ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକା ପ୍ରକାଶ କଲା ‘ଟାଇମ’ ମାଗାଜିନ
  • ତାଲିକାରେ ମୋଦୀଙ୍କ ନାଁ ବି ସାମିଲ
  • ଅନ୍ୟ ଭାରତୀୟଙ୍କ ଭିତରେ ସୁନ୍ଦର ପିଚାଇ, ଆୟୁଷ୍ମାନ ଖୁରାନା, ବିଲକିସ୍

ଆମେରିକାର ପ୍ରସିଦ୍ଧ ମାଗାଜିନ ‘ଟାଇମ’ ଦୁନିଆର ୧୦୦ ଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକା ପ୍ରକାଶ କରିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଏହି ତାଲିକାରେ ୫ ଜଣ ଭାରତୀୟ ରହିଛନ୍ତି। ଏହି ତାଲିକାରେ ଥିବା ଭାରତୀୟଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନା, ଗୁଗୁଲ ସିଇଓ ସୁନ୍ଦର ପିଚାଇ, ଏଚ୍‌ଆଇଭି ଉପରେ ଗବେଷଣା କରୁଥିବା ଡାକ୍ତର ରବିନ୍ଦ୍ର ଗୁପ୍ତା ଏବଂ ଶାହିନ୍ ବାଗ ଆନ୍ଦୋଳନରେ ଜଡିତ ଥିବା ବିଲକିସ୍ ଅଛନ୍ତି।

ଭାରତୀୟଙ୍କ ବ୍ୟତୀତ ଏହି ତାଲିକାରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ, ତାଇୱାନର ରାଷ୍ଟ୍ରପତି ସେଇ ଇଙ୍ଗ ୱେନ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ,  ଆମେରିକା ଉପରାଷ୍ଟ୍ରପତି ପଦ ପାଇଁ ଆଶାୟୀ ପ୍ରାର୍ଥୀ କମଲା ହାରିସ, ଜର୍ମାନୀ ଚାନ୍ସେଲର ଆଞ୍ଜେଲା ମର୍କେଲ ଏବଂ ବିଶ୍ୱର ଅନେକ ନେତା ଅଛନ୍ତି। ଏ ସମସ୍ତ ବ୍ୟକ୍ତି ଚଳିତ ବର୍ଷ କିଛି ନା କିଛି କାରଣରୁ ଚର୍ଚ୍ଚାରେ ରହି ଆସିଛନ୍ତି।

ସେହିପରି ଟାଇମ୍‌ ମାଗାଜିନରେ ସ୍ଥାନ ପାଇ ଆୟୁଷ୍ମାନ ନିଜକୁ ଗର୍ବିତ ଅନୁଭବ କରୁଛନ୍ତି ବୋଲି କହିଛନ୍ତି। ସୋସିଆଲ ମିଡିଆରେ ଆୟୁଷ୍ମାନ ତାଙ୍କ ଖୁସି ଜାହିର କରିଛନ୍ତି। ଅଭିନେତ୍ରୀ ଦୀପିକା ପାଦୁକୋନ ତାଙ୍କୁ ଶୁଭେଚ୍ଛା ମଧ୍ୟ ଦେଇଛନ୍ତି।

ଟାଇମ୍‌ ମାଗାଜିନ ପୂର୍ବର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଂଶସା ମଧ୍ୟ କରି ସାରିଛି। ମୋଦୀ ଭାରତକୁ ଏକଜୁଟ କରିଛନ୍ତି। ମୋଦୀଙ୍କ ପୂର୍ବରୁ କୌଣସି ପ୍ରଧାନମନ୍ତ୍ରୀ ଏଭଳି କରିନାହାନ୍ତି ବୋଲି ପୂର୍ବରୁ ଟାଇମ୍‌ ମାଗାଜିନରେ ପ୍ରକାଶିତ ଏକ ଆର୍ଟିକଲରେ କୁହାଯାଇଥିଲା।

 

Comment