ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ୟୁନିସେଫ୍‌ ସହଯୋଗିତାରେ ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟ ପ୍ଲସ୍‌ର ମିଡିଆ କ୍ୟାମ୍ପେନ ‘କେତେ ନୂଆ ବାଟ’
  • ଏଥର ପ୍ରସଙ୍ଗ – କୋଭିଡ୍‌ ସମୟରେ ପିଲାମାନଙ୍କ ସ୍ୱର
  • ଏଥର ପିଲାମାନେ କହିଲେ କରୋନା କାଳର ସେମାନଙ୍କ ଅନୁଭୂତି

କରୋନା ମହାମାରୀ ବିଭିନ୍ନ ବର୍ଗର ଲୋକଙ୍କ ପ୍ରଭାବ ପକାଇଛି। ବୟସ୍କ, ଯୁବପିଢ଼ି, ମହିଳା, ଭିନ୍ନକ୍ଷମମାନଙ୍କଠାରୁ ଆରମ୍ଭ କରି ପିଲାମାନଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଉପରେ କରୋନା ଗଭୀର ପ୍ରଭାବ ପକାଇଛି। କୋଭିଡ୍‌-୧୯ ମହାମାରୀ ବେଳେ ପିଲାମାନଙ୍କର ଅନୁଭୂତି ଏଥର ‘କେତେ ନୂଆ ବାଟ’ କାର୍ଯ୍ୟକ୍ରମରେ ସ୍ଥାନ ପାଇଛି। ଏଥରର ପ୍ରସଙ୍ଗ ରହିଛି ‘କୋଭିଡ୍‌ ବେଳେ ପିଲାମାନଙ୍କ ସ୍ୱର’।

ୟୁନିସେଫ୍‌ ସହାୟତାରେ ଓଡ଼ିଶାଲାଇଭ୍‌ ଏବଂ ସ୍ୱାସ୍ଥ୍ୟ ପ୍ଲସ୍‌ର ମିଳିତ କ୍ୟାମ୍ପେନ ‘କେତେ ନୂଆ ବାଟ’ ପ୍ରତି ରବିବାର ସକାଳ ସାଢ଼େ ୧୦ଟାରେ ସମସ୍ତ ଆକାଶବାଣୀ କେନ୍ଦ୍ରରୁ ପ୍ରସାରିତ ହେଉଛି। ଏହାଛଡ଼ା ସ୍ୱାସ୍ଥ୍ୟ ପ୍ଲସ୍‌ ଏବଂ ଓଡ଼ିଶାଲାଇଭ୍‌ର ୟୁଟ୍ୟୁବ୍, ଫେସ୍‌ବୁକ୍‌ ଭଳି ସୋସିଆଲ ମିଡିଆ ଚ୍ୟାନେଲଗୁଡ଼ିକରେ ଏହା ମଧ୍ୟ ଏକ ସମୟରେ ପ୍ରସାରଣ କରାଯାଉଛି।

ରେଡିଓ ଧାରାବାହିକ ‘କେତେ ନୂଆ ବାଟ’ରେ ପ୍ରତି ଅଧ୍ୟାୟରେ ନୂଆ ନୂଆ ବିଷୟ ଏବଂ କୋଭିଡ୍‌ ଯୋଦ୍ଧାମାନଙ୍କ କାହାଣୀ ସ୍ଥାନ ପାଇଥାଏ। ଅଗଷ୍ଟ ୯ ତାରିଖ, ରବିବାର ସକାଳ ସାଢ଼େ ୧୦ଟାରେ ଓଡ଼ିଶାରେ ଥିବା ଆକାଶବାଣୀର ସମସ୍ତ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା ‘କେତେ ନୂଆ ବାଟ’ର ଦଶମ ଅଧ୍ୟାୟରେ କୋଭିଡ୍‌ ସମୟରେ ଭିନ୍ନକ୍ଷମମାନଙ୍କ ସମସ୍ୟା ଉପରେ ଆଲୋଚନା କରାଯାଇଛି।

