ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜୁନ୍‌ ୧୩ରୁ ଜୁଲାଇ ୧୩। ମାସକ ଭିତରେ ଜଟିଳ ହେଲାଣି କରୋନା ସ୍ଥିତି।

ଓଡ଼ିଶାରେ କରୋନା ସ୍ଥିତି ଅଣାୟତ୍ତ ହେଲାଣି। କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢ଼ି ଚାଲିଥିବାରୁ ଭୟ ବଢ଼ି ଚାଲିଛି। ଗୋଟିଏ ମାସ ଭିତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରାଜ୍ୟରେ ୧୦ ହଜାର ଟପିଥିବା ବେଳେ ମୃତ୍ୟୁ ସଂଖ୍ୟା ୬୦ରେ ପହଞ୍ଚିଛି।

ଜୁନ୍‌ ୧୩ ତାରିଖରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ୭୩୨ ଥିଲା। ଜୁଲାଇ ୧୩ ବେଳକୁ ୧୦ ହଜାର ବଢ଼ି ଆକ୍ରାନ୍ତଙ୍କ ସଂଖ୍ୟା ୧୩ ହଜାର ୭୩୭ରେ ପହଞ୍ଚିଛି। ସେହିପରି ଜୁନ ୧୩ରେ ମୃତ୍ୟୁ ସଂଖ୍ୟା ୧୦ରେ ଥିବା ବେଳେ ଜୁଲାଇ ୧୩ ବେଳକୁ ଏହା ୭୦ରେ ପହଞ୍ଚିଛି। କେବଳ ଗଞ୍ଜାମ ଜିଲ୍ଲାରୁ ୪୩ ଜଣଙ୍କ ମୃତ୍ୟୁ ହୋଇଛି।

ମାର୍ଚ୍ଚ ୧୫ରେ କରୋନା ଓଡ଼ିଶାରେ ପାଦ ଦେଇଥିଲା। ମାର୍ଚ୍ଚ ୧୭ ବେଳକୁ ଦୁଇ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ହେଲେ ଏହାପରେ କରୋନା ଗ୍ରାଫ୍‌ ବଢ଼ି ଚାଲିଲା। ଏପ୍ରିଲ ୧୩ରେ ୫୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମେ’ ୧୩ରେ ୫୩୮, ଜୁନ୍‌ ୧୩ରେ ୩ ହଜାର ୭୩୨ ଏବଂ ଜୁଲାଇ ୧୩ରେ ୧୩ ହଜାର ୭୩୭ ଚିହ୍ନଟ ହୋଇଛନ୍ତି। ଆଜି ୬୧୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୨୦୧ ସ୍ଥାନୀୟ ସଂକ୍ରମଣ।

ସେହିପରି ମୃତ୍ୟୁ ସଂଖ୍ୟା ବି ବଢ଼ି ଚାଲିଛି। ଏପ୍ରିଲ ୧୩ରେ କରୋନା ଜଣଙ୍କର ଜୀବନ ନେଇଥିବା ବେଳେ ମେ’ ୧୩ ବେଳକୁ ୩, ଜୁନ୍‌ ୧୩ରେ ୧୦ ଏବଂ ଜୁଲାଇ ୧୩ରେ ଏହା ୭୦ରେ ପହଞ୍ଚିଛି।

CGU newଜୁଲାଇ ମାସରେ ସ୍ଥାନୀୟ ସଂକ୍ରମଣ ସଂଖ୍ୟା ବି କିଛି କମ୍‌ ନାହିଁ। ଜୁଲାଇ ୩ରେ ୧୪୦ ସ୍ଥାନୀୟ ସଂକ୍ରମଣ ଚିହ୍ନଟ ହୋଇଥିବା ବେଳେ ୪ରେ ୧୫୨, ୫ରେ ୧୪୭, ୬ରେ ୧୬୮, ୭ରେ ୧୮୯, ୮ରେ ୧୬୧, ୯ରେ ୨୪୭, ୧୦ରେ ୧୮୬, ୧୧ରେ ୨୦୧ ଏବଂ ୧୨ରେ ୨୦୧ ଆକ୍ରାନ୍ତ ଚିହ୍ନଟ ହେବା ଚିନ୍ତାର ବିଷୟ ପାଲଟିଛି।

୩ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ଅଙ୍କ ଟପିଛି। ଗଞ୍ଜାମରେ ସର୍ବାଧିକ ୪ ହଜାର ୧୪୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରେ ୧୩୩୬, କଟକରେ ୧୦୨୧ ଚିହ୍ନଟ ହୋଇଛନ୍ତି। କଟକ ଜିଲ୍ଲାରୁ ଆଜି ୨୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସହରରୁ ୧୬ ଜଣ ଚିହ୍ନଟ ହୋଇଛନ୍ତି। ଗତ ସପ୍ତାହେ ଧରି କଟକ ସହର ସଟ୍‌ଡାଉନ୍‌ ରହିଥିଲା। ଆଜି କଟକଣା ପ୍ରତ୍ୟାହାର କରାଯାଇଛି। ହେଲେ କଟକରେ ସ୍ଥିତି ସୁଧୁରିଥିବା ଭଳି ମନେହେଉନି।

ଏପଟେ କଟକ ଜିଲ୍ଲା ବାଙ୍କୀରେ ଜଣେ ଡାକ୍ତରଙ୍କ ପୁଅ କରୋନା ଚିହ୍ନଟ ହେବା ପରେ ମେଡିକାଲ ଓପିଡିକୁ ୨୪ ଘଣ୍ଟା ପାଇଁ ବନ୍ଦ କରାଯାଇଛି। ୬ ଜଣ ଡାକ୍ତରଙ୍କୁ କ୍ୱାରେଣ୍ଟାଇନରେ ପଠାଯାଇଛି। ସେହିପରି ଗଞ୍ଜାମରେ ସ୍ଥିତି ସୁଧୁରୁ ନଥିବାରୁ ବ୍ରହ୍ମପୁର ସହରକୁ ସିଲ୍‌ କରାଯାଇଛି। ବାହାର କେହି ଆସିପାରିବେନି କି ସହରରୁ କେହି ସୀମା ଡେଇଁ ଯାଇପାରିବେ ନାହିଁ ବୋଲି ମହାନଗର ନିଗମ କଟକଣା ଜାରି କରିଛି। ବିଶେଷକରି ଜୁଲାଇ ମାସରେ ସ୍ଥିତି ଅଣାୟତ୍ତ ହୋଇଥିବାରୁ ଚିନ୍ତା ବଢ଼ିଛି।

Comment