ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮ ହଜାର ଟପିଲା
  • ମୃତ୍ୟୁ ସଂଖ୍ୟା ୯୭ ଛୁଇଁଲା
  • କେବଳ ଗଞ୍ଜାମ ଜିଲ୍ଲାରେ ୫୯ ଜଣଙ୍କ ମୃତ୍ୟୁ
  • ଆସନ୍ତାକାଲିଠୁ ଗଞ୍ଜାମରେ ପ୍ଲାଜମା ଥେରାପି

ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି। ଦିନକୁ ଦିନ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢ଼ି ଚାଲିଛି। ମୃତ୍ୟୁ ସଂଖ୍ୟା ଏବେ ୧୦୦ ମୁହାଁ ହୋଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧୮ ହଜାର ଟପିଲାଣି। ତେବେ ଏସବୁ ଭିତରେ ଜୁଲାଇ ମାସ ଚିନ୍ତା ବଢ଼ାଇଛି।

ଜୁଲାଇ ମାସର ଗତ ୨୦ ଦିନ ଭିତରେ କରୋନା ମହାମାରୀ ୭୨ ଜଣଙ୍କ ଜୀବନ ନେଇଛି। ଆଜି ମଧ୍ୟ ୬ ଜଣଙ୍କ ଜୀବନ ଯାଇଛି। କେବଳ ଗଞ୍ଜାମ ଜିଲ୍ଲାରୁ ୫ ଜଣଙ୍କ ମୃତ୍ୟୁ ହୋଇଥିବା ସରକାର ସୂଚନା ଦେଇଛନ୍ତି।

ସେହିପରି ଆକ୍ରାନ୍ତଙ୍କ ସଂଖ୍ୟାରେ ବି ଲଗାମ ନାହିଁ। ଜୁଲାଇ ମାସର ଗତ ୨୦ ଦିନ ଭିତରେ ୧୧ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୧୮ ହଜାର ଟପିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ଲାଜମା ଥେରାପି ଆରମ୍ଭ କରିଛନ୍ତି। ଆଜି ଏନଡିଆର୍‌ଏଫ୍‌ ଯବାନ କଟକ ଏସ୍‌ସିବିରେ ପ୍ଲାଜମା ଦାନ କରିଛନ୍ତି। ଆସନ୍ତାକାଲିଠୁ ଗଞ୍ଜାମ ଜିଲ୍ଲା ପ୍ଲାଜମା ଥେରାପି ଆରମ୍ଭ କରାଯିବ।

କରୋନା ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ୪ଟି ଜିଲ୍ଲା ଏବଂ ରାଉରକେଲା ମହାନଗରକୁ ଜୁଲାଇ ୩୧ ଯାଏଁ ଲକ୍‌ଡାଉନ୍‌ କରିଛନ୍ତି। ଲକ୍‌ଡାଉନ୍‌ ଆଜି ତୃତୀୟ ଦିନରେ ପହଞ୍ଚିଛି। ସକାଳ ୬ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଗ୍ରୋସରୀ ଓ ପରିବା ଦୋକାନ ଖୋଲା ରହୁଥିବା ବେଳେ ଅନ୍ୟସବୁ ଦୋକାନ ବନ୍ଦ ରହୁଛି।

CGU newଏହି ୪ଟି ଜିଲ୍ଲା ପରେ ବିଭିନ୍ନ ସ୍ଥାନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଲକ୍‌ଡାଉନ୍‌ ଏବଂ ସଟ୍‌ଡାଉନ୍‌ ଲାଗୁ କରାଯାଇଛି। ନବରଙ୍ଗପୁର ଜିଲ୍ଲା ୨ ଦିନିଆ ସଟ୍‌ଡାଉନ୍‌ ଘୋଷଣା କରାଯାଇଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ପଞ୍ଚାୟତ ୩୧ ଯାଏଁ ବନ୍ଦ ରହିଛି। ସେହିପରି କୋରାପୁଟର ବିଭିନ୍ନ ସ୍ଥାନକୁ ଲକ୍‌ଡାଉନ୍‌ କରିବା ସହ ଧାମନଗର ଏନଏସି ଓ ବରାଲେଶ୍ୱର ଜିଲ୍ଲା ଜଳେଶ୍ୱର ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଭିସୁଟ୍‌ ଏବଂ ସମ୍ବଲପୁର ବିଶ୍ୱବିଦ୍ୟାଳୟ ବି ୩୧ ଯାଏଁ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି।

ଗଞ୍ଜାମରେ ବି କରୋନା ସ୍ଥିତି ନିୟନ୍ତ୍ରଣ ବାହାରେ। ଆଜି ଏହି ଜିଲ୍ଲାରୁ ୨୩୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ୭୬୬ରେ ପହଞ୍ଚିଛି।

Comment