ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତା ୨୫ ତାରିଖରେ ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହେବ ପ୍ରଥମ ଓଡ଼ିଆ ଫିଚର ଫିଲ୍ମ ‘କ୍ୟାପିଟାଲ ଆଇ’।

ପ୍ରଥମ ଓଡ଼ିଆ ଫିଚର ଫିଲ୍ମ ‘କ୍ୟାପିଟାଲ ଆଇ’ ଆସନ୍ତା ସେପ୍ଟେମ୍ବର ୨୫ ତାରିଖରେ ରିଲିଜ୍ ହେବାକୁ ଯାଉଛି। ଏହି ଫିଲ୍ମକୁ ସିନେମାପ୍ରେନ୍ୟୁୟରର ଓଟିଟି ପ୍ଲାଟଫର୍ମରେ ରିଲିଜ୍ କରାଯିବ। ଦର୍ଶକମାନେ ଏହି ଫିଲ୍ମକୁ ସିଧାସଳଖ ଟଙ୍କା ଦେଇ ଦେଖିପାରିବେ। ଏଥିପାଇଁ ସେମାନଙ୍କୁ ଓଟିଟି ପ୍ଲାଟଫର୍ମକୁ ସବ୍‌ସ୍କ୍ରାଇବ୍ କରିବାକୁ ପଡ଼ିବନି।

ଜାତୀୟ ପୁରସ୍କାରପ୍ରାପ୍ତ ନିର୍ଦ୍ଦେଶକ ଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟ ‘କ୍ୟାପିଟାଲ ଆଇ’ର ନିର୍ଦ୍ଦେଶନା ଦେବା ସହିତ ଏହାର କାହାଣୀ ଲେଖିଛନ୍ତି। ଏଥିସହ ସେ ଏହି ଚଳଚ୍ଚିତ୍ରର ସୁଟିଂ ଓ ସମ୍ପାଦନା ମଧ୍ୟ କରିଛନ୍ତି। ଫିଲ୍ମଟି ସ୍ଵସ୍ତିକ ଆର୍ଟହାଉସ୍ ବ୍ୟାନରରେ ପ୍ରସ୍ତୁତ ହୋଇଥିବା ବେଳେ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ନିର୍ମାତା ସୁଶାନ୍ତ ମିଶ୍ର ଓ ସ୍ଵସ୍ତିକ ଚୌଧୁରୀ ଏହାର ପ୍ରଯୋଜନା କରିଛନ୍ତି। ସବୁଠୁ ଖାସ୍ କଥା ହେଉଛି ଏହି ଫିଲ୍ମରେ ସୁଶାନ୍ତ ମିଶ୍ର ପ୍ରଥମ କରି ଅଭିନୟ କରିଛନ୍ତି।

ସେହିପରି ପଲ୍ଲବୀ ପ୍ରିୟଦର୍ଶିନୀ ମୁଖ୍ୟ ନାୟିକା ଭାବରେ ଅଭିନୟ କରିଛନ୍ତି। ଏଥିସହ ଇପ୍ସିତା ମହାନ୍ତି, ପ୍ରତ୍ୟୁଷ ପାତ୍ର, ପ୍ରତୀକ ମହାପାତ୍ର, ହରଜିତ୍ ଆଲେକ୍ସ ଓ ସ୍ଵର୍ଗତ ସିଦ୍ଧାର୍ଥ ମହାପାତ୍ର ଆଦି ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। କୋଲକାତାର ଶାସ୍ତ୍ରୀୟ ସଙ୍ଗୀତକାର କିଶଳୟ ରାୟ ଏହି ଫିଲ୍ମରେ ସଙ୍ଗୀତଜ୍ଞ ଭାବେ ଡେବ୍ୟୁ କରିଛନ୍ତି।ଏକ ରହସ୍ୟମୟ କାହାଣୀ ଉପରେ ପର୍ଯ୍ୟବେସିତ ହୋଇଛି ‘କ୍ୟାପିଟାଲ ଆଇ’। ଜଣେ ଯୁବତୀ କିପରି ନିଜର ବାସ୍ତବିକ ସମ୍ପର୍କ, ଆକର୍ଷଣ ଏବଂ ସମଲିଙ୍ଗୀ ସାଥୀ ସହ ସମ୍ପର୍କ ଭିତରେ ଧନ୍ଦି ହେଉଛି ତାକୁ ନେଇ ଫିଲ୍ମର କାହାଣୀ ଗତିଶୀଳ ହୋଇଛି।

ଗୋଟିଏ ପୁରୁଣା ଘରୁ ଫିଲ୍ମଟି ଆରମ୍ଭ ହେଉଛି। ଏହି ଘର ଭିତର ପଟୁ ବନ୍ଦ ରହିଥିବା ବେଳେ ଝରକାଗୁଡ଼ିକ ମଧ୍ୟ ବନ୍ଦ ରହିଛି। ପୋଲିସ ଏହି ଘରର କବାଟ ଭାଙ୍ଗି ଭିତରକୁ ପଶୁଛି। ଅଥଚ ଘର ଭିତରେ କୌଣସି ଜୀବିତ କିମ୍ବା ମୃତ ବ୍ୟକ୍ତିଙ୍କୁ ପାଉନାହିଁ। କେବଳ ସେଠାରୁ କିଛି କାଗଜ ମିଳୁଛି ଯେଉଁଥିରେ କିଛି ଲେଖା ଓ ଫଟୋ ସହିତ ତଳେ ‘କ୍ୟାପିଟାଲ ଆଇ’ ନାଁରେ ଦସ୍ତଖତ ହୋଇଛି। ଏହି ଘଟଣାରେ କାହାରି କ୍ଷତି ହୋଇନଥିବାରୁ ପୋଲିସ ଆଉ କୌଣସି ସନ୍ଧାନ କରିନାହିଁ।

