ଓଡିଶାଲାଇଭ୍ ବ୍ୟୁରୋ

ସମ୍ ହସ୍ପିଟାଲକୁ ଆଉ ଏକ ସଫଳତା ମିଳିଛି। ଗ୍ୟାସ ସିଲିଣ୍ଡର ଫାଟି ୭୦ ପ୍ରତିଶତ ପୋଡ଼ି ହୋଇଯାଇଥିବା ଜଣେ ମହିଳାଙ୍କୁ ସମ୍ପୂର୍ଣ୍ଣ ଭାବେ ସୁସ୍ଥ କରାଇବାରେ ସଫଳ ହୋଇଛି ଆଇଏମଏସ ଓ ସମ୍ ହସ୍ପିଟାଲ।

ଗ୍ୟାସ ସିଲିଣ୍ଡର ଫାଟିବା ଫଳରେ ସମ୍ପୃକ୍ତ ମହିଳାଙ୍କ ଶରୀରର ୭୦ ଭାଗ ଗଭୀର ଭାବେ ପୋଡ଼ି ଯାଇଥିଲା। ମୁର୍ମୂଷୁ ଅବସ୍ଥାରେ ତାଙ୍କୁ ଗତ ଜୁନ୍ ୬ ତାରିଖରେ ସମ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବର୍ଣ୍ଣସ୍ ଆଣ୍ଡ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗର ସହକାରୀ ପ୍ରଫେସର ଡାକ୍ତର ଏମ୍ ଲୋପାମୁଦ୍ରାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ମହିଳାଙ୍କ ଚିକିତ୍ସା ଆରମ୍ଭ ହୋଇଥିଲା। ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଫଳରେ ଶରୀର ମଧ୍ୟକୁ ଧୂଆଁ ଚାଲିଯାଇଥିବାରୁ ମହିଳାଙ୍କର ଫୁସ୍‌ଫୁସ୍ ମଧ୍ୟ ଆକ୍ରାନ୍ତ ହୋଇଥିଲା। ତେଣୁ ତାଙ୍କୁ ୨୦ ଦିନ ପର୍ଯ୍ୟନ୍ତ ଭେଣ୍ଟିଲେଟରରେ ରଖାଯାଇଥିଲା। ଏଥିସହ ନିଶ୍ଵାସ ପ୍ରଶ୍ଵାସରେ ଅସୁବିଧା ହେବାରୁ ଟ୍ରାକିଓଷ୍ଟୋମି ପ୍ରକ୍ରିୟାରେ ଚିକିତ୍ସା କରାଯାଇଥିଲା।

ଦୀର୍ଘ ୫୦ ଦିନର ଚିକିତ୍ସା ପରେ ମହିଳା ଜଣକ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ସୋମବାର ଘରକୁ ଫେରିଥିବା ଡାକ୍ତର ଲୋପାମୁଦ୍ରା କହିଛନ୍ତି। ଡାକ୍ତର ଲୋପାମୂଦ୍ରାଙ୍କ ସମେତ ବର୍ଣ୍ଣସ୍ ଆଣ୍ଡ ପ୍ଲାଷ୍ଟିକ ବିଭାଗର ମୁଖ୍ୟ ଡାକ୍ତର ସୁଶାନ୍ତ ମିଶ୍ର, ଡାକ୍ତର ବିନାୟକ ମିଶ୍ର ପ୍ରମୁଖ ମହିଳାଙ୍କୁ ସୁସ୍ଥ କରିବାରେ ସହଯୋଗ କରିଥିଲେ।

Comment