ଓଡ଼ିଶାଲାଇଭ୍ ବ୍ୟୁରୋ
ଶ୍ରମ ବିଧି ଭଳି ସୁଦୂରପ୍ରସାରୀ ତଥା ବିତର୍କିତ ୩ଟି ବିଲ୍କୁ କେନ୍ଦ୍ର ସରକାର ଯେଉଁଭଳି ତରବରିଆ ଭାବେ ବିରୋଧୀ ଶୂନ୍ୟ ଉଭୟ ସଦନରେ ଗୃହୀତ କରାଇନେଲେ, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି।
କୋଭିଡ୍ ପରିସ୍ଥିତିରେ ସ୍ୱଳ୍ପକାଳ ପାଇଁ ବସିଥିବା ସଂସଦର ମୌସୁମୀ ଅଧିବେଶନ ବୁଧବାର ନିର୍ଦ୍ଧାରିତ ସମୟ (ଅକ୍ଟୋବର ୧) ପୂର୍ବରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ହୋଇଯାଇଛି। ଏହି ଅଧିବେଶନରେ ମୋଟ୍ ୨୫ଟି ବିଲ୍ ଗୃହୀତ ହୋଇଛି। ତନ୍ମଧ୍ୟରେ ରହିଛି ୩ଟି ବିବାଦୀୟ କୃଷି ବିଧେୟକ ଏବଂ ୩ଟି ବିତର୍କିତ ଶ୍ରମ ବିଧି ବିଲ୍।
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଶ୍ରମ ବିଧି ଭଳି ସୁଦୂରପ୍ରସାରୀ ତଥା ବିତର୍କିତ ୩ଟି ବିଲ୍କୁ କେନ୍ଦ୍ର ସରକାର ଯେଉଁଭଳି ତରବରିଆ ଭାବେ ବିରୋଧୀ ଶୂନ୍ୟ ଉଭୟ ସଦନରେ ଗୃହୀତ କରାଇନେଲେ, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। ଏହି ଆଇନ ସହ ଦେଶର ୫୦ କୋଟିରୁ ଊର୍ଦ୍ଧ୍ୱ ଶ୍ରମିକଙ୍କ ଭାଗ୍ୟ ଜଡ଼ିତ। ସୁତରାଂ ଏହି ଆଇନର ରୂପରେଖ ଚୁଡ଼ାନ୍ତ କରିବା ପୂର୍ବରୁ ବିରୋଧୀ ରାଜନୈତିକ ଦଳ, ବିଭିନ୍ନ ଶ୍ରମିକ ସଙ୍ଗଠନ ଓ ଶ୍ରମ ବିଷୟକ ବିଶେଷଜ୍ଞଙ୍କ ମତାମତ କିମ୍ବା ଆପତ୍ତି ଅଭିଯୋଗକୁ ଶୁଣିବାର ଧୈର୍ଯ୍ୟ ରଖିଲେ ନାହିଁ ମୋଦୀ ସରକାର। ଯାହାକୁ ନେଇ ବିଭିନ୍ନ ମହଲରୁ ପ୍ରଶ୍ନ ଉଠିବା ଆରମ୍ଭ ହେଲାଣି।
ବିରୋଧୀ କକ୍ଷ ବର୍ଜନ କରିବା ସୁଯୋଗରେ ବିଲ୍ ପାସ୍ କରାଇନେଲେ ମୋଦୀ ସରକାର
ଶ୍ରମ ଆଇନ୍ର ସଂସ୍କାର ଲକ୍ଷ୍ୟ ନେଇ ବର୍ତ୍ତମାନର ଏନଡିଏ ସରକାର ୪୪ଟି କେନ୍ଦ୍ରୀୟ ଶ୍ରମ ଆଇନ୍ରୁ ୧୫ଟିକୁ ବର୍ତ୍ତମାନ ସମୟ ପାଇଁ ଅପ୍ରାସଙ୍ଗିକ ବୋଲି କହି ବାତିଲ୍ କରିଦେଇଛନ୍ତି। ଅବଶିଷ୍ଟ ୨୯ଟି ଆଇନ୍କୁ ଚାରିଗୋଟି ଶ୍ରମବିଧି ପରିସରକୁ ନେଇ ଆସିଛନ୍ତି ସରକାର। ତନ୍ମଧ୍ୟରୁ ମଜୁରୀ ବିଧି ସଂକ୍ରାନ୍ତ ବିଲ୍ଟି ଗତବର୍ଷରୁ ପାର୍ଲାମେଣ୍ଟର ଅନୁମୋଦନ ଲାଭ କରିସାରିଛି। ସଦ୍ୟ ସମାପ୍ତ ମୌସୁମୀ ଅଧିବେଶନରେ ଯେଉଁ ତିନିଗୋଟି ଶ୍ରମବିଧି ବିଲ୍ ଗୃହୀତ ହେଲା, ସେଥିରେ ରହିଛି ଶିଳ୍ପରେ ଶ୍ରମିକ-ମାଲିକ ସମ୍ପର୍କ ବିଧି, ଶ୍ରମିକଙ୍କ ପାଇଁ ସାମାଜିକ ସୁରକ୍ଷା ବିଧି ଏବଂ କାର୍ଯ୍ୟକ୍ଷେତ୍ରରେ ସ୍ୱାସ୍ଥ୍ୟ ଓ ସୁରକ୍ଷା ସୁନିଶ୍ଚିତ କରିବାର ବିଧି।
ଗତବର୍ଷ କେବଳ ମଜୁରୀ ସଂକ୍ରାନ୍ତ ଶ୍ରମବିଧି ଲୋକସଭାରେ ଅନୁମୋଦିତ ହେବା ପୂର୍ବରୁ ୪ ଘଣ୍ଟାରୁ ଊର୍ଦ୍ଧ୍ୱ ବିତର୍କ ହୋଇଥିଲା। ମାତ୍ର ଏଥର ସରକାର ୩ଟି ଯାକ ଶ୍ରମ ବିଧି ବିଲ୍କୁ ଉଭୟ ଗୃହରେ ଛଅ ଘଣ୍ଟାରୁ କମ୍ ସମୟ ଆଲୋଚନାରେ ମଞ୍ଜୁରୀ କରାଇନେଲେ। ବାସ୍ତବ କଥା ହେଉଛି ବିରୋଧୀ ସଦସ୍ୟମାନେ କୃଷି ବିଲ୍ ଓ ୮ ରାଜ୍ୟ ସଭା ସାଂସଦଙ୍କୁ ଅଧିବେଶନରୁ ନିଲମ୍ବନ କରାଯାଇଥିବା ପ୍ରତିବାଦରେ କକ୍ଷ ବର୍ଜନ କରିଥିବାରୁ ଆଲୋଚନାର ଲମ୍ବା ସୁଯୋଗ ମିଳିଲା ନାହିଁ। ଏହା ସତ୍ତ୍ୱେ ସରକାର ବିଲ୍ ଗୃହୀତ କରାଇନେବାରୁ ବିରତ ରହିଲେ ନାହିଁ।
ଗଣତନ୍ତ୍ର ଉପରେ କାଳିମାର ଛାପ: ଗୁଲାମ ନବୀ
ଅନେକଙ୍କର ଅଭିଯୋଗ ସଂଘର ଶ୍ରମିକ ସଙ୍ଗଠନ ବିଏମଏସ୍ ବା ଭାରତ ମଜଦୁର ସଂଘ ସମେତ ଦେଶର ଅନେକ ଶ୍ରମିକ ସଙ୍ଗଠନ ଯେଉଁଭଳି ଭାବେ ଶ୍ରମ ବିଧି ବିଲ୍ ମଞ୍ଜୁରୀକୁ ବିରୋଧ କରିଛନ୍ତି, ସରକାର ଯଦି ବିରୋଧୀଙ୍କ ଉପସ୍ଥିତିରେ ଏହି ବିଲ୍ ଆଣିଥାଆନ୍ତେ, ତେବେ ପ୍ରବଳ ପ୍ରଶ୍ନର ସମ୍ମୁଖୀନ ହୋଇଥାଆନ୍ତେ। କିନ୍ତୁ ସରକାର ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଗୁରୁତ୍ୱ ନ ଦେଇ ବିରୋଧୀ ବିନା ବିଲ୍ ପାସ୍ କରାଇନେଲେ। ଏପରିକି ରାଜ୍ୟ ସଭାରେ ବିରୋଧୀ ଦଳର ନେତା ତଥା କଂଗ୍ରେସ ସାଂସଦ ଗୁଲାମ ନବୀ ଆଜାଦ ସଦନର ଅଧ୍ୟକ୍ଷ ଭେଙ୍କାୟା ନାଇଡୁଙ୍କୁ ପତ୍ର ଲେଖିଥିଲେ ମଧ୍ୟ ତାହାକୁ ଗୁରୁତ୍ୱ ଦିଆଗଲା ନାହିଁ। ବିରୋଧୀଙ୍କ ଅନୁପସ୍ଥିତିରେ ଯଦି ଶ୍ରମ ବିଧି ବିଲ୍ ଉଚ୍ଚସଦନରେ ପାସ୍ ହୋଇଯାଏ, ତେବେ ତାହା ଗଣତନ୍ତ୍ର ଉପରେ କାଳିମାର ଛାପ ହେବ ବୋଲି ଗୁଲାମ ନବୀ ଲେଖିଥିଲେ। ଏହି ଚିଠିରେ ମଧ୍ୟ ତୃଣମୂଳ କଂଗ୍ରେସ ସମେତ ଆଉ କେତେକ ବିରୋଧୀ ଦଳର ସଦସ୍ୟ ମଧ୍ୟ ସ୍ୱାକ୍ଷର କରିଥିଲେ।
