ଓଡ଼ିଶାଲାଇଭ୍ ବ୍ୟୁରୋ

ଏଣିକି କପି-ପେଷ୍ଟ ଟୁଇଟ୍ ଉପରେ ଲଗାମ ଲଗାଇବା ପାଇଁ ଟ୍ଵିଟର ବଡ଼ ପଦକ୍ଷେପ ନେଇଛି।

ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ଵିଟର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି ଯାହାକି ବିଭିନ୍ନ ରାଜନୈତିକ ଦଳ ଏବଂ ସଂସ୍ଥା ପାଇଁ କାମ କରୁଥିବା ଆଇଟି ସେଲ୍‌ର ଚିନ୍ତା ବଢ଼ାଇଦେଇଛି। ଟ୍ଵିଟର କପି-ପେଷ୍ଟ କରାଯାଉଥିବା ଟୁଇଟ୍‌କୁ ଲୁଚାଇବା(ହାଇଡ୍) ପାଇଁ ନିଷ୍ପତ୍ତି ନେଇଛି। ଏହାଦ୍ଵାରା ଯଦି ଆପଣ ଅନ୍ୟ କାହାର ଟୁଇଟ୍‌କୁ କପି-ପେଷ୍ଟ କରୁଥାନ୍ତି ତେବେ ତାହା ଆପଣଙ୍କ ଟାଇମ୍‌ଲାଇନ୍‌ରୁ ହାଇଡ୍ କରିଦିଆଯିବ ବୋଲି ଟ୍ଵିଟର ପକ୍ଷରୁ କୁହାଯାଇଛି।

ଟ୍ଵିଟର ପକ୍ଷରୁ ଟୁଇଟ୍ କରି ଏଭଳି ପଦକ୍ଷେପ ସମ୍ପର୍କରେ ସୂଚନା ଦିଆଯାଇଛି। ଟ୍ଵିଟର ପକ୍ଷରୁ କୁହାଯାଇଛି ଯେ, ଗତ କିଛି ବର୍ଷ ହେବ କପି-ପେଷ୍ଟ କରି ବହୁ ମାତ୍ରାରେ ଟୁଇଟ୍ କରାଯାଉଛି। ଗୋଟିଏ ଟୁଇଟ୍‌କୁ ଅନେକ ଲୋକ କପି କରି ପୁଣି ଥରେ ଟୁଇଟ୍ କରୁଛନ୍ତି। ତେଣୁ ଆମେ ଏଭଳି ଟୁଇଟ୍‌ର ଭିଜିବିଲିଟି କମ୍ କରିବାକୁ ନିଷ୍ପତ୍ତି ନେଇଛୁ।

ଟ୍ଵିଟର ନିଜ ନୂଆ ପଲିସିରେ କପି-ପେଷ୍ଟ ଟୁଇଟ୍‌କୁ ବି ସାମିଲ କରିଛି। ଏହାକୁ ନେଇ ମୋବାଇଲ ଆପ୍‌ରେ ମଧ୍ୟ ଟ୍ଵିଟର ଏକ ନୂଆ ଫିଚର ଜାରି କରିଛି। ଏହି ଫିଚର ସାହାଯ୍ୟରେ ଆପଣ ନିଜ ଟୁଇଟ୍‌କୁ କପି କରିବାର ବିକଳ୍ପ ବନ୍ଦ କରିପାରିବେ। ଏଥିସହ କମ୍ପାନି ନିକଟରେ ‘ରିଟୁଇଟ୍ ଓ୍ଵିଥ୍ କୋଟ୍’ ଫିଚର ବି ଜାରି କରିଛି।

କପି-ପେଷ୍ଟ ଟୁଇଟ୍‌ ବିଶେଷକରି ସ୍ପାମିଂ ଏବଂ କୌଣସି କ୍ୟାମ୍ପେନ ପାଇଁ କରାଯାଇଥାଏ। ଅନେକ ସମୟରେ ଗୋଟିଏ ଟୁଇଟ୍‌କୁ ହଜାର ହଜାର ଆକାଉଣ୍ଟରୁ ଟୁଇଟ୍ କରାଯାଇଥିବାର ଦେଖାଯାଏ। ଏସବୁ କୌଣସି ବିଷୟକୁ ନେଇ ଟ୍ରେଣ୍ଡିଂ ଏବଂ କୌଣସି ବିଶିଷ୍ଟ ବ୍ୟକ୍ତି କିମ୍ବା ସଂସ୍ଥାକୁ ଟାର୍ଗେଟ୍ କରିବା ପାଇଁ କରାଯାଇଥାଏ। ବିଶେଷକରି ଏପରି ଟୁଇଟ୍ ରାଜନୈତିକ ପ୍ରୋପାଗେଣ୍ଡା ପାଇଁ କରାଯାଇଥାଏ।BGUକପି-ପେଷ୍ଟ ଟୁଇଟ୍‌ କରି ଜଣେ ଲୋକ ଅନ୍ୟ ଜଣଙ୍କର କଣ୍ଟେଣ୍ଟକୁ ମଧ୍ୟ ଚୋରି କରିପାରନ୍ତି ଏବଂ ନିଜ ନାଁରେ ତାକୁ ଟୁଇଟ୍ କରିଦିଅନ୍ତି। ଏହାଦ୍ଵାରା ଯିଏ ପ୍ରଥମେ ଟୁଇଟ୍ କରିଥାନ୍ତି ତାଙ୍କ ଅପେକ୍ଷା କପି-ପେଷ୍ଟ କରୁଥିବା ଲୋକଙ୍କର ବେଶୀ ଫାଇଦା ହୋଇଥାଏ। ଏ ସମସ୍ତ ବିଷୟକୁ ଦୃଷ୍ଟିରେ ରଖି ଟ୍ଵିଟର ପକ୍ଷରୁ କପି-ପେଷ୍ଟ ଟୁଇଟ୍ ବିପକ୍ଷରେ ଏଭଳି ପଦକ୍ଷେପ ନିଆଯାଇଛି।

Comment