ଏଥର ‘କେତେ ନୂଆ ବାଟ’ କାର୍ଯ୍ୟକ୍ରମ କୋଭିଡ୍‌ ସମୟରେ ପିଲାମାନଙ୍କ ଅନୁଭୂତିକୁ ନେଇ ପ୍ରସ୍ତୁତ ହୋଇଛି। ଏହି କାର୍ଯ୍ୟକ୍ରମରେ ୟୁନିସେଫର ଚାଇଲ୍ଡ ପ୍ରୋଟେକ୍ସନ୍ ସ୍ପେସାଲିଷ୍ଟ ନେହା ନାଇଡୁ ଭାଗନେଇ କୋଭିଡ୍‌ ସମୟରେ ପିଲାମାନଙ୍କ ଅଧିକାରକୁ ସୁନିଶ୍ଚିତ କରିବା ପାଇଁ ୟୁନିସେଫ୍‌ କ’ଣ ପଦକ୍ଷେପ ନେଇଛି ସେ ବିଷୟରେ କହିଛନ୍ତି। ଏହାସହ ବାରିପଦାର ଆଦ୍ୟାଶା ବ୍ରହ୍ମାଙ୍କ ଲକ୍‌ଡାଉନ୍‌ କାହାଣୀ ଏଥିରେ ସ୍ଥାନ ପାଇଥିବା ବେଳେ ସୁନାବେଡ଼ାର ଅଭିଷେକ ମହାନ୍ତି, ମାଲକାନଗିରିର ଜିନିତା ଏବଂ ହେମାଶ୍ରୀ, ଢେଙ୍କାନାଳର ଶୁଭଲକ୍ଷ୍ମୀ ସେଠୀଙ୍କ ଅନୁଭୂତି ମଧ୍ୟ ସ୍ଥାନ ପାଇଛି।

କୋଭିଡ୍‌-୧୯ ମହାମାରୀ ସମୟରେ ଶିଶୁମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଅଧିକାର ସୁନିଶ୍ଚିତ କରିବା ବଡ଼ ଆହ୍ୱାନ ହୋଇଛି। ତେବେ ଏ ସମ୍ପର୍କରେ ୟୁନିସେଫର ଚାଇଲ୍ଡ ପ୍ରୋଟେକ୍ସନ୍ ସ୍ପେସାଲିଷ୍ଟ ନେହା ନାଇଡୁ କ’ଣ କହିଛନ୍ତି ଜାଣନ୍ତୁ।

‘‘ଦେଶର ବିକାଶରେ ଶିଶୁମାନଙ୍କର ବିଚାରକୁ ସ୍ଥାନ ଦେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯଦି କୌଣସି ପିଲାଙ୍କୁ ନିଜ ବିଚାରଧାରାକୁ ସାବ୍ୟସ୍ତ କରିବା ପାଇଁ ସୁଯୋଗ ମିଳେ ତାହାଲେ ସେମାନେ ଖୁସି ଅନୁଭବ କରନ୍ତି। ସେମାନଙ୍କ ମନରେ ଆତ୍ମବିଶ୍ୱାସ ବୃଦ୍ଧି ପାଇଥାଏ’’, କହିଛନ୍ତି ନେହା ନାଇଡୁ।

ସେ ଆହୁରି କହିଛନ୍ତି ଯେ, ଯେ କୌଣସି ବିପର୍ଯ୍ୟୟକୁ ସାମ୍ନା କରିବା ପାଇଁ ପିଲାମାନଙ୍କ ମନରେ ଅଦମ୍ୟ ସାହସ ରହିଛି। ଦୁଃଖରେ ବି ପିଲାମାନେ ହସିବା ଶିଖିଛନ୍ତି। କୋଭିଡ୍‌-୧୯ ମହାମାରୀ ସମୟରେ ବି ପିଲାମାନେ ହାର୍‌ ମାନି ନାହାନ୍ତି। ‘ମୋ ପ୍ରତିଭା’ କାର୍ଯ୍ୟକ୍ରମ ଜରିଆରେ ପିଲାମାନେ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିଛନ୍ତି। ଚିତ୍ରାଙ୍କନ କରିବା, କବିତା ଲେଖିବା, ଯୋଗ, ପ୍ରାଣାୟାମ ଆଦି କରି ଖୁସିରେ ଅଛନ୍ତି। କେବଳ ସେତିକି ନୁହେଁ, ଅଙ୍ଗନବାଡ଼ି କର୍ମୀ ଏବଂ ସରପଞ୍ଚଙ୍କୁ କୋଭିଡ୍‌-୧୯ ସଙ୍କଟ ବେଳେ ସହଯୋଗ କରିଛନ୍ତି। ମାସ୍କ ପିନ୍ଧିବା, ହାତ ଧୋଇବା, ସାମାଜିକ ଦୂରତା ରକ୍ଷା କରିବା ସମ୍ପର୍କରେ ସେମାନେ ଲୋକମାନଙ୍କୁ ସଚେତନ କରିଛନ୍ତି।