ପାର୍ଲାମେଣ୍ଟରେ ଶ୍ରମ ବିଧି ବିଲ୍ ପାସ୍ ହୋଇଯିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍ କରି ‘ବହୁ ପ୍ରତୀକ୍ଷାର ଅନ୍ତ ଘଟିଲା, ଶ୍ରମିକମାନେ ଏହି ଶ୍ରମ ସଂସ୍କାର ଦ୍ୱାରା ଉପକୃତ ହେବେ। ଠିକ୍ ସମୟରେ ଦରମା ପାଇବାଠାରୁ ଆରମ୍ଭ କରି ସମସ୍ତଙ୍କ ପାଇଁ ନ୍ୟୁନତମ ବେତନ ଓ ଅନ୍ୟାନ୍ୟ ଅନେକ ବିଷୟ ନିଶ୍ଚିତ ହେବ’ ବୋଲି ଜଣାଇଛନ୍ତି। ପ୍ରଶ୍ନ ଉଠୁଛି ବିଲ୍ରେ ଥିବା କେତେକ ବିତର୍କିତ ବ୍ୟବସ୍ଥାକୁ ନେଇ। ଯଦିଓ କେନ୍ଦ୍ର କୃଷିମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ବିଲ୍ରେ ଥିବା ସମସ୍ତ ବ୍ୟବସ୍ଥା ସପକ୍ଷରେ ଯୁକ୍ତି ଦର୍ଶାଇଛନ୍ତି। ବିରୋଧୀ ଓ ଶ୍ରମିକ ସଙ୍ଗଠନଗୁଡ଼ିକ ଏହା ମାନି ନେଇ ପାରୁନାହାନ୍ତି।
ସରକାରଙ୍କ ଏଭଳି ଶ୍ରମ ସଂସ୍କାର ଦେଶରେ ରୋଜଗାରହୀନଙ୍କ ସଂଖ୍ୟା ବଢ଼ାଇବ
ବର୍ତ୍ତମାନ ପ୍ରଚଳିତ ବ୍ୟବସ୍ଥାରେ ଯଦି କୌଣସି ସଂସ୍ଥା ୧୦୦ରୁ କମ୍ ଶ୍ରମିକ ଓ କର୍ମଚାରୀରେ ଚାଲୁଛି, ତେବେ ସେହି ସଂସ୍ଥା ସରକାରଙ୍କ ଅନୁମତି ବିନା କର୍ମଚାରୀ ଛଟେଇ ବା ତାଲା ବନ୍ଦ କରିପାରିବ। ନୂଆ ବ୍ୟବସ୍ଥାରେ ସେହି ସଂଖ୍ୟା ୩୦୦କୁ ବୃଦ୍ଧି କରାଯାଇଛି। ଦେଶରେ ବେକାରୀ ସଂଖ୍ୟା ହ୍ରାସ ପାଇଁ ପ୍ରତିଶ୍ରୁତି ଦେଇ ମୋଦୀ କ୍ଷମତାକୁ ଆସିଥିଲେ। ବର୍ଷକୁ ୨ କୋଟି ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ ବୋଲି କହିଥିଲେ। ମାତ୍ର ବିମୁଦ୍ରୀକରଣ, ଜିଏସଟି ଏବଂ ଏବେ କରୋନା ଦେଶରେ ରୋଜଗାରହୀନଙ୍କ ସଂଖ୍ୟା ବଢ଼ାଉଥିବା ବେଳେ ସରକାରଙ୍କ ଶ୍ରମ ସଂସ୍କାର ଏହାକୁ ଆହୁରି ସମ୍ପ୍ରସାରିତ କରିବ ବୋଲି ଅଭିଯୋଗ ହେଲାଣି। ଶ୍ରମ ବିଧିରେ ବ୍ୟବସ୍ଥା ରଖି ସରକାର କେଉଁ ଯୁକ୍ତିରେ ୩୦୦ରୁ କମ୍ ଶ୍ରମିକ ଥିବା ସଂସ୍ଥାର ମାଲିକଙ୍କ ହାତକୁ ଅବାଧ ଛଟେଇର ସୁଯୋଗ ଟେକିଦେଲେ, ତାହା ବୁଝିହେଉ ନାହିଁ।
