ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାରୁ ଆରମ୍ଭ କରି ଡ୍ରଗ୍ସ ଲିଙ୍କ ପର୍ଯ୍ୟନ୍ତ ଏହି ଗୋଟିଏ ପ୍ରସଙ୍ଗ ୪ ମାସ ହେଲା ସବୁଠି ଛାଇ ହୋଇ ରହିଛି। ମନେ ହେଉଛି, ବଲିଉଡର ଡ୍ରଗ୍ସ ଧୂଆଁରେ ଲୁଚି ଯାଉଛି ଦେଶର ସବୁ ବଡ଼ ପ୍ରସଙ୍ଗ । ଏହା ପଛରେ କାମ କରୁଛି କି ରାଜନୈତିକ ଏଜେଣ୍ଡା ?

ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁର ତଦନ୍ତ କ୍ରମରେ ଯେଉଁ ପାଣ୍ଡୋରା ବକ୍ସ ଖୋଲିଥିଲା, ସେଥିରୁ ଗୋଟିଏ ପରେ ଗୋଟିଏ ନୂଆ ଘଟଣା ସାମ୍ନାକୁ ଆସିବାରେ ଲାଗିଛି। ପ୍ରଥମେ ଡିପ୍ରେସନ, ପରେ ନେପୋଟିଜମ ଆଉ ଏବେ ଡ୍ରଗ୍ସ ଲିଙ୍କ । ତୃତୀୟ ଲିଙ୍କଟି ବଲିଉଡ଼ର ଯେଉଁ ଅନାଲୋଚିତ ଦିଗଟିକୁ ଲୋକଙ୍କ ସାମ୍ନାକୁ ଆଣିଛି, ସେଥିରେ ବହୁ ସେଲିବ୍ରିଟି ଡ୍ରଗ୍ସ ସେବନ ଓ କାରବାରରେ ଜଡ଼ିତ ଥିବାର ନୂଆ ନୂଆ ତଥ୍ୟ ଫି’ ଦିନ ପଦାକୁ ଆସୁଛି । ସ୍ଥିତି ଏପରି ହୋଇଛି ଯେ ବଲିଉଡର ଡ୍ରଗ୍ସ ଧୂଆଁରେ ଲୁଚିଯାଇଛି ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ରହସ୍ୟ ।

ଡ୍ରଗ୍ସ ଲିଙ୍କ ବଲିଉଡ଼ ପାଇଁ ଆଦୌ ନୂଆ ନୁହେଁ । କିନ୍ତୁ ହଠାତ୍ ଏତେ ସଂଖ୍ୟାରେ ସେଲିବ୍ରିଟି ଏହି ଲିଙ୍କ ପାଇଁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ସ୍କାନରକୁ ଆସିବା ସମସ୍ତଙ୍କୁ ହତଚକିତ କରିଛି । ଏହା ହିଁ ଏବେ ଦେଶର ଏକମାତ୍ର ପ୍ରସଙ୍ଗ ପାଲଟି ଯାଇଥିବା ମନେହେଉଛି । କରୋନା, ବେରୋଜଗାରୀ ଭଳି ଦେଶର ଅନ୍ୟ ସବୁ ବଡ଼ ପ୍ରସଙ୍ଗ ଏହାର ଆଢୁଆଳରେ ରହିଯାଇଛି ।

ବଲିଉଡ୍ ଓ ଡ୍ରଗ୍ସ: ଏମିତି ରହିଛି ଇତିହାସ

ବଲିଉଡ୍ ଲାଇଫ ଷ୍ଟାଇଲ ସହ ଡ୍ରଗ୍ସ ସବୁବେଳେ ଜଡ଼ିତ ହୋଇ ରହିଛି । ଏକଦା ନିର୍ଦ୍ଦେଶକ ମହେଶ ଭଟ୍ଟ ସ୍ୱୀକାର କରିଥିଲେ ଯେ ୧୯୭୯ରେ ଅଭିନେତ୍ରୀ ପରବୀନ ବାବିଙ୍କ ସହ ସମ୍ପର୍କ ଛିଣ୍ଡିବା ପରେ ସେ ଏଲ୍‌ଏସ୍‌ଡି (ଲିସେର୍ଜିକ ଏସିଡ୍ ଡାଇଥଲମାଇଡ୍‌) ଭଳି ନିଶା କବଳରେ ପଡ଼ିଥିଲେ । ସେତେବେଳେ ଏଭଳି ଅଣ-ମାଦକ ନିଶାଦ୍ରବ୍ୟ ସହ ଗଞ୍ଜେଇ ଓ ଭାଙ୍ଗ ଭଳି ପାରମ୍ପରିକ ନିଶା ମଧ୍ୟ ବଲିଉଡକୁ ଗ୍ରାସିଥିଲା । ଅଭିନେତା ସଞ୍ଜୟ ଦତ୍ତ ମଧ୍ୟ ନିଶାଦ୍ରବ୍ୟ ଜାଲରେ ପଡ଼ି ଜେଲ୍ ଯାଇଥିଲେ । ୨୦୦୫ରେ ଅଭିନେତା ବିଜୟ ରାଜଙ୍କ ବ୍ୟାଗରୁ ମାରିଜୁଆନା ମିଳିବା ପରେ ତାଙ୍କୁ ୟୁଏଇ ପୋଲିସ ଅଟକ ରଖିଥିଲା । ୨୦୦୧ରେ କୋକେନ କିଣିବା ଅଭିଯୋଗରେ ଫର୍ଦ୍ଦିନ ଖାନଙ୍କୁ ଗିରଫ କରିଥିଲା ଏନ୍‌ସିବି ।

