ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ଚିକିତ୍ସାରୁ ସୁସ୍ଥ ହୋଇ ଘରକୁ ଫେରିବା ପରେ ମଧ୍ୟ ଆପଣଙ୍କଠାରେ ଅସୁସ୍ଥତାର କିଛି ଲକ୍ଷଣ ରହିଥାଏ। ତେଣୁ ନିଜ ପୂର୍ବ ସ୍ୱାଭାବିକ ଜୀବନକୁ ଫେରିବା ପାଇଁ ଆପଣ ଘରେ କିପରି ନିଜର ଯତ୍ନ ନେବେ, ତାହା ଜାଣନ୍ତୁ।

କରୋନା ଭୂତାଣୁ କବଳରୁ ଯଦି ଆପଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି, ତେବେ କରୋନା ସହ ଏକ ବଡ଼ ଲଢ଼େଇରେ ଆପଣଙ୍କ ଜିତାପଟ ହୋଇଛି। ଏହି ଉତ୍ସାହ ପାଇଁ ନିଜକୁ ସାବାସି ଦିଅନ୍ତୁ। ଯେହେତୁ ଆପଣଙ୍କୁ ନିଜ ଦୈନନ୍ଦିନ ଜୀବନ ବା ରୁଟିନ୍‌ ଲାଇଫ୍‌କୁ ଫେରିବାକୁ ହେବ, ତେଣୁ ଆଉ କିଛି ଛୋଟ ଛୋଟ ଲଢ଼େଇ ପାଇଁ ମଧ୍ୟ ପ୍ରସ୍ତୁତ ହୋଇଯାଆନ୍ତୁ।

ସୁସ୍ଥ ହେବା ପରେ ମଧ୍ୟ ରହିପାରେ କିଛି ଲକ୍ଷଣ

କରୋନାଜନିତ ଚିକିତ୍ସା ପରେ ମଧ୍ୟ ଆପଣଙ୍କଠାରେ କିଛି କିଛି ଅସୁସ୍ଥତାର ଲକ୍ଷଣ ରହିବ। ଯେପରି ଦୁର୍ବଳତା ଓ ଥକ୍କାପଣ, ଶ୍ୱାସକ୍ରିୟାରେ ସମସ୍ୟା, ଛାତିରେ ଜମାଟ ଓ କଫ ଜମିବା, କଫ ସହ କାଶ, ଭୋକ ନ ହେବା, ପାଟିର ରୁଚି ବଦଳିଯିବା, ମୁଣ୍ଡବିନ୍ଧା, ସ୍ମରଣଶକ୍ତି ଓ ଏକାଗ୍ରତାର ଅଭାବ, ଚିନ୍ତା, ନିଦ୍ରାରେ ସମସ୍ୟା, ଖରାପ ସ୍ୱପ୍ନ ବା କୋଭିଡ୍‌ ହସ୍ପିଟାଲ ବେଳର ଖରାପ ଅନୁଭୂତି ଭଳି ସମସ୍ୟା ଆପଣଙ୍କଠାରେ ଦେଖା ଦେଇପାରେ।

