ଓଡ଼ିଶାଲାଇଭ୍ ବ୍ୟୁରୋ

ଆପଲ ଅନ୍‌ଲାଇନ୍‌ ଷ୍ଟୋର୍‌ରେ କ’ଣ ସବୁ ସୁବିଧା ମିଳିବ ଜାଣନ୍ତୁ…

  • ସେପ୍ଟେମ୍ବର ୨୩ରୁ ଶୁଭାରମ୍ଭ
  • ମିଳିବ ବିଭିନ୍ନ ଉପହାର ଓ ଅଫର୍
  • ହିନ୍ଦୀ ଓ ଇଂରାଜୀରେ ମିଳିବ ସୂଚନା

ଆମେରିକାର ଟେକ୍ନୋଲୋଜି କମ୍ପାନି ଆପଲ୍ ଭାରତରେ ନିଜର ପ୍ରଥମ ଅନ୍‌ଲାଇନ୍‌ ଷ୍ଟୋର୍ ଲଞ୍ଚ୍ କରିବାକୁ ଯାଉଛି। ଆସନ୍ତା ୨୩ ତାରିଖରେ ଏହାକୁ ଲଞ୍ଚ୍ କରାଯିବ। ତେବେ ଏହି ଷ୍ଟୋର୍‌ରେ ଗ୍ରାହକଙ୍କୁ କେଉଁ ସବୁ ସୁବିଧା ମିଳିବ ଜାଣନ୍ତୁ..

ଆପଲ ନିଜ ଗ୍ରାହକଙ୍କ ପାଇଁ ଭାରତରେ ପ୍ରଥମ କରି ଏହି ସେବା ପ୍ରଦାନ କରିବାକୁ ଯାଉଛି। ଭାରତରେ ପୂର୍ବରୁ କେବଳ କମ୍ପାନିର ଅଫିସିଆଲ ଓ୍ଵେବ୍‌ସାଇଟ୍ ଏବଂ ଇ-କମର୍ସ ଓ୍ଵେବ୍‌ସାଇଟ୍‌ରେ ହିଁ ଆପଲ ସାମଗ୍ରୀ ମିଳୁଥିଲା। କିନ୍ତୁ ଏବେ ଗ୍ରାହକମାନେ ସିଧାସଳଖ ଆପଲର ଅନ୍‌ଲାଇନ୍‌ ଷ୍ଟୋର୍‌ରୁ ସାମଗ୍ରୀ କିଣିବେ।

ସାରା ବିଶ୍ଵରେ ଥିବା ଆପଲ୍‌ ଷ୍ଟୋର୍‌ଗୁଡ଼ିକରେ ଯେଉଁ ସବୁ ସୁବିଧା ପ୍ରଦାନ କରାଯାଉଛି ସେସବୁ ଭାରତରେ ମଧ୍ୟ ମିଳିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି। ଏହି ଅନ୍‌ଲାଇନ୍‌ ଷ୍ଟୋର୍‌ର ବିଭିନ୍ନ ସାମଗ୍ରୀ ସମ୍ପର୍କରେ ଗ୍ରାହକମାନେ ହିନ୍ଦୀ ଓ ଇଂରାଜୀ ଭାଷାରେ ସୂଚନା ପାଇପାରିବେ।

ଅନ୍‌ଲାଇନ୍ ଷ୍ଟୋରରୁ ଆପଲ ଡିଭାଇସ୍‌ ସପୋର୍ଟ ମଧ୍ୟ ମିଳିବ। ଆପଲ ବିଶେଷଜ୍ଞଙ୍କଠାରୁ ଗ୍ରାହକମାନେ ମ୍ୟାକ୍ କନ୍‌ଫିଗରଠାରୁ ଆରମ୍ଭ କରି ଡିଭାଇସ୍ ସେଟ୍‌ଅପ୍ ପର୍ଯ୍ୟନ୍ତ ସମସ୍ତ ବିଷୟରେ ଜାଣିପାରିବେ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।

ଆପଲ ଅନ୍‌ଲାଇନ୍ ଷ୍ଟୋର୍‌ରେ ବିଭିନ୍ନ ପ୍ରକାର ଅଫର୍ ମଧ୍ୟ ମିଳିବ। ଷ୍ଟୁଡେଣ୍ଟ୍ସ ମ୍ୟାକ୍ ବା ଆଇପ୍ୟାଡ୍ ସ୍ପେଶାଲ କି’ରେ ମଧ୍ୟ କିଣିପାରିବେ। ଏଥିସହ ଆପଲକେୟାର+ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ସାମଗ୍ରୀ ଉପରେ ରିହାତି ମଧ୍ୟ ପାଇପାରିବେ।ଏହାଛଡ଼ା ପାର୍ବଣ ଋତୁରେ ଆପଲ ସାମଗ୍ରୀ ସହିତ ସ୍ଵତନ୍ତ୍ର ଉପହାର ମଧ୍ୟ ମିଳିବ ବୋଲି କମ୍ପାନି ପକ୍ଷରୁ ସୂଚନା ମିଳିଛି।

Comment