କିନ୍ତୁ ଏହି କେସ୍ ଜଣେ ମନୋବିଜ୍ଞାନ ଛାତ୍ରୀ ଓ ତାଙ୍କ ଫିଜିକ୍ସ ପ୍ରଫେସରଙ୍କ ମନରେ କୌତୁହଳ ସୃଷ୍ଟି କରୁଛି। ଗବେଷଣା କରି ତେଣୁ ଉଭୟ ଏହି କ୍ୟାପିଟାଲ ଆଇ ଚରିତ୍ର ବିଷୟରେ ଜାଣିବାକୁ ଚେଷ୍ଟା କରୁଛନ୍ତି। ଏହିପରି ଏକ କାହାଣୀକୁ ନେଇ ଫିଲ୍ମ ଆଗକୁ ବଢ଼ିଛି।

‘କ୍ୟାପିଟାଲ ଆଇ’ର ରିଲିଜ୍ ସମ୍ପର୍କରେ ନିର୍ଦ୍ଦେଶକ ଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟ କହିଛନ୍ତି, “’କ୍ୟାପିଟାଲ ଆଇ’ ହେଉଛି ମୋର ପ୍ରଥମ ଫିଚର ଫିଲ୍ମ ଓ ଏହା ସବୁବେଳେ ମୋ ପାଇଁ ସ୍ଵତନ୍ତ୍ର ହୋଇ ରହିବ। ଏହି ଫିଲ୍ମରେ ମୋର ସହଯୋଗୀ ଓ କଳାକାରମାନେ କଠିନ ପରିଶ୍ରମ କରିଥିବାରୁ ମୁଁ ସେମାନଙ୍କୁ ଧନ୍ୟବାଦ ଜଣାଉଛି। ଏହି ଫିଲ୍ମଟିକୁ ସିନେପ୍ରେମୀମାନେ ଅନ୍ତତଃ ଥରେ ଦେଖିବା ଦରକାର। କ୍ୟାପିଟାଲ ଆଇ ପ୍ରତ୍ୟେକ କଳାପ୍ରେମୀଙ୍କ ମନରେ ନିଶ୍ଚିତ ଭାବେ କିଛି ଭାବନା ସୃଷ୍ଟି କରିବ। ନିଜ ଓଟିଟି ପ୍ଲାଟଫର୍ମରେ ଏହି ସିନେମାକୁ ରିଲିଜ୍ କରୁଥିବାରୁ ସିନେମାପ୍ରେନ୍ୟୁୟରକୁ ଅଶେଷ ଧନ୍ୟବାଦ।”ସେହିପରି ପ୍ରଯୋଜକ ସ୍ଵସ୍ତିକ ଚୌଧୁରୀ କହିଛନ୍ତି, “ସିନେମାପ୍ରେନ୍ୟୁୟର ଏଭଳି ଏକ ସିନେମାକୁ ଭାରତୀୟ ଦର୍ଶକଙ୍କ ସାମ୍ନାକୁ ଆଣୁଥିବାରୁ ମୁଁ ବହୁତ ଖୁସି। ଏହି ଫିଲ୍ମଟିକୁ ପାଞ୍ଚ ବର୍ଷ ତଳେ ରକ୍ଷଣଶୀଳ ଲୋକେ ବିରୋଧ କରିଥିଲେ। କାରଣ ଫିଲ୍ମଟି ସମଲିଙ୍ଗୀ ସମ୍ପର୍କ ଉପରେ ଆଧାରିତ ଥିଲା। ତେବେ ବର୍ତ୍ତମାନ ସମୟରେ ଏହି ଫିଲ୍ମକୁ ଦର୍ଶକମାନେ କିଭଳି ଗ୍ରହଣ କରୁଛନ୍ତି ତାହା ଦେଖିବା ମଜାଦାର ହେବ।”

“ସିନେମାପ୍ରେନ୍ୟୁୟରରେ ଆମେ ଭାରତର ବିବିଧତା, ଏହାର ଅନନ୍ୟ କାହାଣୀ ଓ ଉଦୀୟମାନ ଚଳଚ୍ଚିତ୍ର ନିର୍ମାତାମାନଙ୍କର ଦକ୍ଷତା ଦେଖାଇବାକୁ ଚାହୁଁଛୁ। ଆମେ ଏକ ଆନ୍ଦୋଳନ ଆରମ୍ଭ କରିଛୁ ଯେଉଁଥିରେ ଆମେ ସବୁଠୁ ପ୍ରତିଭାବାନ ଚଳଚ୍ଚିତ୍ର ନିର୍ଦ୍ଦେଶକମାନଙ୍କ ବିଶ୍ଵ ସ୍ତରରେ ସ୍ଵୀକୃତିପ୍ରାପ୍ତ ଫିଲ୍ମକୁ ଦର୍ଶକଙ୍କ ସାମ୍ନାକୁ ଆଣୁଛୁ। କ୍ୟାପିଟାଲ ଆଇ ହେଉଛି ଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟଙ୍କ ଅନ୍ୟତମ ଫିଲ୍ମ ଯାହାକୁ ଆମେ ଆମ ପ୍ଲାଟଫର୍ମରେ ସ୍ଥାନ ଦେଇଛୁ। ଆମେ ଏହି ଚଳଚ୍ଚିତ୍ରକୁ ବିଶ୍ଵ ସ୍ତରରେ ପରିଚିତ କରାଇବାକୁ ଚାହୁଁଛୁ”, କହିଛନ୍ତି ସିନେମାପ୍ରେନ୍ୟୁୟରର ସହ ପ୍ରତିଷ୍ଠାତା ଗୌରବ ରତୁରି।

Comment