ଓଡିଶାଲାଇଭ୍ ବ୍ୟୁରୋ

(ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ନବରଙ୍ଗପୁର ଜିଲ୍ଲାରେ ଦିନକୁ ଦିନ କରୋନା ମହାମାରୀର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି। ତେବେ ତେନ୍ତୁଳିଖୁଣ୍ଟି ଥାନାର ଜଣେ ଏସ୍‌ଆଇ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଥାନା କର୍ମଚାରୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ନବରଙ୍ଗପୁର ଆରକ୍ଷୀ ଅଧୀକ୍ଷକ ନିତିନ କୁଶଲକରଙ୍କ ନିର୍ଦ୍ଦେଶ କ୍ରମେ ଥାନା ସମ୍ମୁଖରେ ଏକ ତମ୍ବୁ ଟାଙ୍ଗି ଥାନା କାର୍ଯ୍ୟ ଚାଲିଥିବା ଦେଖିବାକୁ ମିଳିଛି।

ତେନ୍ତୁଳିଖୁଣ୍ଟି ଥାନାକୁ ବିଭିନ୍ନ କାର୍ଯ୍ୟରେ ଆସୁଥିବା ଜନସାଧାରଣଙ୍କୁ ଥାନା ଭିତରେ ପ୍ରବେଶ କରିବାକୁ ବାରଣ କରାଯାଇଛି। ଏଥିସହ ଏହି ଅସ୍ଥାୟୀ ତମ୍ବୁରେ ଥାନାର ସମସ୍ତ କାର୍ଯ୍ୟ ପରିଚାଳିତ ହେଉଛି। ତମ୍ବୁ ଭିତରେ ସାନିଟାଇଜର ରଖି ଲୋକଙ୍କୁ ପ୍ରଥମେ ହାତ ସାନିଟାଇଜିଂ କରିବାକୁ ପରାମର୍ଶ ଦିଆଯାଉଛି। ଏହି ଅସ୍ଥାୟୀ ତମ୍ବୁରେ ସାଧାରଣ ଜନତାଙ୍କ କେସ୍ ଫଇସଲା ହେଉଥିବା ଦେଖିବାକୁ ମିଳିଛି।

ତେବେ ତେନ୍ତୁଳିଖୁଣ୍ଟି ଥାନା କର୍ମଚାରୀ ଜଣଙ୍କ କରୋନାରେ ଆକ୍ରାନ୍ତ ହେବା ପରେ ସମ୍ପୃକ୍ତ ଥାନା କର୍ମଚାରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ବିକଳ୍ପ ବ୍ୟବସ୍ଥା କରାଯାଇଥିବା ଆଇଆଇସି ପ୍ରମୋଦ କୁମାର ନାୟକ କହିଛନ୍ତି। ଏଥିସହ ସରକାରୀ ନିୟମକୁ ଅନୁପାଳନ ପୂର୍ବକ ସମସ୍ତ ଜନସାଧାରଣ କରୋନାଠାରୁ ନିଜକୁ ଦୁରେଇ ରଖି ଏକ ସୁସ୍ଥ ସମାଜ ଗଠନ ଦିଗରେ ସହାୟକ ହେବାପାଇଁ ଆଇଆଇସି ଶ୍ରୀ ନାୟକ ଅନୁରୋଧ କରିଛନ୍ତି।BGUଗତ କିଛିଦିନ ହେଲା ତେନ୍ତୁଳିଖୁଣ୍ଟିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଇଥିବା ଯୋଗୁଁ ସମସ୍ତ ସରକାରୀ ଅନୁଷ୍ଠାନ ସତର୍କତା ଅବଲମ୍ବନ କରି ଅଫିସ କାର୍ଯ୍ୟ ପରିଚାଳନା କରୁଛନ୍ତି। ଅନ୍ୟପଟେ ଜିଲ୍ଲାର ସମସ୍ତ ବ୍ଲକ କାର୍ଯ୍ୟାଳୟ, ତହସିଲ କାର୍ଯ୍ୟାଳୟ, ଡାକ୍ତରଖାନା, ଲ୍ୟାମ୍ପସ କାର୍ଯ୍ୟାଳୟରେ ମଧ୍ୟ ସତର୍କତା ଅବଲମ୍ବନ କରାଯାଉଥିବା ଦେଖିବାକୁ ମିଳିଛି।

Comment