ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ଦୁବାଇରେ ଦୁଇ ଦାଦନଙ୍କ ମୃତ୍ୟୁ ଖବର ସାରା କେନ୍ଦ୍ରାପଡ଼ା ଜିଲ୍ଲାରେ ଚହଳ ପକାଇଛି। କେନ୍ଦ୍ରାପଡ଼ା ଜିଲ୍ଲାର ଏହି ଦୁଇ ମୃତକ ପଟ୍ଟାମୁଣ୍ଡାଇ ଅଞ୍ଚଳର ବୋଲି ଜଣା ପଡ଼ିଛି। ଏମାନଙ୍କ ମଧ୍ୟରୁ ଜଣକ ମୃତ୍ୟୁ କରୋନା ଯୋଗୁଁ ହୋଇଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ଅନ୍ୟଜଣକ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।

ଜଣେ ମୃତକ ହେଉଛନ୍ତି କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ବ୍ଲକ ମାଳିପୁର ଗାଁର ଶ୍ରୀଧର ମଳିକଙ୍କ ପୁଅ ନିରଞ୍ଜନ ମଳିକ। ସେ ଦୁବାଇର ଶୋଭା ସଫ୍ଟଓ୍ଵୟାର ନାମକ ଏକ କମ୍ପାନିରେ ମାଳି କାମରେ ନିୟୋଜିତ ଥିଲେ। ଗତକାଲି ଦିନ ୯ଟା ସମୟରେ ତାଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ବୋଲି ଜିଲ୍ଲା ଶ୍ରମ ବିଭାଗରେ ଖବର ପହଞ୍ଚିଛି।

ସେହିପରି ଦୁବାଇରେ ଗୁନାଲ କନଷ୍ଟ୍ରକସନ୍‌ ଆଣ୍ଡ ଟ୍ରେଡିଂ ଇଣ୍ଡଷ୍ଟ୍ରିଜରେ ପଟ୍ଟାମୁଣ୍ଡାଇ ୧୦ ନମ୍ବର ଓ୍ଵାର୍ଡର ବାବୁଲି ସେଠିଙ୍କ ପୁଅ ବାବାଜୀ ସେଠି ପାଣି ପାଇପ୍ ମିସ୍ତ୍ରୀ ଭାବେ କାମ କରୁଥିଲେ। ଗତକାଲି ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଖବର ଜିଲ୍ଲା ପ୍ରଶାସନର ହସ୍ତଗତ ହୋଇଛି। ଏମାନଙ୍କ ପରିବାରର ଲୋକେ ଏହି ଦୁଇ ମୃତକଙ୍କ ମୃତଦେହ ସେମାନଙ୍କ ଘରକୁ ଆଣିବାକୁ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଶ୍ରମ ବିଭାଗ ରାଜ୍ୟ ସରକାରଙ୍କୁ ଏହି ସମ୍ପର୍କରେ ଅବଗତ କରିବ ବୋଲି ଜିଲ୍ଲା ଶ୍ରମ ବିଭାଗ ସୂଚନା ଦେଇଛି।

ବିଦେଶକୁ କାମ ପାଇଁ ଯାଇଥିବା ପୁଅଙ୍କର ମୃତ୍ୟୁ ଖବର ଘରେ ପହଞ୍ଚିବା ପରେ ଘରେ ଏବେ କାନ୍ଦ ବୋବାଳି ପଡ଼ିଛି। ଏହି ଦୁଇ ଯୁବକ ଦୁବାଇର ପୃଥକ ପୃଥକ ଦୁଇ କମ୍ପାନିରେ କାମ କରୁଥିଲେ। ଏବେ ଏମାନଙ୍କ ମୃତ୍ୟୁ ଖବର ଘରେ ପହଞ୍ଚିବା ପରେ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ଏମାନଙ୍କର ମୃତ୍ୟୁ ପରେ ସେଠାରେ ଥିବା ସେମାନଙ୍କର ସାଥିମାନେ ଭୟ ଓ ଆତଙ୍କରେ ଦିନ କାଟୁଛନ୍ତି।

Comment