ଠିକାଦାରଙ୍କୁ ଅଧିକ ସୁବିଧା, ପ୍ରବାସୀ ଶ୍ରମିକଙ୍କ ସମସ୍ୟା ବଢ଼ିବ
ମନ୍ତ୍ରୀ ଦାବି କରିଛନ୍ତି ଯେ, କର୍ମଚାରୀଙ୍କ ସ୍ଵାର୍ଥକୁ ମନରେ ରଖି ଠିକା କର୍ମଚାରୀଙ୍କୁ ସ୍ଥାୟୀ ଭଳି ସମାନ ସୁବିଧା କଥା ବିଲ୍ରେ କୁହାଯାଇଛି। କିନ୍ତୁ ଏଥିରେ ଠିକା ନିଯୁକ୍ତିର ସର୍ବୋଚ୍ଚ ସମୟସୀମା ନିର୍ଦ୍ଧାରିତ କରାଯାଇ ନାହିଁ। ବରଂ ସ୍ଥାୟୀ ଚାକିରି ହ୍ରାସ କରି ଠିକା ଚାକିରି ବୃଦ୍ଧି କରାଯିବାର ବ୍ୟବସ୍ଥା ରହିଛି। ଏହାଦ୍ଵାରା ଚାକିରିକୁ ନେଇ ଶ୍ରମିକ ସୁରକ୍ଷିତ ରହିବେ କିପରି? ସାମାଜିକ ସୁରକ୍ଷା ବିଧିରେ ବେକାରୀ ଭତ୍ତା କିମ୍ବା ବୀମା କଥା କିଛି କୁହାଯାଇ ନାହିଁ। ଠିକାଦାରମାନଙ୍କୁ ଅଧିକ ସୁବିଧା ଦିଆଯାଇଥିବାରୁ ପ୍ରବାସୀ ଶ୍ରମିକମାନଙ୍କ ସମସ୍ୟା ବୃଦ୍ଧିର ଆଶଙ୍କା ରହିଛି। ନିଯୁକ୍ତି ପଦୋନ୍ନତି, ଛୁଟି ଓ ଛଟେଇ, ଗ୍ରାଣ୍ଟ- ପ୍ରତିଟି ବିଷୟରେ ସଂସ୍ଥା ମାଲିକଙ୍କ ଉପରେ ରହୁଥିବା ସରକାରୀ ଅଙ୍କୁଶ ଶିଥିଳ କରାଯାଇଛି।
ବିଲ୍ରେ ରହିଛି ଅଜସ୍ର ଗଳାବାଟ
ସିଟୁ ପକ୍ଷରୁ କୁହାଯାଇଛି ଯେ ଭୋଟ୍ ପୂର୍ବରୁ ଯେଉଁ ସବୁ କର୍ପୋରେଟ୍ ଦୁନିଆ ବିଜେପିକୁ ପ୍ରଚାର ଖର୍ଚ୍ଚ ଯୋଗାଇଥିଲେ, ସେମାନଙ୍କୁ ବ୍ୟବସାୟିକ ସୁଯୋଗ ପ୍ରାପ୍ତ କରାଇବା ହେଉଛି ଏହି ଶ୍ରମିକ ବିରୋଧୀ ବିଲ୍ର ଲକ୍ଷ୍ୟ। ଶ୍ରମ ସଂସ୍କାର କରି ବିଦେଶୀ ପୁଞ୍ଜି ଆକର୍ଷିତ କରିବା ପାଇଁ ଯେଉଁ ଡିଣ୍ଡିମ ପିଟାଯାଉଛି ତାହା କେବଳ ପରିହାସ। ବିଲ୍ଗୁଡ଼ିକ ପଢ଼ିବାକୁ କିମ୍ବା ଶୁଣିବାକୁ ଭଲ ଲାଗିପାରେ, କିନ୍ତୁ ଏଥିରେ ଅଜସ୍ର ଗଳାବାଟ। ତେଣୁ ସରକାର ସଂସଦରେ ବିରୋଧୀ ଏବଂ ସଂସଦ ବାହାରେ ତ୍ରିପାକ୍ଷିକ ବୈଠକକୁ ଏଡ଼ାଇ ଯେଉଁ ଶ୍ରମ ବିଲ୍ ପାସ୍ କରାଇ ନେଲେ ତାହା ଶ୍ରମିକଙ୍କ ସ୍ଵାର୍ଥଠାରୁ ମାଲିକଙ୍କ ସ୍ଵାର୍ଥକୁ ଅଧିକ ଦେଖିବ ବୋଲି ଅଭିଯୋଗ।