ଓଡ଼ିଶାଲାଇଭ୍ ବ୍ୟୁରୋ

ଉପ-ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରେ ରାଜନୀତି ସରଗରମ ହୋଇଛି। ଗତକାଲି କଂଗ୍ରେସ ଦଳରୁ ଇସ୍ତଫା ଦେବା ପରେ ରାଜକିଶୋର ବେହେରା ଆଜି ବିଜେପିରେ ସାମିଲ ହୋଇଛନ୍ତି। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସେ ଦଳର ସଦସ୍ୟତା ଗ୍ରହଣ କରିବା ସହିତ ବିଧିବଦ୍ଧ ଭାବେ ବିଜେପିରେ ମିଶିଛନ୍ତି।

ଗତକାଲି ରାଜକିଶୋର ବେହେରା ନିଜର ଇସ୍ତଫା ପତ୍ର ପ୍ରଦେଶ କଂଗ୍ରେସ କମିଟିର ସଭାପତିଙ୍କ ନିକଟକୁ ପଠାଇ ଦେଇଥିଲେ। ଦଳ ତାଙ୍କୁ ୨୦୧୪ ମସିହାରୁ ଅଣଦେଖା କରୁଥିବାରୁ ସେ ଦଳରୁ ଇସ୍ତଫା ଦେଉଛନ୍ତି ବୋଲି କହିଥିଲେ। ଏଥିସହ କଂଗ୍ରେସରେ ଆଭ୍ୟନ୍ତରୀଣ ଗଣତନ୍ତ୍ର ବିପଦରେ ଅଛି। ତେଣୁ ଯେଉଁ ଦଳରେ ଆଭ୍ୟନ୍ତରୀଣ ଗଣତନ୍ତ୍ର ମଜଭୁତ ଥିବ ସେ ସେହି ଦଳକୁ ଯିବେ ବୋଲି ଗତକାଲି କହିଥିଲେ। ଏହାପରେ ଆଜି ସେ ବିଜେପିରେ ସାମିଲ ହୋଇଛନ୍ତି।ରାଜକିଶୋର ବେହେରା ୨୦୦୯ ଓ ୨୦୧୪ ନିର୍ବାଚନରେ କଂଗ୍ରେସ ଟିକେଟରୁ ତିର୍ତ୍ତୋଲ ବିଧାନସଭାରେ ପ୍ରାର୍ଥୀ ହୋଇଥିଲେ। ହେଲେ ଦୁଇ ନିର୍ବାଚନରେ ସେ ଜିତି ପାରିନଥିଲେ। ଏହାପରେ ସେ ୨୦୧୯ ନିର୍ବାଚନରେ ଟିକେଟ୍ ପାଇନଥିଲେ। ଦଳ ତାଙ୍କ ବଦଳରେ ଦେବୀ ପ୍ରସାଦ ମଲ୍ଲିକଙ୍କୁ ପ୍ରାର୍ଥୀ କରିଥିଲା। ଏହାପରେ ସେ ଦଳରେ ଅଣଦେଖା ହେଉଥିବା ଅଭିଯୋଗ କରିଛନ୍ତି।ଅନ୍ୟପଟେ ସେ ବିଜେପିରେ ସାମିଲ ହେବା ପରେ ଆଗାମୀ ଉପ-ନିର୍ବାଚନରେ ବିଜେପି ପ୍ରାର୍ଥୀ ହୋଇପାରନ୍ତି ବୋଲି କୁହାଯାଉଛି। ବିଜେପି ରାଜକିଶୋରଙ୍କୁ ପ୍ରାର୍ଥୀ କରି ଉଭୟ ବିଜେପି ଓ କଂଗ୍ରେସର ଭୋଟ ହାତେଇବାକୁ ଲକ୍ଷ୍ୟ ରଖିଛି।

ନଭେମ୍ବର ୨୯ ପୂର୍ବରୁ ରାଜ୍ୟରେ ଖାଲିପଡ଼ିଥିବା ବାଲେଶ୍ୱର ସଦର ଓ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରେ ଉପ ନିର୍ବାଚନ ହେବ। ଏଥିପାଇଁ ତିନୋଟି ଯାକ ପ୍ରମୁଖ ଦଳ ନିଜ ନିଜ ଭିତରେ କସରତ ଆରମ୍ଭ କରିଦେଇଛନ୍ତି।

Comment