁବିଧା ଅସୁବିଧାରେ ସାହା ହେଉଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ତେଣୁ ତାଙ୍କର ଏପରି ଅନ୍ୟତ୍ର ବଦଳିକୁ ସାଧାରଣରେ ଗ୍ରହଣ କରାଯାଇ ପାରୁନଥିବା ସୂଚନା ମିଳିଛି।

ସେହିପରି ଗତ ଏପ୍ରିଲ ମାସରୁ ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଏକ ଶବ ବାହକ ଗାଡି ଯୋଗାଇଦେବା ନେଇ ଚିଠି ହୋଇଥିଲେ ହେଁ ଆଜି ପର୍ଯ୍ୟନ୍ତ ତାହା ଆସିପାରିନଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ତେଣୁ ଉଭୟ ଡାକ୍ତରଙ୍କ ବଦଳି ବାତିଲ କରିବା ସହ ଶବ ବାହକ ଗାଡି ଯୋଗାଇ ଦେବାକୁ ଗ୍ରାମବାସୀମାନେ ମେଡିକାଲ ଅଫିସରଙ୍କୁ ଦାବି କରିଛନ୍ତି।

Comment