ବଲିଉଡ୍ ଜଗତ ଭାଙ୍ଗ, ଗଞ୍ଜେଇ, ତମାଖୁକୁ ନିଜ ସିନେମାରେ ମଧ୍ୟ ଦୃଶ୍ୟାୟିତ କରିଛି । ୧୯୭୪ର ଫିଲ୍ମ ‘ଆପ୍ କି କସମ’ରେ ରାଜେଶ ଖାନ୍ନା, ୧୯୮୧ରେ ‘ସିଲ୍‌ସିଲା’ରେ ଅମିତାଭ ବଚ୍ଚନ, ୧୯୭୧ରେ ‘ହରେ ରାମା ହରେ କ୍ରିଷ୍ଣା’ରେ ଦେବ୍ ଆନନ୍ଦଙ୍କୁ ମାଦକ ଦ୍ରବ୍ୟ ସମ୍ପର୍କିତ ଦୃଶ୍ୟରେ ଦେଖିବାକୁ ମିଳିଥିଲା । ଡ୍ରଗ୍ସକୁ ନେଇ ଗତିଶୀଳ କାହାଣୀର ସିନେମା ‘ଉଡ୍‌ତା ପଞ୍ଜାବ’ରେ ସାହିଦ କପୁର, କରୀନା କପୁର ଓ ଆଲିଆ ଭଟ୍ଟଙ୍କୁ ମଧ୍ୟ ଦେଖିଥିଲେ ଦର୍ଶକ ।

ରିୟାଙ୍କଠାରୁ ଆରମ୍ଭ ହୋଇଥିବା ତାଲିକା ଲମ୍ବିବାରେ ଲାଗିଛି

ସୁଶାନ୍ତ ସିଂ ରାଜପୁତଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ଡ୍ରଗ୍ସ ଲିଙ୍କ ମାମଲାରେ ଗିରଫ ହେବା ଓ ଜେରା ବେଳେ କେତେ ଜଣ ଅଭିନେତ୍ରୀଙ୍କ ନାମ ନେବା ପରଠାରୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ସ୍କାନରକୁ ଆସିଲେଣି ବଲିଉଡ୍ ସହ ଜଡ଼ିତ ଥିବା ସଂଖ୍ୟାଧିକ ବ୍ୟକ୍ତିବିଶେଷ, ସେଲିବ୍ରିଟି । ସାରାଅଲ୍ଲୀ ଖାନ, ରାକୁଲ ପ୍ରୀତ ସିଂ, ଦୀପିକା ପାଦୁକୋନ, ଶ୍ରଦ୍ଧା କପୁର, ଦିଆ ମିର୍ଜା, ସିମୋନ ଖମ୍ବାଟା, ଜୟା ଶାହା, କରିସ୍ମା ପ୍ରକାଶଙ୍କ ନାମ ଏହି ଲିଙ୍କରେ ଯୋଡ଼ି ହୋଇଗଲାଣି । ସାରା, ରାକୁଲ, ଦୀପିକା ଓ ଶ୍ରଦ୍ଧା ସମନ ପରେ ପରେ ଜେରାର ସମ୍ମୁଖୀନ ହୋଇଛନ୍ତି । ଏନ୍‌ସିବି ବଲିଉଡର ଆଉ ୨୫ ଜଣଙ୍କୁ ମଧ୍ୟ ସମନ କରିଛି ।

