ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ସଂକ୍ରମଣକୁ ନେଇ ଭୟ ନକରିବାକୁ ରାଜ୍ୟବାସୀଙ୍କୁ ଅପିଲ୍‌ କଲେ ସ୍ୱାସ୍ଥ୍ୟ ବିଭାଗ ପ୍ରମୁଖ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର।

ରାଜ୍ୟରେ ଗତ ଦୁଇ ଦିନ ହେଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ହେଲେ ଏଥିରେ ଭୟଭୀତ ନହେବାକୁ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି ସ୍ୱାସ୍ଥ୍ୟ ବିଭାଗର ପ୍ରମୁଖ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର। ସେ କହିଛନ୍ତି ଯେ, ଏବେ ରାଜ୍ୟରେ ସର୍ଭେ ଏବଂ କଣ୍ଟାକ୍ଟ ଟ୍ରେସିଂ ବଢ଼ିଛି। ଏଣୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଯେତେ ଅଧିକ ଆକ୍ରାନ୍ତ ଚିହ୍ନଟ ହେବେ ତାହା ଆମ ରାଜ୍ୟ ପାଇଁ ଭଲ ବୋଲି ସେ କହିଛନ୍ତି। ‌

ଗତକାଲି କରୋନା ଟ୍ରେଣ୍ଡ ଭାଙ୍ଗିଥିଲା। ଗତକାଲି ୧୦୭୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୧୨୬୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦୁଇ ଦିନ ୧୦୦୦ ପରେ ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ଲୋକଙ୍କ ମନରେ ଭୟ ବଢ଼ିଛି।

‘‘କରୋନା ନୟନ୍ତ୍ରଣ ପାଇଁ ଏବେ ଘର ଘର ବୁଲି ସର୍ଭେ କରାଯାଉଛି। ଅଙ୍ଗନବାଡ଼ି, ଆଶା କର୍ମୀମାନେ ଏଥିରେ ସାମିଲ ହୋଇଛନ୍ତି। ସେମାନଙ୍କ ପାଇଁ ପ୍ରୋତ୍ସାହନ ରାଶି ଘୋଷଣା କରାଯାଇଛି। ଯେଉଁମାନଙ୍କର ଲକ୍ଷଣ ଅଛି ସେମାନେ ଲୁଚିକି ରହନ୍ତୁ ନାହିଁ। ସର୍ଭେ ଟିମ୍‌ ପାଖକୁ ଆସିବା ସହ ସରକାରଙ୍କୁ ଅବଗତ କରନ୍ତୁ। ସେମାନେ ଠିକ୍‌ ସମୟରେ ଆସିଲେ ହିଁ କରୋନା ସଂକ୍ରମଣ ରୋକିହେବ। ବିନାଲକ୍ଷଣ ରୋଗୀ ଘରେ କ୍ୱାରେଣ୍ଟାଇନରେ ରହନ୍ତୁ’’, ଏହି ପରାମର୍ଶ ଦେଇଛନ୍ତି ପ୍ରଦୀପ୍ତ ମହାପାତ୍ର।

ସେ ଆହୁରି କହିଛନ୍ତି ଯେ, ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ସ୍ଥିତି ଭଲ ଅଛି। ରାଜ୍ୟରେ ଆରୋଗ୍ୟ ହାର ୬୫ ପ୍ରତିଶତ ରହିଥିବା ବେଳେ ମୃତ୍ୟୁ ହାର .୫୪ ପ୍ରତିଶତ ରହିଛି। ଲକ୍ଷଣ ଦେଖାଦେବା ମାତ୍ରେ ସ୍ୱାସ୍ଥ୍ୟ କର୍ମୀଙ୍କୁ ଜଣାଇବାକୁ ଅପିଲ୍‌ କରିଛନ୍ତି ସ୍ୱାସ୍ଥ୍ୟ ବିଭାଗର ପ୍ରମୁଖ ଶାସନ ସଚିବ।

CGU newଏବେ ରାଜ୍ୟରେ କରୋନା ଟେଷ୍ଟିଂ ସଂଖ୍ୟା ବୃଦ୍ଧି ପାଇଛି। ଦିନକୁ ୧୧ ହଜାର ଟେଷ୍ଟିଂ କରାଯାଉଛି। ଗତ ମାର୍ଚ୍ଚ ୧୫ ତାରିଖରେ କେବଳ ଆର୍‌ଏମ୍‌ଆର୍‌ସିରେ କରୋନା ପରୀକ୍ଷା କରାଯାଉଥିଲା। ଏବେ ୧୯ଟି ଜାଗାରେ ଟେଷ୍ଟିଂ କରାଯାଉଛି। ଆଗକୁ ଆଉ ୬ଟି ଜାଗାରେ ଟେଷ୍ଟିଂ କରାଯିବ।

ଆସନ୍ତା ୪ ମାସ ପାଇଁ କୋଭିଡ୍‌-୧୯ ଉପକରଣ ମହୁଜଦ ରହିଛି। ୩ ଲକ୍ଷ ଆଣ୍ଟିଜେନ କିଟ୍‌ ମହଜୁଦ ରହିଥିବା ବେଳେ ପିପିଇ କିଟ୍‌, ଏନ୍‌-୯୫ ମାସ୍କ ଏବଂ ସାନିଟାଇଜର ବି ମହଜୁଦ ରହିଛି। ଏଣୁ ଲୋକେ କରୋନା ସଂକ୍ରମଣକୁ ଦେଖି ଚିନ୍ତା ନକରିବାକୁ ସେ ଅପିଲ୍‌ କରିଛନ୍ତି।

Comment