ଓଡ଼ିଶାଲାଇଭ୍ ବ୍ୟୁରୋ

ପାର୍କିନ୍‌ସନ୍ ରୋଗ ଅଥବା ସକମ୍ପ ଅଙ୍ଗଘାତ ଏକ ପ୍ରକାର ସ୍ନାୟୁ ରୋଗ। ଏହା ଏକ ଦୀର୍ଘକାଳୀନ ବେମାରୀ ଯାହାର ଲକ୍ଷଣ ସମୟକ୍ରମେ ଧୀରେ ଧୀରେ ପ୍ରକାଶ ପାଇଥାଏ। ତେଣୁ ଏହି ପାର୍କିନ୍‌ସନ୍ ରୋଗକୁ ନେଇ ଜନ ସଚେତନତା ସୃଷ୍ଟି କରିବା ପାଇଁ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଏକ ଡାକ୍ତରୀ ଟିମ୍ ୨୦୦ କିମି ସାଇକେଲ୍ ଯାତ୍ରା କରିଛନ୍ତି।

ଡିସେମ୍ବର ୨୦ ତାରିଖ ଦିନ ଭୁବନେଶ୍ୱରରୁ ଢେଙ୍କାନାଳର କପିଳାସ ପର୍ଯ୍ୟନ୍ତ ଯାତ୍ରା କରି ଏହି ଡାକ୍ତରୀ ଟିମ୍ ସଚେତନତା ସୃଷ୍ଟି କରିଛି। ପାର୍କିନ୍‌ସନ୍ ରୋଗ ଶରୀରର ଗତିକୁ ପ୍ରଭାବିତ କରିଥାଏ। ଏହାଦ୍ୱାରା ରୋଗୀ ଧୀର ହୋଇଯାନ୍ତି ଏବଂ ହାତ ଥରିବା ମଧ୍ୟ ଆରମ୍ଭ ହୋଇଥାଏ। ତେବେ ସାଧାରଣତଃ ଲୋକମାନେ ଏହି ରୋଗକୁ ନେଇ ଏତେଟା ସଚେତନ ନୁହଁନ୍ତି।

ପାର୍କିନ୍‌ସନ୍ ରୋଗର ଲକ୍ଷଣକୁ ଔଷଧ ଦ୍ୱାରା ନିୟନ୍ତ୍ରଣ କରାଯାଇପାରେ କିନ୍ତୁ ବୟସ ବଢ଼ିବା ସହ ଏହି ରୋଗର ଲକ୍ଷଣ ମଧ୍ୟ ବଢ଼ିଥାଏ। ବିଭିନ୍ନ ଅନୁସନ୍ଧାନରୁ ଜଣାପଡିଛି ଯେ, ବ୍ୟାୟାମ ଓ ବିଶେଷ ଭାବରେ ସାଇକେଲ୍ ଚଳାଇବା ଦ୍ୱାରା ରୋଗୀମାନଙ୍କର ସକ୍ରିୟତା ବଜାୟ ରହିଥାଏ। ତେଣୁ ଏହି ଡାକ୍ତରୀ ଟିମ୍ ଏଭଳି ଉପାୟରେ ଜନସଚେତନତା ସୃଷ୍ଟି କରିବାକୁ ନିଷ୍ପତ୍ତି ନେଇଥିଲା। ଏଥିରେ ଡାକ୍ତର ଲୋଲୁପ୍ କୁମାର ସାହୁ, ଡାକ୍ତର ଶୁଭେନ୍ଦୁ ମିଶ୍ର, ଡାକ୍ତର ଜିମି ନାରାୟଣ ଓ ଡାକ୍ତର ଆଶିଷ ଆଶୁତୋଷ ଚୌଧୁରୀ ସାମିଲ ଥିଲେ।

Comment