ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗୋଟିଏ ପରିବାରର ୫ ସଦସ୍ୟ ଏବଂ ତାଙ୍କ ସହ ସମ୍ପର୍କରେ ଆସିଥିବା ଆଉ ଜଣେ ବ୍ୟକ୍ତି କରୋନା ଆକ୍ରାନ୍ତ ଚିହ୍ନଟ। ୧୪ ଓ ୧୬ ନମ୍ବର ୱାର୍ଡର ଆଂଶିକ ଅଞ୍ଚଳ ୭ ଦିନ ସଟଡାଉନ୍।

କରୋନା ପାଇଁ ସାମାନ୍ୟ ଅବହେଳା ଯେ ଘାତକ ହୋଇପାରେ, ଏହାର ଏକ ସଦ୍ୟ ଘଟଣା ସତର୍କ କରାଇଦେଇଛି କେନ୍ଦ୍ରାପଡା ସହରରେ। ସହରର ୧୬ ନମ୍ବର ୱାର୍ଡରେ ଥିବା ଜଣେ ହୋଟେଲ ମାଲିକଙ୍କ ପରିବାରରେ ଏପରି ଘଟଣା ଘଟିଛି। ପରିବାରର ଜଣେ ସଦସ୍ୟ ନିକଟରେ ଦିଲ୍ଲୀରୁ ଫେରି ହୋମ୍ କ୍ୱାରେଣ୍ଟାଇନରେ ରହିବାକୁ କହି ପରିବାର ଲୋକଙ୍କ ସହିତ ମିଳାମିଶା କରିଥିବାରୁ ଏବେ ପରିବାରରେ ୬ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ପରିବାରର ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି। ଏହାକୁ କରୋନା ଜନିତ ବୋଲି ସନ୍ଦେହ କରାଯାଉଛି।

ଗତ ୧୦ ତାରିଖରେ କେନ୍ଦ୍ରାପଡା ସହରର ବଡହାଟ ଅଞ୍ଚଳର ଜଣେ ହୋଟେଲ ମାଲିକଙ୍କ ପୁଅ ଦିଲ୍ଲୀରୁ ଫେରିଥିଲେ। ସେ ହୋମ୍ କ୍ୱାରେଣ୍ଟାଇନରେ ରହିଥିଲେ। ତାଙ୍କର କାଶ ଓ ଛିଙ୍କ ଆଦି ଲକ୍ଷଣ ଥିଲେ ମଧ୍ୟ ସେ କାହାରିକୁ ଜଣାଇ ନଥିଲେ। ସେ ଖୁଲମଖୁଲା ତାଙ୍କ ପରିବାର ସହିତ ମିଳାମିଶା କରିଥିବାର ଅଭିଯୋଗ ହୋଇଛି। ଗତକାଲି ହଠାତ୍ ତାଙ୍କର ମା’ ଙ୍କର ମୃତ୍ୟୁ ହେବାରୁ ଜିଲ୍ଲା ପ୍ରଶାସନର ସନ୍ଦେହଘେରକୁ ଆସିଥିଲା ଏହି ପରିବାର।

CGU newଏହାପରେ ପ୍ରଶାସନ ଖୋଳତାଡ଼ କରିଥିଲା। ଆଜି ଏହି ପରିବାରର ୧୫ ଜଣଙ୍କ ଆଣ୍ଟିଜେନ୍ ପରୀକ୍ଷା ହେବାପରେ ପରିବାରର ୫ଜଣ ଓ ତାଙ୍କ ପରିବାର ସହିତ ମିଳାମିଶା କରୁଥିବା ଜଣଙ୍କୁ ମିଶାଇ ୬ ଜଣ ପଜିଟିଭ୍ ମିଳିଛନ୍ତି। ଗତକାଲି ହୋଟେଲ ମାଲିକଙ୍କ ପତ୍ନୀଙ୍କର ମୃତ୍ୟୁ ହୋଇଥିଲା। ଏହି ମହିଳାଙ୍କର କୋଭିଡ ପରୀକ୍ଷା ହୋଇନଥିବା ବେଳେ ତାଙ୍କର ମୃତ୍ୟୁ କରୋନା ଯୋଗୁଁ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି। ଏବେ ୩ ପୁଅ, ଜଣେ ବୋହୂ ଓ ନିଜେ ହୋଟେଲ ମାଲିକ ପଜିଟିଭ ଚିହ୍ନଟ ହୋଇଛନ୍ତି। ତାଙ୍କ ପରିବାର ସହିତ ମିଳାମିଶା କରିଥିବା ଆଉଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି। ଜିଲ୍ଲା ପ୍ରଶାସନ ଏମାନଙ୍କୁ ଛତା କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରିଛନ୍ତି।

ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡା ସହରର ବଡହାଟସ୍ଥିତ ମର୍ଦ୍ଦରାଜ ଅଳଙ୍କାରଠାରୁ ସାବିତ୍ରୀ ମେଡିସିନ୍ ଷ୍ଟୋର ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇ ସଟଡାଉନ୍ କରାଯାଇଛି। ଏହି ସଟଡାଉନ୍ ଆସନ୍ତା ୭ ଦିନ ପାଇଁ ବଳବତ୍ତର ରହିବ ବୋଲି କେନ୍ଦ୍ରାପଡା ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଏହି ଅଞ୍ଚଳ ମଧ୍ୟରେ ୪୨ଟି ପରିବାର ଅଛନ୍ତି। ଆଜି ଜିଲ୍ଲା ପ୍ରଶାସନ ଏହି ଅଞ୍ଚଳକୁ ବିଶୋଧନ କରିବା ସହିତ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ କରିଛି।

ସଟଡାଉନ୍ ସମୟରେ ଏହି ଅଞ୍ଚଳ ମଧ୍ୟରୁ କେହି ବାହାରକୁ ଯାଇ ପାରିବେନି କି ଏହି ଅଞ୍ଚଳ ମଧ୍ୟକୁ କେହି ପ୍ରବେଶ କରିବା ଉପରେ ପ୍ରତିବନ୍ଧକ ଲାଗିଛି। ଏହି ଅଞ୍ଚଳ ମଧ୍ୟରେ ରହୁଥିବା ଲୋକମାନଙ୍କ ପାଇଁ ଅତ୍ୟାବଶ୍ୟକ ଜିନିଷଗୁଡିକର ଯୋଗାଣ ବ୍ୟବସ୍ଥା କରିଛି ପ୍ରଶାସନ।

Comment