ଓଡିଶାଲାଇଭ୍ ବ୍ୟୁରୋcorona US

ଓଡ଼ିଶାରେ କରୋନାଜନିତ ମୃତ୍ୟୁହାର ଅନ୍ୟ ରାଜ୍ୟ ତୁଳନାରେ ଯଥେଷ୍ଟ କମ୍। ଏହା ସମସ୍ତଙ୍କ ପାଇଁ ଆଶ୍ୱାସନାର ବିଷୟ ପାଲଟିଛି। କରୋନା ଯୋଗୁଁ ଏପର୍ଯ୍ୟନ୍ତ ଓଡ଼ିଶାରେ ୩୦୫ ଜଣଙ୍କର ମୃତ୍ୟୁ ଘଟିଛି। ଶତକଡ଼ା ହିସାବରେ ଏହା ୦.୬୦ ପ୍ରତିଶତ। ଜାତୀୟ ମୃତ୍ୟୁହାର କିନ୍ତୁ ୧.୯୮ ପ୍ରତିଶତ। ଅବଶ୍ୟ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ ଏଥି ମଧ୍ୟରୁ ୫୩ ଜଣଙ୍କ ମୃତ୍ୟୁ ଅନ୍ୟ କାରଣ ପାଇଁ ହୋଇଛି।

ଦୈନିକ ପ୍ରାୟ ୧୦ ଜଣ କରୋନା ଯୋଗୁଁ ପ୍ରାଣ ହରାଇଛନ୍ତି ବୋଲି ସରକାରୀ ତଥ୍ୟ କହୁଛି। ଗତ ୧୨ ଦିନ ଭିତରେ ପ୍ରାୟ ୧୩୦ ଜଣ ଲୋକ ଜୀବନ ହରାଇଛନ୍ତି। ଦେବଗଡ଼,ସୋନପୁର, ବୌଦ୍ଧ, ବଲାଙ୍ଗୀର ଓ ନୂଆପଡ଼ାକୁ ଛାଡ଼ିଦେଲେ ବାକି ୨୫ ଜିଲ୍ଲାରେ କରୋନା ଲୋକଙ୍କ ଜୀବନ ନେଇଛି।ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ମୃତକଙ୍କ ମଧ୍ୟରେ ୬୦ ପ୍ରତିଶତ ଲୋକଙ୍କର ଡାଏବେଟିସ କିମ୍ବା ହାଇ ବ୍ଲଡପ୍ରେସର ଥିଲା। ଏଣୁ ଏହି ରୋଗ ଯେଉଁମାନଙ୍କର ରହିଛି ସେମାନଙ୍କୁ ସତର୍କ ରହିବାକୁ ବିଭାଗ କହିଛି। ବୁଧବାର ଦିନ ଯେଉଁ ୯ ଜଣଙ୍କର ମୃତ୍ୟୁ ହୋଇଥିଲା ସେମାନଙ୍କ ମଧ୍ୟରୁ ୫ ଜଣ ଡାଏବେଟିକ ଥିଲେ।କରୋନା ମୃତ୍ୟୁ ତାଲିକାରେ ସବୁଠୁ ଉପରେ ଗଞ୍ଜାମ ଜିଲ୍ଲା(୧୪୪) ଥିବା ବେଳେ ତା’ ତଳକୁ ଖୋର୍ଦ୍ଧା ଜିଲ୍ଲା(୪୨) ରହିଛି। କଟକ ଜିଲ୍ଲାରେ ମୃତ୍ୟୁସଂଖ୍ୟା ୧୧ ଥିବା ବେଳେ ଗଜପତି ଜିଲ୍ଲାରେ ୧୬ ଜଣ ପ୍ରାଣ ହରାଇଛନ୍ତି। ଇତି ମଧ୍ୟରେ ଓଡ଼ିଶାରେ ମୋଟ ପଜିଟିଭ୍ କେସ୍ ୫୦ ହଜାର ଅତିକ୍ରମ କରିଛି।

Comment