ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱର, ପୁରୀ ଏବଂ କଟକରେ ଚିନ୍ତା ବଢ଼ାଇଲାଣି ସାହି, ବସ୍ତି।

କରୋନା ଗ୍ରାଫ ଦିନକୁ ଦିନ ମାଡ଼ି ଚାଲିଥିବା ବେଳେ ଏବେ ପ୍ରଶାସନକୁ ବସ୍ତି ଚିନ୍ତା ଘାରିଛି। ଭୁବନେଶ୍ୱର, ପୁରୀର ବିଭିନ୍ନ ବସ୍ତି ଏବଂ କଟକର ବିଭିନ୍ନ ସାହିରେ ପ୍ରତିଦିନ ନୂଆ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ପ୍ରଶାସନର ଟେନସନ ବଢ଼ିଛି। ବସ୍ତିରେ କିଛି କଟକଣା କାମ କରୁ ନଥିବାରୁ ଗୋଷ୍ଠୀ ସଂକ୍ରମଣ ଆଶଙ୍କା କରାଯାଉଛି। ହେଲେ ପ୍ରଶାସନ ଏହାକୁ ଗ୍ରହଣ କରୁନି। ଟେଷ୍ଟିଂ ବଢୁଥିବାରୁ ଆକ୍ରାନ୍ତ ଅଧିକ ଚିହ୍ନଟ ହେଉଥିବା ବିଏମ୍‌ସି କମିସନର କହିଛନ୍ତି।

ଭୁବନେଶ୍ୱରରେ ଚିନ୍ତା ବଢ଼ାଉଛି ବସ୍ତି

ଭୁବନେଶ୍ୱର ନୟାପଲ୍ଲୀର ତ୍ରିନାଥନଗର ବସ୍ତି, ଗାନ୍ଧୀ ବସ୍ତି, ଗଣପତି ନଗର, ସୀତାପୁର, ସାଲିଆ ସାହି, ମହିଷାଖାଲ, ୟୁନିଟ୍‌-୧ ନିକଟସ୍ଥ ବସ୍ତି ଏବଂ ବାୟାବାବା ମଠ ନିକଟ ବସ୍ତିରେ ଏବେ ଅଣାୟତ୍ତ ସ୍ଥିତି। ଏହି ବସ୍ତିଗୁଡ଼ିକରୁ ପ୍ରତିଦିନ ନୂଆ ନୂଆ କେସ୍‌ ବାହାରୁଛି। ବସ୍ତିଗୁଡ଼ିକୁ ଜଗିବା ପାଇଁ ବିଏମ୍‌ସି ସଚେତକ କମିଟି ଗଠନ କରିଛି। ହେଲେ ପ୍ରତିଦିନ ନୂଆ କେସ୍‌ କେମିତି ଚିହ୍ନଟ ହେଉଛି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଆଜି ବାୟାବାବା ମଠ ନିକଟ ୟୁନିଟ୍‌-୯ବସ୍ତିରୁ ୧୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସାଲିଆସାହିରୁ ୧୧ ଜଣ ଚିହ୍ନଟ ହୋଇଛନ୍ତି। ଆଇଗିଣିଆ ଆଳୁଗଦିରୁ ଆଉ ୧୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବିଶେଶ୍ୱର ବସ୍ତିରୁ ୫ ଜଣ ଚିହ୍ନଟ ହେବା ପରିସ୍ଥିତିକୁ ଆହୁରି ଜଟିଳ କରିଛି।

ବସ୍ତି ଅଞ୍ଚଳରେ କରୋନା ନିୟନ୍ତ୍ରଣକୁ ଆସୁ ନଥିବାରୁ ବିଜେପି ଆଜି ବିଏମ୍‌ସିକୁ ଘେରିଛି। ଭୁବନେଶ୍ୱର ଜିଲ୍ଲା ବିଜେପି ସଭାପତି ବାବୁ ସିଂହ ଏନେଇ ସିଧାସଳଖ ବିଏମ୍‌ସିକୁ ଦାୟୀ କରିଛନ୍ତି। ବସ୍ତିରେ ପ୍ରଶାସନ ଯାହା ପଦକ୍ଷେପ ନେବା କଥା ତାହା କରୁନି ବୋଲି ସେ ଅଭିଯୋଗ କରିଛନ୍ତି।

ଏପଟେ ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି, ‘‘ବସ୍ତି ଆମ ଫୋକସ୍‌ରେ ରହିଛି। ପ୍ରତିଦିନ ଭୁବନେଶ୍ୱରରେ ୧୨୦୦ରୁ ୧୫୦୦ ଟେଷ୍ଟିଂ କରାଯାଉଛି। ବସ୍ତିରେ ସର୍ଭେ ଜାରି ରହିଛି। ଟେଷ୍ଟିଂ ବଢୁଥିବାରୁ ସଂକ୍ରମଣ ବଢୁଛି।’’

