ଓଡ଼ିଶାଲାଇଭ୍ ବ୍ୟୁରୋ

“ଶିକ୍ଷାକୁ ‘ଫିଜିକାଲରୁ ଡିଜିଟାଲ’ ପ୍ରୟୋଗକୁ ଯିବାକୁ ହେବ’’ – ‘ମୋ ସ୍କୁଲ’ ଅଧ୍ୟକ୍ଷା ସୁସ୍ମିତା ବାଗ୍‌ଚୀ କୋଭିଡ ମହାମାରୀ ପରିସ୍ଥିତିରେ ଭବିଷ୍ୟତକୁ ଲକ୍ଷ୍ୟ କରି ଏଭଳି କହିଛନ୍ତି।

କରୋନା ମହାମାରୀରେ ସବୁଠୁ ଅଧିକ ପ୍ରଭାବିତ ହୋଇଛନ୍ତି ଆମ ଦେଶର ଭବିଷ୍ୟତ, ଅର୍ଥାତ ଛାତ୍ରଛାତ୍ରୀ। ମହାମାରୀ ପାଇଁ ସ୍କୁଲ, କଲେଜ, ତାଲିମ କେନ୍ଦ୍ର, ଗବେଷଣା କେନ୍ଦ୍ର ସବୁକିଛି ବନ୍ଦ। ଯେଉଁମାନେ ପାଠ ପଢ଼ୁଥିଲେ, ଗବେଷଣା କରୁଥିଲେ ବା ତାଲିମ ନେଉଥିଲେ ସେମାନେ ଏବେ ଘରେ। ଏଭଳି ପରିସ୍ଥିତିରେ ଶିକ୍ଷା, ଗବେଷଣା, ତାଲିମକୁ କିପରି ନିରନ୍ତର କରାଯିବ ସେନେଇ ବିଶେଷଜ୍ଞମାନେ ଚିନ୍ତା କରୁଛନ୍ତି। ଏଥିପାଇଁ ଡିଜିଟାଲ ହିଁ ମାଧ୍ୟମ ପାଲଟିଛି। ଏହି ଡିଜିଟାଲ ମାଧ୍ୟମ ଏବେ ସମସ୍ତଙ୍କ ପାଇଁ ପୂରା ନୂଆ। ଲୋକେ ଏହି ନୂଆ ଧାରାକୁ କିଭଳି ଆପଣେଇ ଆଗକୁ ବଢ଼ିବେ ସେ ସମ୍ପର୍କରେ ବିସ୍ତୃତ ଭାବେ କହିଛନ୍ତି ‘ମୋ ସ୍କୁଲ’ ଅଭିଯାନର ଅଧ୍ୟକ୍ଷା ସୁସ୍ମିତା ବାଗଚୀ।

ୟୁନିସେଫ୍, ଓଡିଶାଲାଇଭ୍ ଏବଂ ସ୍ଵାସ୍ଥ୍ୟପ୍ଲସର ମିଳିତ ଅଭିଯାନ ‘କେତେ ନୂଆ ବାଟ’ର ଦ୍ଵାଦଶ ଅଧ୍ୟାୟ ‘ବିଲ୍ଡିଂ ବ୍ୟାକ୍ ବେଟର’ରେ ଯୋଗ ଦେଇ ସୁସ୍ମିତା ବାଗଚୀ କହିଛନ୍ତି,  “କୋଭିଡ ୧୯ ପୂରା ପୃଥିବୀରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଛି। ଏଭଳି ସମୟରେ ଜୀବନ ଆଉ ଜୀବିକା ଆମର ପ୍ରଧାନ ଲକ୍ଷ୍ୟ। କିନ୍ତୁ ପରବର୍ତ୍ତୀ ପିଢ଼ି ପାଇଁ ପ୍ରଥମ କତ୍ତର୍ବ୍ୟ ହେଲା ଶିକ୍ଷାଦାନ। କାରଣ ଯେହେତୁ ଚିରାଚରିତ ଭାବେ ଏବେ କୌଣସି କାମ ହେଉନାହିଁ ସେଥିପାଇଁ ଆମକୁ ନୂତନତ୍ୱକୁ ସ୍ୱୀକାର କରିବାକୁ ପଡ଼ିବ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଶିକ୍ଷାଦାନ ଓ ଶିକ୍ଷା ପଦ୍ଧତିର ପୁନର୍ବିଚାର କରିବାକୁ ହେବ”।‘‘ଆଜି ପର୍ଯ୍ୟନ୍ତ ଉନ୍ନତ ଦେଶମାନଙ୍କର ପ୍ରଦ୍ୟୋଗିକ ବ୍ୟବହାର ବା ଟେକ୍ନୋଲୋଜିର ବ୍ୟବହାର ଆମ ଦେଶଠାରୁ ଅଧିକ ଥିଲା। ଯଦିଓ ଇଣ୍ଟରନେଟ ଓ ସ୍ମାର୍ଟଫୋନର ବ୍ୟବହାର ଆମ ଦେଶରେ ବଢ଼ିବାକୁ ଲାଗିଥିଲା ତେଣୁ କୁହାଯାଉଥିଲା ଯେ ୨୦୨୩ ସୁଦ୍ଧା ୫୦ କୋଟି ଭାରତୀୟଙ୍କ ହାତରେ ଫୋନ ଇଣ୍ଟରନେଟ ରହିବ। କିନ୍ତୁ ତାହା ଶିକ୍ଷାକ୍ଷେତ୍ରରେ ପରିବର୍ତ୍ତନ ଆଣିବ ସେ ବିଷୟରେ ଆଗରୁ କେହି ଚିନ୍ତା କରିନଥିଲେ। ଏବେ ସେଇ ପରିବର୍ତ୍ତନର ସମୟ ଆସିଛି। ଅନଲାଇନ ଶିକ୍ଷା ଓ ମିଶ୍ରିତ ଶିକ୍ଷା କିଭଳି ଉପଯୋଗୀ ହେବ ସେ ବିଷୟରେ ପରୀକ୍ଷା ନିରୀକ୍ଷା ଚାଲିଛି’’, କହିଛନ୍ତି ସୁସ୍ମିତା ବାଗଚୀ।

