ଓଡ଼ିଶାଲାଇଭ୍‌ ବ୍ୟୁରୋ

ସେରମ ଇନଷ୍ଟଚ୍ୟୁଟ୍‌ ସିଇଓ ଆଦର ପୁନୱାଲାଙ୍କ ସହ କଥା ହେଲେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ପାଇଁ କରୋନା ଟିକା ମାଗିଛନ୍ତି। ସେରମ୍‌ ଇନଷ୍ଟିଚ୍ୟୁଟର ସିଇଓ ଆଦର ପୁନୱାଲାଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କରିବା ବେଳେ ନବୀନ ତାଙ୍କର ସହଯୋଗ ଲୋଡ଼ିଛନ୍ତି। ଟିକା ପରୀକ୍ଷଣ ସଫଳ ହେଲେ ଓଡ଼ିଶାକୁ ଅଗ୍ରାଧିକାର ଦେବାକୁ ପୁନୱାଲାଙ୍କୁ କହିଛନ୍ତି ନବୀନ।

ଏପଟେ ନବୀନଙ୍କ କଥା ରଖିଛନ୍ତି ପୁନୱାଲା। ଟିକା ପ୍ରସ୍ତୁତ ହେବା ପରେ ଓଡ଼ିଶାକୁ ସହଯୋଗ ମିଳିବ ବୋଲି ପୁନୱାଲା ନବୀନଙ୍କୁ ଆଶ୍ୱାସନା ଦେଇଛନ୍ତି।

‘‘ଭାରତର ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମ୍‌ ରହିଛି। ମୃତ୍ୟୁ ହାର ବି କମ୍‌। ହେଲେ କରୋନାକୁ ଦୂରେଇବା ପାଇଁ ଟିକାର ନିହାତି ଆବଶ୍ୟକ ରହିଛି। ସେରମ ଇନଷ୍ଟିଚ୍ୟୁଟ୍‌ ଟିକା ପ୍ରସ୍ତୁତିରେ ଅଗ୍ରଗତି କରିଥିବାରୁ ଏହା ସମସ୍ତଙ୍କ ପାଇଁ ଖୁସିର କଥା। ଏଥିପାଇଁ ଆପଣ ଏବଂ ଆପଣଙ୍କ ଟିମ୍‌କୁ ଅଭିନନ୍ଦନ’’, ପୁନୱାଲାଙ୍କ ସହ କଥା ହେଲା ବେଳେ ଏହା କହିଥିଲେ ନବୀନ।

ଏପଟେ ପୁନୱାଲା ବି ନବୀନଙ୍କୁ ପ୍ରଶଂସା କରିଥିଲେ। ଟିକା ପରୀକ୍ଷଣ ଅଗ୍ରଗତିକୁ ଅନୁଧ୍ୟାନ କରୁଥିବାରୁ ନବୀନଙ୍କୁ ସେ ଧନ୍ୟବାଦ ଦେଇଥିଲେ।

CGU newପୁନୱାଲା କହିଥିଲେ, ‘‘ଏବେ ଟିକାର ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ ଶେଷ ହୋଇଛି। ଏଥିରେ ଆମେ ସଫଳତା ହାସଲ କରିଛୁ। ଆଗାମୀ ଦୁଇ ସପ୍ତାହ ଭିତରେ ଭାରତରେ ଏହାର ପରୀକ୍ଷଣ କରାଯିବ। ଏଥିରେ ସଫଳତା ପାଇବା ପରେ ଅକ୍ଟୋବର ଶେଷ କିମ୍ବା ନଭେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ଟିକା ଉପଲବ୍ଧ ହେବ। ଏଥିସହିତ ଟିକା ଯେପରି ସବୁ ଲୋକଙ୍କୁ ମିଳିବ ସେଥିପାଇଁ ଟିକାର ମୂଲ୍ୟ ୧୦୦୦ ଟଙ୍କା ମଧ୍ୟରେ ରହିବ। ଭାରତ ପାଇଁ ୧୦୦ କୋଟି ଟିକା ପ୍ରସ୍ତୁତ ହେବ।

କେବଳ ଓଡ଼ିଶା ନୁହେଁ, ଭାରତରେ କରୋନା ସ୍ଥିତି ଜଟିଳ ହୋଇପଡ଼ିଛି। ଭାରତରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢୁଥିବାରୁ ସମସ୍ତେ ଟିକାକୁ ଚାହିଁ ରହିଛନ୍ତି। ଏପରିସ୍ଥଳେ ସେରୋମ ଇନଷ୍ଟିଚ୍ୟୁଟ ଏବଂ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଯେଉଁ ପରୀକ୍ଷଣ ଚାଲିଥିଲା ସେଥିରେ ସଫଳତା ମିଳିଥିବା କୁହାଯାଉଛି।

ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ ସଫଳ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେରମ ଇନଷ୍ଟିଚ୍ୟୁଟର ସିଇଓଙ୍କୁ ଅଭିନନ୍ଦନ ଦେଇ ସାରା ଦେଶରେ ଚର୍ଚ୍ଚାରେ ରହିଛନ୍ତି। ସର୍ବାଧିକ କରୋନା ଆକ୍ରାନ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ସେରମ ଇନଷ୍ଟିଚ୍ୟୁଟ ସିଇଓଙ୍କୁ ଅଭିନନ୍ଦନ ଜଣାଇବା ଆଗରୁ ନବୀନ ଏହି ପଦକ୍ଷେପ ନେଇ ଆଉ ଏକ ମାଇଲେଜ ନେଇଥିବା କୁହାଯାଉଛି।

କରୋନା ଯେବେଠୁ ଭାରତରେ ପାଦ ଦେଲାଣି ସେବେଠୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚର୍ଚ୍ଚାରେ ରହିଛନ୍ତି। କରୋନା ମୁକାବିଲା ପାଇଁ ଆଗୁଆ ପଦକ୍ଷେପ ଗ୍ରହଣ କରି ନବୀନ ସମସ୍ତଙ୍କଠାରୁ ଆଗରେ ରହିଛନ୍ତି। କରୋନାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରି ସ୍ୱତନ୍ତ୍ର କୋଭିଡ୍‌ ହସ୍ପିଟାଲ ପ୍ରତିଷ୍ଠା, କୋଭିଡ୍‌ ହେଲ୍‌ଥ ସେଣ୍ଟର, ପ୍ରତି ପଞ୍ଚାୟତ ଏବଂ ସହରାଞ୍ଚଳରେ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ଆଦି ସ୍ଥାପନା କରି ନବୀନ ପ୍ରଶଂସିତ ହୋଇଥିଲେ। ଏବେ ପ୍ରତି ପଞ୍ଚାୟତରେ କୋଭିଡ୍‌ କେୟାର ସେଣ୍ଟର କରିବା ପାଇଁ ପଦକ୍ଷେପ ନିଆଯାଇଛି। ଏସବୁ ଭିତରେ ନବୀନ ଆଜି ଟିକା ପାଇଁ ସେରମ୍‌ ଇନଷ୍ଟିଚ୍ୟୁଟ ସିଇଓଙ୍କ ସହ ଆଲୋଚନା କରି କରୋନା ମୁକାବିଲାରେ ଆଉ ଏକ ପାଦ ଆଗକୁ ବଢ଼ିଥିବା କୁହାଯାଉଛି।

ଓଡ଼ିଶାରେ ଏବେ କରୋନା ସ୍ଥିତି ଅଣାୟତ୍ତ କଲାଣି। ବର୍ତ୍ତମାନସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୧୯ ହଜାର ଟପିଥିବା ବେଳେ ମୃତ୍ୟୁ ସଂଖ୍ୟା ୧୦୮ରେ ପହଞ୍ଚିଛି। ୩୦ଟି ଜିଲ୍ଲାରେ କରୋନା ତାର କାୟା ମେଲାଇଥିବା ବେଳେ ବିଶେଷକରି ଗଞ୍ଜାମ, ଖୋର୍ଦ୍ଧା, କଟକ, ଯାଜପୁର ଜିଲ୍ଲାରେ ସ୍ଥିତି ଅସମ୍ଭାଳ ହୋଇଯାଇଛି।

ଗଞ୍ଜାମ ଜିଲ୍ଲାରେ ୬ ହଜାର ୩୬୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରେ ୨୨୧୯, କଟକରେ ୧୩୮୪, ଯାଜପୁରରେ ୧୦୪୩ ଆକ୍ରାନ୍ତ ଚିହ୍ନଟ ହେଲେଣି। ଦିନକୁ ଦିନ ପରିସ୍ଥିତି ବିଗୁଡୁଛି ପଛେ ନିୟନ୍ତ୍ରଣକୁ ଆସୁନି। ଏଣୁ ଓଡ଼ିଶାରେ କରୋନା ସଂକ୍ରମଣ ରୋକିବା ପାଇଁ ନବୀନ ଟିକା ମାଗିଛନ୍ତି।

Comment