କରୋନା ମହାମାରୀ ପାଇଁ ସ୍କୁଲ, କଲେଜ ବନ୍ଦ ରହିଛି। ପିଲାମାନେ ଘରେ ରହିଛନ୍ତି। କରୋନା ପାଇଁ ଏବେ ଅନଲାଇନ୍‌ ପାଠ ପଢ଼ା ଯାଉଛି। ତେବେ ପିଲାମାନେ ଏହି କଠିନ ସମୟକୁ କେମିତି ସାମ୍ନା କରୁଛନ୍ତି ସେ ସମ୍ପର୍କରେ କହିଛନ୍ତି ବାରିପଦାର ଅଷ୍ଟମ ଶ୍ରେଣୀର ଛାତ୍ରୀ ଆଦ୍ୟାଶା ବ୍ରହ୍ମା।

‘‘କରୋନା ପୂର୍ବରୁ କ୍ଲାସ ଏବଂ ଟ୍ୟୁସନରେ ବହୁତ ସମୟ ଯାଉଥିଲା। ଫଳରେ ଆମ ଭିତରେ ଥିବା ପ୍ରତିଭା ବିକଶିତ ହୋଇପାରୁ ନଥିଲା। କିନ୍ତୁ ଏବେ ବହୁତ ସମୟ ମିଳୁଛି। ଦିନକୁ ୩ରୁ ୪ ଘଣ୍ଟା ଅନଲାଇନ କ୍ଲାସ ହେଉଛି। ବାକି ସମୟରେ ନୃତ୍ୟ, ଚିତ୍ରାଙ୍କନ ଆଦି କରି ସମୟ ବିତାଉଛି’’, କହିଛନ୍ତି ଆଦ୍ୟାଶା ବ୍ରହ୍ମା।

ଏହାସହ ଆଦ୍ୟାଶା ଅନ୍ୟ ପିଲାମାନଙ୍କୁ ପରାମର୍ଶ ମଧ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ, ମୋବାଇଲରେ ସମୟ ନକାଟି ବାପା, ମା’ଙ୍କୁ ଘର କାମରେ ସାହାଯ୍ୟ କରିବା ଦରକାର। ନିଜ ଭିତରେ ଥିବା ସୃଜନଶୀଳତାର ବିକାଶ କରିବା ଦରକାର। ଆଦ୍ୟାଶା ନିଜେ ଏକ ୟୁଟ୍ୟୁବ ଚ୍ୟାନେଲ କରିଛନ୍ତି। ଏହା ମାଧ୍ୟମରେ ସେ ନିଜର ପାଠପଢ଼ା ସେୟାର କରିବା ସହ ନୃତ୍ୟ ଏବଂ ଅନ୍ୟ ଶିକ୍ଷଣୀୟ ଭିଡିଓ ଅପ୍‌ଲୋଡ଼ କରୁଛନ୍ତି।

କରୋନା ପାଇଁ ପିଲାମାନଙ୍କ ପାଠପଢ଼ା ବ୍ୟାହତ ହୋଇଛି। ଏବେ ଅନଲାଇନ କ୍ଲାସ ଉପରେ ଗୁରୁତ୍ୱ ଦିଆଯାଉଛି। ଏ ସମ୍ପର୍କରେ ନିଜର ଅନୁଭୂତି କହିଛନ୍ତି ସୁନାବେଡ଼ାର ଅଭିଷେକ ମହାନ୍ତି। ଅଭିଷେକ ଯୁକ୍ତ ୩ ବିଜ୍ଞାନର ଦ୍ୱିତୀୟ ବର୍ଷ ଛାତ୍ର।