ଚର୍ଚ୍ଚାରେ ବଲିଉଡର ଡ୍ରଗ୍ସ ପାର୍ଟି

ନିର୍ଦ୍ଦେଶକ, ନିର୍ମାତା କରଣ ଜୋହରଙ୍କ ଏକ ପୁରୁଣା ବଲିଉଡ୍ ପାର୍ଟିର ଯେଉଁ ଭିଡିଓ ଭାଇରାଲ ହୋଇଥିଲା, ତାହାକୁ ଡ୍ରଗ୍ସ ପାର୍ଟି ବୋଲି କୁହାଯାଉଛି । ସେଥିରେ ଦୀପିକା ପାଦୁକୋନ, ରଣବୀର କପୁର, ମଲାଇକା ଅରୋରା, ଭିକି କୌଶଲ, ବରୁଣ ଧୱନ, ସାହିଦ କପୁର, ଅର୍ଜୁନ କପୁରଙ୍କ ଭଳି ଅଭିନେତା ଅଭିନେତ୍ରୀଙ୍କୁ ଦେଖିବାକୁ ମିଳିଥିଲା । ଏହାପରେ ବଲିଉଡ୍‌ରେ ଡ୍ରଗ୍ସ ପାର୍ଟି ଏକ ପରମ୍ପରା ପାଲଟିଥିବା ଓ ଏଥିରେ ଇଣ୍ଡଷ୍ଟ୍ରୀର ସିଂହଭାଗ କଳାକାର ଯୋଗ ଦେଉଥିବା ଚର୍ଚ୍ଚା ଆରମ୍ଭ ହୋଇଥିଲା । ସୁଶାନ୍ତ ସିଂ ରାଜପୁତ ମଧ୍ୟ ନିଜ ଫାର୍ମହାଉସରେ ଏଭଳି ପାର୍ଟି ରଖୁଥିଲେ, ଯେଉଁଠିକୁ ବିଭିନ୍ନ ଅଭିନେତା ଅଭିନେତ୍ରୀ ଆସୁଥିଲେ ବୋଲି ଶୁଣିବାକୁ ମିଳୁଛି ।

ବଲିଉଡ଼କୁ ଗ୍ରାସିଛି ଏଭଳି ଧରଣର ନିଶାଦ୍ରବ୍ୟ

ସୁଶାନ୍ତ ସିଂ ରାଜପୁତଙ୍କ ବନ୍ଧୁ ତଥା ଅଭିନେତା-ନିର୍ମାତା ଯୁବରାଜ ଏସ୍‌. ସିଂ ବଲିଉଡ଼ର ଯେଉଁ ନିଶା କାରବାର କଥା ବଖାଣିଛନ୍ତି, ସେଥିରେ ସେ କହିଛନ୍ତି ଯେ କୌଣସି ଫିଲ୍ମ ସୁଟିଂ ସେଟ୍‌ରେ ତମାଖୁ ବ୍ୟବହାର ସାଧାରଣ କଥା ଥିଲା । ବଲିଉଡ୍ ପାର୍ଟିରେ ପସନ୍ଦର ମାଦକ ଦ୍ରବ୍ୟ ହେଉଛି କୋକେନ । କାନାବିଜ, ମାରିଜୁଆନା, ଚରସ, ହ୍ୟାସ, ଟିଏଚ୍‌ସି (ଟେଟ୍ରାହାଇଡ୍ରୋକାନାବିନଲ), ଏମ୍‌ଡିଏମ୍‌ଏ (ମିଥାଇଲନଡିଅକ୍ସି ମେଟାମଫିଟାମାଇନ), ଏଲ୍‌ଏସ୍‌ଡି ଭଳି ଏସିଡ୍‌, ମେଫେଡ୍ରୋନ୍‌, କେଟାମାଇନ (ଯାହା ଘୋଡ଼ାକୁ ଟ୍ରାଙ୍କୁଲାଇଜ କରିବା ପାଇଁ ବ୍ୟବହାର ହୁଏ) ଭଳି ମାଦକଦ୍ରବ୍ୟ ବଲିଉଡ଼ରେ ବ୍ୟବହାର ହେଉଛି ।

