ଓଡିଶାଲାଇଭ୍ ବ୍ୟୁରୋ

ଆଜି ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ ଓପିଡିରେ ପୁଣି ରୋଗୀ ସେବା ଆରମ୍ଭ ହୋଇଛି। ଗତ ଜୁଲାଇ ମାସ ପ୍ରଥମ ସପ୍ତାହରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଓପିଡିକୁ ବନ୍ଦ କରାଯାଇଥିଲା। ବର୍ତ୍ତମାନ ଜିଲ୍ଲାରେ କରୋନା ସ୍ଥିତି ସୁଧୁରୁଛି। ତେଣୁ ଏମ୍‌କେସିଜି ଓପିଡି ଖୋଲାଯାଇଥିବା ନେଇ ମେଡିକାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ଗହଳି ଏଡ଼ାଇବା ପାଇଁ ଓପିଡି ଆଗରେ ବ୍ୟାରିକେଡ୍ ନିର୍ମାଣ କରାଯାଇଛି। ଏଥିସହ ଓପିଡିରେ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି।BGUମେଡିକାଲର କିଛି ବିଭାଗକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପରେ ଓପିଡି ଖୋଲିଥିବା ନେଇ ସୂଚନା ମିଳିଛି। ମେଡିସିନ୍ ବିଭାଗକୁ ପିଏମ୍‌ଆର୍ ବିଲ୍ଡିଂ, ସ୍କିନ୍ ବିଭାଗକୁ ଆଉଟ୍‌ଡୋର ଏବଂ ଯକ୍ଷ୍ମା ବିଭାଗ ଆଇଡି ଓ୍ଵାର୍ଡକୁ ସ୍ଥାନାନ୍ତର କରାଯାଇଛି।

କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଗତ ଜୁଲାଇ ୮ ତାରିଖରୁ ଏମ୍‌କେସିଜି ଓପିଡି ବନ୍ଦ ରହିଥିଲା। ଏହା ଫଳରେ ଅଣକୋଭିଡ୍ ରୋଗୀଙ୍କ ଚିକିତ୍ସାରେ ଅସୁବିଧା ହେଉଥିବା ଦର୍ଶାଇ ଅନନ୍ତ ନାରାୟଣ ମହାନ୍ତି ନାମକ ଜଣେ ବ୍ୟକ୍ତି ମାମଲା ଦାଏର କରିଥିଲେ। ହାଇକୋର୍ଟରେ ମାମଲାର ଶୁଣାଣି ଚାଲିଥିଲା।ଗତକାଲି ରାଜ୍ୟ ସରକାରଙ୍କୁ ଏ ସଂକ୍ରାନ୍ତରେ ସୂଚନା ପ୍ରଦାନ ଲାଗି ହାଇକୋର୍ଟ ନିର୍ଦ୍ଦେଶ ଦେବା ସହ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୦ ତାରିଖକୁ ଧାର୍ଯ୍ୟ କରିଥିଲେ। ତେବେ ଆଜି ଓପିଡି ଖୋଲିଥିବା ନେଇ ସୂଚନା ମିଳିଛି।

Comment