ଓଡ଼ିଶାଲାଇଭ୍ ବ୍ୟୁରୋ

corona vaccine-1ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ୍ ଆଣ୍ଡ ସମ୍ ହସ୍‌ପିଟାଲରେ ଗୁରୁବାର କରୋନା ଟିକା ‘କୋଭାକ୍ସିନ’ର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ଆରମ୍ଭ ହୋଇଛି।

ହସ୍‌ପିଟାଲର ପ୍ରିଭେଣ୍ଟିଭ ଆଣ୍ଡ ଥେରାପ୍ୟୁଟିକ୍ କ୍ଲିନିକାଲ ଟ୍ରାଏଲ ୟୁନିଟ୍ (ପିଟିସିଟିୟୁ) ଠାରେ ପ୍ରଥମ ଦିନ ଦୁଇଜଣ ଭଲ୍ୟୁଣ୍ଟରଙ୍କୁ ଏହି ଟିକା ଦିଆଯାଇଥିବା ବାବଦରେ କୋଭାକ୍ସିନ ହ୍ୟୁମାନ ଟ୍ରାଏଲ୍‌ର ପ୍ରିନ୍‌ସିପାଲ ଇନଭେଷ୍ଟିଗେଟର ପ୍ରଫେସର ଡକ୍ଟର ଇଞ୍ଜିନିୟର ଭେଙ୍କଟ ରାଓ ସୂଚନା ଦେଇଛନ୍ତି।ଏହି ସ୍ୱଦେଶୀ ଟିକାକୁ ଭାରତ ବାୟୋଟେକ ଓ ଇଣ୍ଡିଆନ କାଉନସିଲ ଫର ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ପ୍ରସ୍ତୁତ କରୁଥିବା ବେଳେ ଏହାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ନିମନ୍ତେ ସେଣ୍ଟ୍ରାଲ୍ ଡ୍ରଗସ୍ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅରଗାନାଇଜେସନ ପକ୍ଷରୁ ଅନୁମତି ମିଳିସାରିଛି। ଆଇଏମଏସ ଆଣ୍ଡ ସମ୍ ହସ୍‌ପିଟାଲକୁ ଏହି ପରୀକ୍ଷଣ ନିମନ୍ତେ ଓଡ଼ିଶାର ଏକମାତ୍ର କେନ୍ଦ୍ର ଭାବେ ଆଇସିଏମଆର ପକ୍ଷରୁ ମନୋନୀତ କରାଯାଇଛି।

“ଏହି ଟିକାର ପ୍ରଥମ ପର୍ଯ୍ୟାୟ ପରୀକ୍ଷଣରେ ଏହାର ନିରାପତ୍ତା ପ୍ରତି ଧ୍ୟାନ ଦେଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଏହାର ରୋଗ ପ୍ରତିରୋଧକ ଶକ୍ତି ଉପରେ ଗୁରୁତ୍ୱ ଆରୋପ କରାଯାଇଥିଲା ଏବଂ ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ ଏହି ଟିକାର କାର୍ଯ୍ୟକାରିତା ଉପରେ ଦୃଷ୍ଟି ଦିଆଯିବ। ସେହିପରି ପ୍ରଥମ ପର୍ଯ୍ୟାୟ ପରୀକ୍ଷଣରେ ମନୁଷ୍ୟ ଶରୀରରେ କୌଣସି ପାର୍ଶ୍ଵ ପ୍ରତିକ୍ରିୟା ହେଉଛି କି ନାହିଁ ତାହା ଉପରେ ଗୁରୁତ୍ୱ ଦିଆଯାଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ମନୁଷ୍ୟ ରକ୍ତରେ ସୃଷ୍ଟି ହେଉଥିବା ଆଣ୍ଟିବଡିର ସ୍ତର ଉପରେ ଲକ୍ଷ୍ୟ ରଖାଯାଇଥିଲା ଏବଂ ଏହା ସଂକ୍ରମଣରୁ ରକ୍ଷା କରିବାକୁ ସମର୍ଥ କି ନୁହେଁ ଏହା ଦେଖାଯାଇଥିଲା। ତେବେ ତୃତୀୟ ପର୍ଯ୍ୟାୟରେ ଏହି ଟିକା ଦିଆଯାଇଥିବା ମନୁଷ୍ୟମାନଙ୍କ ଶରୀରରେ ଏହା ରୋଗକୁ ପ୍ରତିରୋଧ କରିପାରୁଛି କି ନାହିଁ ତାହା ଆକଳନ କରାଯିବ”, କହିଛନ୍ତି ପ୍ରଫେସର ଡକ୍ଟର ଇଞ୍ଜିନିୟର ଭେଙ୍କଟ ରାଓ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଗୁରୁତ୍ୱପୂର୍ଣ୍ଣ ଓ ସମୟ ସାପେକ୍ଷ ହେବ। କାରଣ ଆମକୁ ଟିକା ନେଇଥିବା ଲୋକମାନଙ୍କ ମଧ୍ୟରେ ସଂକ୍ରମଣର ହାର ନିର୍ଦ୍ଧାରଣ କରିବାକୁ ପଡ଼ିବ ଏବଂ ଏହା ସେମାନେ ବାସ କରୁଥିବା ସ୍ଥାନର ଜନସଂଖ୍ୟା ଉପରେ ନିର୍ଭରଶୀଳ ହେବ। ଏଥି ନିମନ୍ତେ ଦେଶର ପ୍ରାୟ ୨୫୦୦୦ ଭଲ୍ୟୁଣ୍ଟରଙ୍କୁ ମନୋନୟନ କରାଯାଉଛି। ଏହି ପର୍ଯ୍ୟାୟରେ ପ୍ରତ୍ୟେକ ଭଲ୍ୟୁଣ୍ଟରଙ୍କୁ ୨୮ ଦିନ ଅନ୍ତରରେ ଟିକାର ୨ଟି ଡେ଼ାଜ ଦିଆଯିବ। ଏହାର ଅନୁସନ୍ଧାନ ନିମନ୍ତେ ପ୍ରାୟ ୧୨ ମାସ ସମୟ ଲାଗିବ।

Comment