ଏଭଳି ଲକ୍ଷଣରୁ କିଭଳି ମୁକୁଳିବେ

  • ନିଜ ସାଧ୍ୟ ଅନୁସାରେ ଅଫିସ୍‌ କିମ୍ବା ବ୍ୟବସାୟ ସହ  ଘରକାମ କରନ୍ତୁ। ନିଜକୁ କିପରି ଅନୁଭବ ହେଉଛି, ତାହା ଉପରେ ଆଦୌ ଧ୍ୟାନ କେନ୍ଦ୍ରିତ କରନ୍ତୁ ନାହିଁ।
  • ଶକ୍ତି ପ୍ରଦାନକାରୀ ଖାଦ୍ୟ ଖାଆନ୍ତୁ। କଦଳୀ, ସେଓ, କମଳା, ଲାଲ ଚେରି କୋଳି, କନ୍ଦମୂଳ ଭଳି ଖାଦ୍ୟ ଆପଣଙ୍କୁ ଶକ୍ତି ଓ ଫୂର୍ତ୍ତି ଦେବ। ଉଷୁମ ପାଣିରେ ସାମାନ୍ୟ ଲେମ୍ବୁ ରସ ଓ ମହୁ ପକାଇ ପିଇଲେ ମଧ୍ୟ ଆପଣଙ୍କୁ ତୁରନ୍ତ ଶକ୍ତି ମିଳିବ।
  • ଛାତିରେ ଜମାଟ ଭଳି ସ୍ଥିତିରେ ଡାହାଣ ପଟକୁ କଡ଼ ଲେଉଟାଇ ଶୁଅନ୍ତୁ ଓ ଦୁଇ ଜଙ୍ଘ ମଝିରେ ତକିଆ ରଖନ୍ତୁ। ନଚେତ୍ ଡାହାଣ କଡ଼କୁ ଲେଉଟି ମୁଣ୍ଡ ତଳେ ୨/୩ଟି ତକିଆ ଦେଇ ଶୁଅନ୍ତୁ। ବାମ ହାତକୁ ଛାତି ଆଡ଼କୁ ଝୁଲାଇ ରଖନ୍ତୁ।
  • କଫ, କାଶ ପାଇଁ ଦିନକୁ ଦୁଇ କିମ୍ବା ତିନିଥର ୧୫ ମିନିଟ୍ ଲେଖାଏ ବାଷ୍ପ ଆଘ୍ରାଣ କରନ୍ତୁ।
  • କଫ ଯୋଗୁ ଛାତି ଓ ନାକରେ ଜମାଟ ହୁଏ ଓ ଏହା ଆପଣଙ୍କ ସୁନିଦ୍ରାକୁ ବ୍ୟାହତ କରେ। ଗୋଟିଏ ପଟକୁ କଡ଼ ଲେଉଟାଉ ଶୁଅନ୍ତୁ।
  • ଆମିଷ ଓ ଶାକାହାରୀ ସୁପ୍ ପିଅନ୍ତୁ। କାଢ଼ା ମଧ୍ୟ ପିଇପାରିବେ।
  • ଶ୍ୱାସକ୍ରିୟାରେ ସମସ୍ୟା ହେଲେ ଚେୟାର କିମ୍ବା ସୋଫାରେ ସହଜ ଓ ସଳଖ ହୋଇ ବସନ୍ତୁ। ନିଜ କାନ୍ଧକୁ ହାଲୁକା କରି ଉପର ତଳ ଥରେ ଦୁଇଥର କରନ୍ତୁ। ଆଖିକୁ ନରମ କରି ସାମ୍ନାକୁ ଚାହାଁନ୍ତୁ ଓ ଧୀରେଧୀରେ ପ୍ରଶ୍ୱାସ ନିଅନ୍ତୁ। ଏହା ଚିନ୍ତା କମାଇବା ସହ ଶ୍ୱାସକ୍ରିୟାକୁ ସହଜ କରିବ।
  • ନିଜକୁ ସହଜ ଲାଗୁଥିଲେ ସକାଳ ଓ ସନ୍ଧ୍ୟା ପାଦଚଲା ବା ମର୍ଣ୍ଣିଂ/ଇଭିନିଂ ୱାକ୍ ଅଳ୍ପ ସମୟ ପାଇଁ କରିପାରିବେ। ସ୍ୱାସ୍ଥ୍ୟ ଯେତିକି ଆବଶ୍ୟକ କରୁଛି, ସେହି ଅନୁସାରେ ଯୋଗାସନ, ପ୍ରାଣାୟାମ ଓ ଧ୍ୟାନ କରନ୍ତୁ।
  • ଯଥେଷ୍ଟ ନିଦ୍ରା ଯାଆନ୍ତୁ ଓ ବିଶ୍ରାମ ନିଅନ୍ତୁ।
  • ସିଗାରେଟ୍‌, ଆଲକହଲଠାରୁ ଦୂରେଇ ରୁହନ୍ତୁ।
  • ସ୍ମରଣ ଶକ୍ତି ଓ ଏକାଗ୍ରତା ରହୁ ନ ଥିଲେ ଡାକ୍ତରଙ୍କ ସହ ଯୋଗାଯୋଗ କରନ୍ତୁ।

Comment