‘‘କରୋନା ପୂର୍ବରୁ ଆମେ ଆମ ଜୀବନ ଜୀବିକାକୁ ସରଳ ଭାବେ ବିତାଉଥିଲୁ। ଏବେ ଏହା ଉପରେ ଗଭୀର ପ୍ରଭାବ ପଡ଼ିଛି। ନିୟମିତ କ୍ଲାସ ବଦଳରେ ଏବେ ଅନଲାଇନ କ୍ଲାସ ଚାଲିଛି। ଆଗକୁ ମଧ୍ୟ ଏହା ଚାଲିବ। ଲସବୁ ଭିତରେ ଆମକୁ ଭବିଷ୍ୟତ ପାଇଁ କାର୍ଯ୍ୟପନ୍ଥା ପ୍ରସ୍ତୁତ କରିବାକୁ ପଡ଼ିବ। ସକରାତ୍ମକ ମନୋଭାବ ନେଇ ଆଗକୁ ବଢ଼ିବାକୁ ହେବ’’, କହିଛନ୍ତି ଅଭିଷେକ ମହାନ୍ତି।

ଏହି କରୋନା କାଳରେ ମାଲକାନଗିରିର ଜିନିତା ପାଣିଗ୍ରାହୀ ଏବଂ ହେମାଶ୍ରୀ ଖମାରୀ ନିଜର ଅନୁଭୂତି ବାଣ୍ଟିଛନ୍ତି।

‘‘କରୋନା ମହାମାରୀ ପାଇଁ ଆମେ ସମସ୍ତେ ଘରେ ରହିଛୁ। ଭାଇ ଭଉଣୀମାନଙ୍କ ସହ ସମୟ ବିତାଉଛୁ। ଘରୁ ବାହାରକୁ ଯିବା ବେଳେ ମାସ୍କ ବ୍ୟବହାର କରେ ଏବଂ ଘରକୁ ଆସିଲେ ୨୦ ସେକେଣ୍ଡ ଯାଏଁ ହ୍ୟାଣ୍ଡୱାସ୍‌ରେ ହାତ ଧୋଇଥାଏ। ଆମ ସାହି ଏବଂ ଗାଁରେ ମଧ୍ୟ ଏନେଇ ସଚେତନ କରୁଛି। ଏବେ ସ୍କୁଲ, କଲେଜ ବନ୍ଦ ଥିବାରୁ ଅନଲାଇନ କ୍ଲାସ ଚାଲିଛି। ମୁଁ ନିଜେ ପାଠ ପଢ଼ିବା ସହ ଭାଇ ଭଉଣୀଙ୍କୁ ପାଠ ପଢ଼ାଏ’’, କହିଛନ୍ତି ଜିନିତା ପାଣିଗ୍ରାହୀ ଓ ହେମାଶ୍ରୀ।

କରୋନା ଲକ୍‌ଡାଉନ୍‌ ଲୋକମାନଙ୍କୁ ଅନେକ ଶିକ୍ଷଣୀୟ ବାର୍ତ୍ତା ଦେଇଛି। ନାରୀ, ପୁରୁଷଙ୍କ ଭିତରେ କିଛି ଭେଦଭବା ନାହିଁ, ସମସ୍ତେ ସମାନ ବୋଲି କରୋନା ବାର୍ତ୍ତା ଦେଇଛି। ଏ ସମ୍ପର୍କରେ କହିଛନ୍ତି ସୁନାବେଡ଼ାର ଅଭିଷେକ ମହାନ୍ତି। ଘର କାମରେ ସେ ନିଜ ମା’ଙ୍କୁ କେମିତି ସହଯୋଗ କରନ୍ତି ତାହା ସେ ବର୍ଣ୍ଣନା କରିଛନ୍ତି।