ବୌଦ୍ଧିକ ସ୍ତରରେ ବିକାଶ ଆଣିବାକୁ ହେବ

ସେ ଆହୁରି କହିଛନ୍ତି,‘‘ଶିକ୍ଷାକ୍ଷେତ୍ରରେ ଏକ ନୂଆ ବିପ୍ଳବ ଆଣିଛି ‘Massive Open Online Courses’। ଶିକ୍ଷାକୁ ଶ୍ରେଣୀଗୃହରୁ ଛାତ୍ରଛାତ୍ରୀମାନଙ୍କର ଘରକୁ ନେବାକୁ ହେଲେ କେବଳ ସ୍ମାର୍ଟଫୋନ କି ଇଣ୍ଟରନେଟ ନୁହେଁ ସମସ୍ତଙ୍କୁ ମାନସିକ ବୌଦ୍ଧିକ ସ୍ତରରେ ବିକାଶ ଆଣିବାକୁ ହେବ। ବାପା, ମା’, ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅନ୍ୟ ଗୁରୁଜନମାନେ ନୂତନକୁ ଆପଣାର କଲେ ଛାତ୍ରଛାତ୍ରୀଙ୍କର ଚିନ୍ତାଧାରା, ଶିକ୍ଷାଗ୍ରହଣ ଓ ବୁଦ୍ଧିର ବିକାଶ ହୋଇପାରିବ’’।କୋଭିଡ ସମୟରେ ‘ମୋ ସ୍କୁଲ’ର ଭୂମିକା

୨୦୧୭ ମସିହା ନଭେମ୍ବର ୧୪ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରାତନ ଛାତ୍ରଛାତ୍ରୀ ଓ ସମାଜ ସହିତ ବିଦ୍ୟାଳୟକୁ ଯୋଡ଼ିବା ପାଇଁ ‘ମୋ ସ୍କୁଲ’ ଅଭିଯାନର ଶୁଭାରମ୍ଭ କରିଥିଲେ। ଏହାରି ଭିତରେ ପ୍ରାୟ ୧ ଲକ୍ଷ ୭୦ ହଜାରରୁ ଅଧିକ ବ୍ୟକ୍ତି ଏହା ସହ ଯୋଡ଼ି ହୋଇଛନ୍ତି। ସେମାନେ ନିଜ ଇଚ୍ଛାରେ ନିଜ ସମୟ ଓ ସେବା ଦେବା ସହିତ ଆର୍ଥିକ ଅନୁଦାନ ମଧ୍ୟ ଦେଉଛନ୍ତି। ସେହିଭଳି ବ୍ୟକ୍ତିମାନଙ୍କଠାରୁ ମିଳିଥିବା ଆର୍ଥିକ ଅନୁଦାନର ପରିମାଣ ହେଉଛି ୪୧ କୋଟି ଟଙ୍କା। ଏହା ସହିତ ମୋ ସ୍କୁଲ ଅଭିଯାନ ପକ୍ଷରୁ ସରକାରୀ ଅନୁଦାନ ୮୨ କୋଟି ଟଙ୍କାକୁ ମିଶାଇ ଦିଆଯାଇଛି। ଅର୍ଥାତ ସମୁଦାୟ ୧୨୩ କୋଟି ଟଙ୍କା ରହିଛି। ମୋ ସ୍କୁଲ ଅଭିଯାନ ଏହି ପରିବର୍ତ୍ତନ ସମୟରେ ବଡ଼ ପ୍ରସ୍ତୁତି କରୁଛି।

