ଓଡ଼ିଶାଲାଇଭ୍ ବ୍ୟୁରୋ

ବର୍ଷା-ଅନୁଭବ ବିବାଦର ସମାଧାନ କରିବାକୁ ଯାଇଥିବା ମାନବାଧିକାରଙ୍କୁ ନିରାଶ କଲେ ଅନୁଭବ। ଗତକାଲି ଦେଖାକରିବାକୁ କଥା ଦେଇ ଆଜି କଥାରୁ ଓହରିଗଲେ। କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ନାଁରେ ଏଭଳି ଅଭିଯୋଗ କରିଛନ୍ତି ଓଡ଼ିଶା ମାନବାଧିକାର କମିସନ ମୁଖ୍ୟ ଗୀତାଶ୍ରୀ ଦାସ।

ଗୀତାଶ୍ରୀଙ୍କ କହିବା ଅନୁଯାୟୀ, ବର୍ଷା ସମାଧାନ ଚାହୁଁଛନ୍ତି। ଶେଷ ନିଃଶ୍ଵାସ ପର୍ଯ୍ୟନ୍ତ ସେ ନିଜ ଶାଶୁଘରେ ଏହି ବିବାଦର ସମାଧାନ କରିବାକୁ କହିଛନ୍ତି। ଯଦି ସମାଧାନ ନହୁଏ ତେବେ ସେ କୋର୍ଟରେ ନିଜ ମତ ରଖିବେ ବୋଲି କହିଛନ୍ତି।“ଗତକାଲି ଆମେ ଅନୁଭବଙ୍କ ଘରକୁ ଯାଇ ସେଠାରେ ବର୍ଷା ଓ ଅନୁଭବ ସହ ପୃଥକ ଭାବେ ଆଲୋଚନା କରିଥିଲୁ। କାଲି ଅନୁଭବ ଆଲୋଚନା ବେଳେ ଆମକୁ ସହଯୋଗ କରିଥିଲେ। ତେବେ ଆଜି ପୁଣି ଥରେ ଉଭୟଙ୍କୁ ଏକାଠି ବସାଇ ଆଲୋଚନା କରିବାକୁ ସେ ଆମକୁ ପ୍ରତିଶୃତି ଦେଇଥିଲେ। କିନ୍ତୁ ଆଜି ଆମେ ଯେତେବେଳେ ଆସିଲୁ ସେତେବେଳେ ସେ ତାଙ୍କ ବାପାଙ୍କୁ ହସ୍ପିଟାଲରେ ଦେଖା କରି ଦିଲ୍ଲୀ ଚାଲିଯିବେ ବୋଲି କହିଲେ। ଆମକୁ ଭେଟିବାକୁ ମନା କରିଦେଲେ। ଗତକାଲି ଆମେମାନେ ମିଡିଆକୁ ଦେଇଥିବା ବୟାନରେ ସେ ମର୍ମାହତ ବୋଲି ଅନୁଭବ କହିଲେ”, ଗୀତାଶ୍ରୀ କହିଛନ୍ତି।

ତେବେ ସାଂସଦ ମର୍ମାହତ ହେବା ଭଳି ଆମେ କିଛି କହିନାହୁଁ। ଆମେ ସେମାନଙ୍କ ଘର ଭାଙ୍ଗିବାକୁ ଚାହୁଁନାହୁଁ। ବରଂ ଉଭୟଙ୍କ ମଧ୍ୟରେ ବୁଝାମଣା କରିବାକୁ ଚାହୁଁଛୁ। କିନ୍ତୁ ସେ ତାଙ୍କ କଥାରୁ ଓହରିଯାଇଥିବାରୁ ଆମକୁ ଖରାପ ଲାଗୁଛି। ଏଭଳି ବ୍ୟବହାର ଜଣେ ସାଂସଦଙ୍କଠାରୁ ଆଶା କରାଯାଏନାହିଁ ବୋଲି ଗୀତାଶ୍ରୀ କହିଛନ୍ତି।BGUଅନ୍ୟପଟେ ମାନବାଧିକାର କର୍ମୀମାନେ ପ୍ରତାରଣା କରିଛନ୍ତି ବୋଲି ଅନୁଭବ ଅଭିଯୋଗ କରିଛନ୍ତି। ଗତକାଲି ଆଲୋଚନା ପରେ ମୁଁ କିମ୍ବା ମାନବାଧିକାର କର୍ମୀମାନେ ମିଡିଆରେ ପ୍ରତିକ୍ରିୟା ରଖିବେ ନାହିଁ ବୋଲି ସ୍ଥିର ହୋଇଥିଲା। କିନ୍ତୁ ସେମାନେ ମିଡିଆ ସାମ୍ନାରେ ପ୍ରତିକ୍ରିୟା ରଖିଥିଲେ ଏବଂ ମୋ ନାଁରେ ମିଛ କହିଥିଲେ ବୋଲି ଅନୁଭବ ଟୁଇଟ୍ କରିଛନ୍ତି। ସେମାନେ ମୋ ପଛରୁ ଛୁରାଘାତ କରିଛନ୍ତି ବୋଲି ଅନୁଭବ ଅଭିଯୋଗ କରିଛନ୍ତି। ଏଥିସହ ବର୍ଷା ଏବଂ ତାଙ୍କ ପରିବାର ସହିତ ମାନବାଧିକାର କମିସନର ଓଡ଼ିଶା ମୁଖ୍ୟ ଗୀତାଶ୍ରୀ ଦାସଙ୍କ ସମ୍ପର୍କ ରହିଥିବା ଅନୁଭବ କହିଛନ୍ତି।

Comment