ଗତ ୬ ଦିନ ହେଲା ଭୁବନେଶ୍ୱରର ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ଉପରେ ରହୁଛି। ଜୁଲାଇ ୨୩ରେ ୧୨୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୪ରେ ୨୪୮, ୨୫ରେ ୧୧୧, ୨୬ରେ ୧୬୩, ୨୭ରେ ୧୫୯ ଏବଂ ୨୮ରେ ୨୧୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଖୋର୍ଦ୍ଧା ଜିଲ୍ଲାରୁ ମୋଟ ୩୫୭୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ କେବଳ ଭୁବନେଶ୍ୱରର ଆକ୍ରାନ୍ତଙ୍କ ସଂଖ୍ୟା ୨୩୬୩। ଇତିମଧ୍ୟରେ ୧୩ ଜଣଙ୍କ ଜୀବନ ମଧ୍ୟ ଗଲାଣି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଥିବା ୩୧୨ ଆକ୍ରାନ୍ତଙ୍କ ଭିତରୁ ୨୧୫ ହେଉଛନ୍ତି ଭୁବନେଶ୍ୱରରୁ। ରାଜଧାନୀରୁ ଆଜି ୬୫ ସ୍ଥାନୀୟ ସଂକ୍ରମଣ ଚିହ୍ନଟ ହେବା ବିଏମ୍‌ସି ପାଇଁ ଚିନ୍ତା ବଢ଼ାଇଛି।

ପୁରୀରେ ବି ବସ୍ତି ଚିନ୍ତା

ଭୁବନେଶ୍ୱର ପରି ପୁରୀରେ ବି ସ୍ଥିତି ଚିନ୍ତାଜନକ। ପେଣ୍ଠକଟା, ବଳିଆପଣ୍ଡା ଏବଂ ବାଲି ଉପର ବସ୍ତିରେ କରୋନା କାୟା ମେଲାଉଛି। ଏହି ବସ୍ତି ଅଞ୍ଚଳକୁ ରାଜ୍ୟ ବାହାରୁ ବହୁ ଲୋକ ଲୁଚି ଛପି ଆସୁଥିବାରୁ କରୋନା ମାଡୁଥିବା କୁହାଯାଉଛି। ପୁରୀ ସହରରେ ୧୬୨ ଆକ୍ରାନ୍ତଙ୍କ ଭିତରୁ ୧୧୪ ଜଣ ଏବେ ବିଭିନ୍ନ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ପେଣ୍ଠକଟା ବସ୍ତିରୁ କେବଳ ୪୭ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି।

ଏହି ବସ୍ତିଗୁଡ଼ିକୁ ଜଗିବା ପାଇଁ ପୁରୀ ପୌର ପ୍ରଶାସନ ପଦକ୍ଷେପ ନେଇଛି। ଏଥିପାଇଁ ଡ୍ରୋନ ବ୍ୟବସ୍ଥା କରାଯାଇଛି। ଡ୍ରୋନ ଏବେ ପୁରୀ ସହରର ବସ୍ତିକୁ ଜଗିଛି।

କଟକରେ ସାହି ବଢ଼ାଇଲା ଚିନ୍ତା

ଭୁବନେଶ୍ୱର ଏବଂ ପୁରୀରେ ବସ୍ତି ଚିନ୍ତା ବଢ଼ାଇଥିବା ବେଳେ କଟକରେ ବିଭିନ୍ନ ସାହିରୁ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ସିଏମ୍‌ସି ନାକେଦମ ହୋଇଛି। ସିଡିଏ, ରାଣୀହାଟ, ମଙ୍ଗଳାବାଗ, ମାଳିସାହି, ଶଙ୍କରପୁର, ମାଣିଘୋଷ ବଜାର, ଖଟବିନ ସାହି, ରାଉସାପାଟଣା, ବକ୍ସି ବଜାର, ବାଶୁଳି ସାହି ଆଦି ଅଞ୍ଚଳରୁ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। କଟକ ଜିଲ୍ଲାରେ ୧୮୮୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କେବଳ ସହରରୁ ଅଛନ୍ତି ୭୭୭ ଜଣ।

ଭୁବନେଶ୍ୱର, ପୁରୀ ଏବଂ କଟକରେ ସାହି ବସ୍ତି ଏବେ ସରକାରଙ୍କ ଚିନ୍ତା ବଢ଼ାଇଛନ୍ତି। କଟକରେ କରୋନା ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ସଟ୍‌ଡାଉନ କରିଥିଲେ। ହେଲେ ସ୍ଥିତି ସୁଧୁରିବା ଭଳି ମନେହେଉନି। ସାହି ବସ୍ତିର ସହରରେ କରୋନା ମୁକାବିଲା ପାଇଁ ସରକାର ଆଗକୁ ଆଉ କ’ଣ ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା।

Comment