ରାଜନୀତିରେ ମାତିଲେ ସବୁ ଦଳ

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାରେ ତାଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କୁ ବିଜେପି ବିରୋଧ କରିବା ସହ କଙ୍ଗନା ରାଣାୱତଙ୍କୁ ସମର୍ଥନ ଦେଲା । କିନ୍ତୁ କଙ୍ଗନାଙ୍କୁ ମହାରାଷ୍ଟ୍ରରେ ତୀବ୍ର ବିରୋଧ କଲା ଶିବସେନା । ଆଗକୁ ବିଧାନସଭା ନିର୍ବାଚନ ଥିବାରୁ ବିହାରରେ ବିଜେପି ସୁଶାନ୍ତଙ୍କ ମୃତ୍ୟୁ ଘଟଣାକୁ ପ୍ରସଙ୍ଗ କରିବା ସହ ଏହାର ସିବିଆଇ ତଦନ୍ତ ଦାବିକୁ ଅଭିଯାନରେ ପରିଣତ କରିଦେଲା । ଆରଜେଡି ଓ ଜେଡିୟୁ ମଧ୍ୟ ସୁଶାନ୍ତଙ୍କ ମୃତ୍ୟୁ ଘଟଣାର ନିରପେକ୍ଷ ତଦନ୍ତ ଦାବି କଲେ । ଅନ୍ୟପକ୍ଷରେ ରିୟାଙ୍କ ସପକ୍ଷରେ ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ ଓ କଂଗ୍ରେସ ଦଳ ରାସ୍ତାକୁ ଓହ୍ଲାଇଲେ । ବଲିଉଡ଼ର ଅଭିନେତା ଅଭିନେତ୍ରୀ ଯେଉଁମାନେ ବିଭିନ୍ନ ରାଜନୈତିକ ଦଳରେ ଅଛନ୍ତି, ସେମାନେ ଏହାକୁ ନେଇ ବାକ୍ ବିତଣ୍ଡା କଲେ । ଏହି ଗୋଟିଏ ପ୍ରସଙ୍ଗରେ ହିଁ ଦେଶର ରାଜନୀତି କେନ୍ଦ୍ରୀଭୂତ ହେବା ପରି ଲାଗିଲା ।

ସିବିଆଇ, ଇଡି ଚୁପ୍‌; ଏନ୍‌ସିବି ସକ୍ରିୟ

ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ଘଟଣା ପରେ ଏହାର ତଦନ୍ତ ସହ ଦେଶର ୩ଟି ସଂସ୍ଥା ଯୋଡ଼ି ହୋଇଥିଲେ । ସିବିଆଇ, ଇଡି (ପ୍ରବର୍ତ୍ଥନ ନିର୍ଦ୍ଦେଶାଳୟ) ଓ ଏନ୍‌ସିବି (ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ) । ସୁଶାନ୍ତଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା, ସେ ବିଷୟରେ ତଦନ୍ତ କରୁଥିବା ସିବିଆଇ ଏବେ ଆଉ କିଛି କହୁନାହିଁ । ସୁଶାନ୍ତଙ୍କ ସମ୍ପତ୍ତି ତାଙ୍କ ବାନ୍ଧବୀ ଆତ୍ମସାତ୍ କରିଥିବା ଘଟଣାର ଖୋଳତାଡ଼ ଆରମ୍ଭ କରିଥିବା ଇଡି ମଧ୍ୟ ଚୁପ୍ ହୋଇ ବସିଛି । କେବଳ ଏନ୍‌ସିବି ହିଁ ତଦନ୍ତ ପ୍ରକ୍ରିୟାର ଏତେ ଆଗରେ କାହିଁକି ବୋଲି ଗୋଟିଏ ପ୍ରଶ୍ନ ଉଙ୍କି ମାରୁଛି ।

ଗତ ଏକ ମାସ ଧରି ଏନ୍‌ସିବି ବଲିଉଡ଼ର ଡ୍ରଗ୍ସ ଲିଙ୍କ ଖୋଳତାଡ଼ କରୁଛି । ଏହି ଘଟଣାରେ ଏନ୍‌ସିବି ବହୁ ସଂଖ୍ୟାରେ ବଲିଉଡ ସେଲିବ୍ରିଟିଙ୍କୁ ନିଜ ସ୍କାନରରେ ରଖିବା ପଛରେ କିଛି ରାଜନୈତିକ ଏଜେଣ୍ଡା କାମ କରୁଛି କି ବୋଲି ଚର୍ଚ୍ଚା ବଢ଼ିବାରେ ଲାଗିଛି । ଅନ୍ୟପକ୍ଷରେ ଦୀପିକା, ଶ୍ରଦ୍ଧା, ସାରା, ରାକୁଲଙ୍କ ଭଳି ଅଭିନେତ୍ରୀମାନେ ହିଁ କେବଳ କାହିଁକି ଏହି ସ୍କାନରକୁ ଆସୁଛନ୍ତି, ତାହା ମଧ୍ୟ ଆଉ ଏକ ପ୍ରଶ୍ନ ଛିଡ଼ା କରିଛି । କରୋନା ମହାମାରୀ ବେଳେ ଦେଶର ସବୁ ପ୍ରମୁଖ ପ୍ରସଙ୍ଗରୁ ଲୋକଙ୍କ ଦୃଷ୍ଟିକୁ ଅନ୍ୟ ଆଡ଼େ ନେବା ପାଇଁ ଏହାକୁ ହିଁ ଦୀର୍ଘ ସମୟ ପ୍ରସଙ୍ଗ କରି ରଖିବା ପାଇଁ ଉଦ୍ୟମ ଚାଲିଛି ବୋଲି ବୁଦ୍ଧିଜୀବୀ ମହଲ ଚର୍ଚ୍ଚା କରୁଛି ।

Comment