କରୋନା ମହାମାରୀ ବେଳେ ବାଲ୍ୟ ବିବାହ ବଢ଼ିଛି। ଏହାକୁ କିପରି ରୋକାଯାଇ ପାରିବ ସେ ଦିଗରେ ଢେଙ୍କାନାଳର ଢେଙ୍କାନାଳର ଶୁଭଲକ୍ଷ୍ମୀ ସେଠୀ ଆଗକୁ ବାହାରି କାମ କରୁଛନ୍ତି। ଯୁକ୍ତ ୩ ଶେଷ ବର୍ଷରେ ପାଠ ପଢୁଥିବା ଶୁଭଲକ୍ଷ୍ମୀ ୟୁନିସେଫ୍‌ ଏବଂ ଆକ୍ସନ ଏଡ୍‌ର ମିଳିତ ସଂଯୋଜନାରେ ଚାଲିଥିବା ବାଲ୍ୟ ବିବାହ ଉଚ୍ଛେଦ ଅଭିଯାନରେ ସେ ସ୍ୱେଚ୍ଛାସେବୀ ଭାବେ କାମ କରୁଛନ୍ତି।

କୋଭିଡ୍‌-୧୯ ଭଳି ଏକ ଜଟିଳ ସମୟରେ କିଛି ନୂଆ ସୂଚନା, କିଛି ସାହସ ଓ କିଛି ସକରାତ୍ମକ ବାର୍ତ୍ତା ନେଇ ପ୍ରସ୍ତୁତ ହୋଇଛି ଏହି ରେଡିଓ ଧାରାବାହିକ ‘କେତେ ନୂଆ ବାଟ’। ଏଥିରେ ରହିଛି କୋଭିଡ୍‌ ମୁକାବିଲା ସମ୍ପର୍କରେ ନୂଆ ଦିଗ ଓ ତଥ୍ୟ, ଏହି ଲଢ଼େଇରେ ଆଗଧାଡ଼ିରେ ଥିବା ପ୍ରମୁଖ ବ୍ୟକ୍ତିଙ୍କ ସହ ସାକ୍ଷାତକାର, କୋଭିଡ୍‌ ହିରୋଙ୍କ କାହାଣୀ, ସ୍ୱାସ୍ଥ୍ୟ ପରାମର୍ଶ ଓ ଆହୁରି ଅନେକ କିଛି।

‘କେତେ ନୂଆ ବାଟ’ର ୧୩ଟି ଅଧ୍ୟାୟରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟ ନିଆଯାଇଛି। ତା’ ମଧ୍ୟରେ ରହିଛି ଲକ୍‌ଡାଉନ୍‌ ସମୟରେ ପିଲାଙ୍କ ଭଲମନ୍ଦର କଥା, ଶିକ୍ଷା, ସ୍ୱାସ୍ଥ୍ୟ, ଯୁବପିଢ଼ି ଓ ଭେଦଭାବ ଭଳି ସାମାଜିକ ପ୍ରସଙ୍ଗ। ଏହିସବୁ ବିଷୟ ଉପରେ ବିଶେଷଜ୍ଞମାନଙ୍କ ମତ ଉପସ୍ଥାପନ କରାଯାଇ ଏକ ବ୍ୟାପକ ସଚେତନତା ପାଇଁ ଉଦ୍ୟମ କରାଯାଉଛି ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ମିଳିଛି।

ଓଡ଼ିଶାଲାଇଭ୍‌ର ମୁଖ୍ୟ ସମ୍ପାଦକ ନୀଳାମ୍ବର ରଥ ଏହି କାର୍ଯ୍ୟକ୍ରମର ପ୍ରଯୋଜକ ଓ ନିର୍ଦ୍ଦେଶକ ଅଛନ୍ତି। ସେହିପରି ନଳିନୀକାନ୍ତ ବିଶ୍ୱାଳ ଏହାର ଉପସ୍ଥାପନା କରୁଥିବା ବେଳେ ସହ ଉପସ୍ଥାପିକା ଅଛନ୍ତି ପଦ୍ମାବତୀ ଦ୍ୱିବେଦୀ।

‘କେତେ ନୂଆ ବାଟ’ କାର୍ଯ୍ୟକ୍ରମ ଆକାଶବାଣୀ କଟକ, ସମ୍ବଲପୁର ଏବଂ ଜୟପୁର ଭଳି ମୁଖ୍ୟ ଷ୍ଟେସନ ତଥା ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଅଳ୍ପ କ୍ଷମତା ସମ୍ପନ୍ନ କେନ୍ଦ୍ରରୁ ପ୍ରତି ରବିବାର ସକାଳ ସାଢ଼େ ୧୦ଟାରେ ପ୍ରସାରିତ ହେଉଛି।

Comment