ଦେଶ ବିଦେଶର ବହୁ ପ୍ରସିଦ୍ଧ ସଂସ୍ଥା ତଥା ୟୁନିସେଫ୍, ବ୍ରିଟିଶ କାଉନ୍ସିଲ, ଟାଟା ଟ୍ରଷ୍ଟ ମଧ୍ୟ ସହାୟତରେ ହାତ ବଢ଼ାଇଛନ୍ତି। ଏହି ସଂସ୍ଥା ସହ ଜଡ଼ିତ ହୋଇ ମୋ ସ୍କୁଲ ଅଭିଯାନ କାର୍ଯ୍ୟ କରିବା ଆରମ୍ଭ କରିଛି।BGU‘‘ଏହି କୋଭିଡ୍ ସମୟରେ ବିଭିନ୍ନ ସ୍କୁଲରେ ନୂଆ ପ୍ରକଳ୍ପର ପରିଯୋଜନା ଆରମ୍ଭ ହୋଇଛି। ଟେକ୍ନୋଲୋଜି ସାହାଯ୍ୟରେ ସାହଯ୍ୟରେ ନୂଆ ନୂଆ ପରିକଳ୍ପନା ମଧ୍ୟ ଏଥିରେ ରହିଛି। ମୋ ସ୍କୁଲ ଅଭିଯାନ ପକ୍ଷରୁ ଶିକ୍ଷକମାନଙ୍କ ପାଇଁ ଭର୍ଚୁଆଲ ଟ୍ରେନିଂ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ ହୋଇଛି’’, କହିଛନ୍ତି ସୁସ୍ମିତା ବାଗଚୀ।

କୋଭିଡ୍-୧୯ ଭଳି ପରିସ୍ଥିତିରେ ପୁରାତନ ଛାତ୍ରଛାତ୍ରୀ ମଧ୍ୟ ସହଯୋଗ କରୁଛନ୍ତି। ସେମାନଙ୍କ ଆଗ୍ରହ ଆଗଭଳି ରହିଛି। ସମସ୍ତଙ୍କ ସହଯୋଗ ରହିଲେ ଏହି ଅଭାବନୀୟ ପରିସ୍ଥିତିରେ ପିଲାମାନେ ପଛରେ ରହିଯିବେ ନାହିଁ ବୋଲି କହିଛନ୍ତି ସୁସ୍ମିତା ବାଗଚୀ।କୋଭିଡ୍ ମୁକାବିଲାରେ ୟୁନିସେଫ୍ ଓ ଓଡ଼ିଶାର ବିଭିନ୍ନ ପଦକ୍ଷେପ, କୋଭିଡ୍ ହିରୋମାନଙ୍କର କାହାଣୀ, ବିଶେଷଜ୍ଞଙ୍କ ପରାମର୍ଶ ଆଦିକୁ ନେଇ ଆରମ୍ଭ ହୋଇଥିଲା ରେଡିଓ ଧାରାବାହିକ ‘କେତେ ନୂଆ ବାଟ’। ଏହି ଧାରାବାହିକ ଏବେ ଦ୍ୱାଦଶ ଅଧ୍ୟାୟରେ ପହଞ୍ଚିଛି। ଏହି ଅଧ୍ୟାୟର ବିଷୟ ବସ୍ତୁ ରହିଛି ‘ବିଲ୍ଡିଂ ବ୍ୟାକ୍ ବେଟର’। ଅର୍ଥାତ କୋଭିଡ୍ ମୁକାବିଲାରୁ ଆମେ ଯେଉଁ ଶିକ୍ଷା ପାଇଲେ ତାହାକୁ ଅଧାର କରି କିଭଳି ଆଗାମୀ ଦିନରେ ଏହିଭଳି ବିପତ୍ତିକୁ ସାମ୍ନା କରିବା ସେ ସମ୍ପର୍କରେ ଓଡ଼ିଶାଲାଇଭ୍ ଏବଂ ସ୍ୱାସ୍ଥ୍ୟ ପ୍ଲସ୍ ବିଭିନ୍ନ ବିଷୟର ବିଶେଷଜ୍ଞଙ୍କ ସହ ଏହି ଧାରାବାହିକରେ ଆଲୋଚନା କରୁଛି। ସେମାନଙ୍କର ଭାବନା, ଦୃଷ୍ଟିଭଙ୍ଗୀକୁ ଲୋକଙ୍କ ନିକଟରେ ପହଞ୍ଚାଉଛି।

ଏହି କାର୍ଯ୍ୟକ୍ରମ ପ୍ରତି ରବିବାର ସକାଳ ୧୦ଟା ୩୦ ମିନିଟରେ ଓଡ଼ିଶାରେ ଥିବା ଆକାଶବାଣୀର ସମସ୍ତ କେନ୍ଦ୍ରରୁ ପ୍ରସାରିତ ହେଉଛି। ଏଥିସହ ଓଡ଼ିଶାଲାଇଭ୍ ଏବଂ ସ୍ୱାସ୍ଥ୍ୟ ପ୍ଲସର ବିଭିନ୍ନ ସୋସିଆଲ ଚ୍ୟାନେଲରେ ମଧ୍ୟ ଏକ ସମୟରେ ପ୍ରସାରିତ ହେଉଛି। ଏହି କାର୍ଯ୍ୟକ୍ରମକୁ ପ୍ରସ୍ତୁତ କରିଛନ୍ତି ଓଡ଼ିଶାଲାଇଭ୍ ଓ ସ୍ୱାସ୍ଥ୍ୟପ୍ଲସ। ଏଥିରେ ସହଯୋଗ କରିଛନ୍ତି ୟୁନିସେଫ୍ ଓଡ଼ିଶା।

Comment