ଓଡ଼ିଶାଲାଇଭ୍ ବ୍ୟୁରୋ

ବିହାର ଏନଡିଏରେ ସବୁକିଛି ଠିକ୍ ଚାଲିଥିବା ଉପରୁ ଉପରୁ ଦେଖାଯାଉଥିଲେ ମଧ୍ୟ ଭିତରେ ଆସନ ବୁଝାମଣାକୁ ନେଇ କିଛି ଫଇସଲା ହୋଇପାରୁନି। ପ୍ରତ୍ୟେକ ସିଟକୁ ନେଇ ବିବାଦ ଦେଖାଦେଉଛି। ଏମିତି ବି ହେଉଛି କିଛି କିଛି ଆସନକୁ ସମସ୍ତେ ନିଜ ପାଇଁ ଦାବି କରୁଛନ୍ତି। ଅକ୍ଟୋବର ପ୍ରଥମ ସପ୍ତାହରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହେଉଥିବା ବେଳେ ଆସନ ବୁଝମଣା ଶେଷ କରିବା ପାଇଁ ପ୍ରାଣମୂର୍ଛା କସରତ ଆରମ୍ଭ ହୋଇଛି। ମୁଖ୍ୟତ ପ୍ରମୁଖ ସହଯୋଗୀ ବିଜେପି ଓ ଜେଡିୟୁ ମଧ୍ୟରେ କିଏ କେତେ ଆସନରେ ଲଢ଼ିବା ତାକୁ ନେଇ ଯେତିକି ସମସ୍ୟା ନାହିଁ ତାଠାରୁ ଅଧିକ ସମସ୍ୟା ଅଛି କିଏ କେଉଁଠାରୁ ଲଢ଼ିବ।

ମୁଖ୍ୟତଃ ୫୧ଟି ଆସନକୁ ନେଇ ବେଶୀ ଅସୁବିଧା ରହିଛି। କାରଣ ଗତ ନିର୍ବାଚନରେ ଉଭୟ ଦଳ ଅଲଗା ଅଲଗା ଲଢ଼ିଥିଲେ। ଏ ଆସନ ମଧ୍ୟରୁ ଜେଡିୟୁ ୨୮ଟି ଆସନ ଜିତିଥିବା ବେଳେ ବିଜେପି ୨୩ଟି ଆସନ ଜିତିଥିଲା। ଭୋଟ ପ୍ରତିଶତକୁ ଆଧାର କରି ଉଭୟ ଦଳ ଏସବୁ ଆସନ ଉପରେ ଦାବି କରୁଛନ୍ତି। ଜେଡିୟୁ ଜିତିଥିବା ଆସନ ଉପରେ ବିଜେପି ଦାବି କରୁଥିବା ବେଳେ, କିଛି ବିଜେପି ଜିତିଥିବା ଆସନ ଉପରେ ଜେଡିୟୁ ଦାବି କରୁଛି। ବିଶେଷ କରି ସାମ୍ଭାବ୍ୟ ବିଧାୟକ ପ୍ରାର୍ଥୀଙ୍କ ଚାପରେ ବି ଶୀର୍ଷ ନେତୃତ୍ୱ ଅଣନିଃଶ୍ୱାସୀ ହୋଇଯାଉଛନ୍ତି। ଆଉଗୋଟେ ବଡ଼ ଅସୁବିଧା ହେଉଛି, ନିକଟରେ ୭ ଜଣ ଆରଜେଡି ବିଧାୟକ ଜେଡିୟୁରେ ଯୋଗଦେଇଛନ୍ତି। ଏ ସବୁ ଆସନରେ ବିଜେପି ନଚେତ ଏଲଜେପି ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଏବେ ବିଜେପି ସେ ଆସନ ଉପରେ ଦାବି ଜାହିର କରୁଥିବା ବେଳେ ନିଜର ପାରମ୍ପରିକ ଆସନ ଛାଡ଼ିବାକୁ ପ୍ରସ୍ତୁତ ନୁହନ୍ତି ସେହି ୭ ବିଧାୟକ।

ଏନଡିଏରେ କିଛି ଦିନ ତଳେ ହିନ୍ଦୁସ୍ତାନ ଆବାମ ମୋର୍ଚ୍ଚା ଏନଡିଏରେ ଯୋଗଦେଇଛି। ଆରଏଲଏସପି ମଧ୍ୟ ଏନଡିଏରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଛି। ଏ ୨ ଦଳକୁ କେମିତି ସନ୍ତୁଷ୍ଟ କରାଯିବ ତାକୁ ନେଇ ମଧ୍ୟ ଶୀର୍ଷ ନେତୃତ୍ୱ ଚିନ୍ତାରେ ପଡ଼ିଯାଇଛନ୍ତି। ଏହାପରେ ବିଜେପିର ସାଂସଦମାନେ ମଧ୍ୟ ଆସନ ସମାନ ସମାନ ଭାଗ କରିବା ପାଇଁ ଦାବି କରୁଛନ୍ତି। ସେ ହିସାବରେ ଉଭୟ ୧୨୦+ ଆସନରେ ନିର୍ବାଚନ ଲଢ଼ିବାକୁ ଦାବି କରିବେ। ଏଠି ଆସୁଛି ସବୁଠାରୁ ବଡ଼ ପ୍ରଶ୍ନ। ଏଲଜେପିକୁ କିଏ ଆସନ ଛାଡ଼ିବ ଆଉ ହିନ୍ଦୁସ୍ତାନ ଆବାମ ମୋର୍ଚ୍ଚାକୁ କିଏ ଆସନ ଛାଡ଼ିବ। ୨୦୧୫ ନିର୍ବାଚନରେ ଜେଡିୟୁ ମହାମେଣ୍ଟରେ ସାମିଲ ହୋଇ ୧୦୧ଟି ଆସନରେ ଲଢ଼ିଥିଲା। ସେଥିରୁ ୭୧ଟି ଆସନ ଜିତିଥିଲା। ଯଦି ୨୦୧୦ ନିର୍ବାଚନକୁ ଆଧାର କରି ଆସନ ବୁଝାମଣା ହୁଏ, ତେବେ ଜେଡିୟୁ ୧୪୧ଟି ଆସନରେ ଲଢ଼ି ୧୧୫ଟିରେ ଜିତିଥିଲା। ବିଜେପି ୧୦୨ଟି ଆସନରେ ଲଢ଼ିଥିବା ବେଳେ ୯୧ଟି ଆସନ ଜିତିଥିଲା।

ସେତେବେଳେ ନା ଏଲଜେପି ମେଣ୍ଟରେ ଥିଲା ନା ହିନ୍ଦୁସ୍ତାନ ଆବାମ ମୋର୍ଚ୍ଚା ଗଠନ ହୋଇଥିଲା ଏହାର ମୁଖ୍ୟ ଜୀତନରାମ ମାଞ୍ଝୀ ଜେଡିୟୁରେ ହିଁ ଥିଲେ। ତେବେ ଜେଡିୟୁ ୧୨୦ ଆସନ ଦାବି କରୁଥିବା ବେଳେ, ବାକି ଆସନ ବିଜେପିକୁ ଛାଡ଼ିବ। ବିଜେପି ତା ଆସନରୁ ଏଲଜେପିକୁ କେତେ ଦେବ ବିଚାର କରିବ। ହିନ୍ଦୁସ୍ତାନ ଆବାମ ମୋର୍ଚ୍ଚାର ମେଣ୍ଟକୁ ଫେରିବାକୁ ନେଇ ନୀତିଶ କୁମାର କହିଛନ୍ତି ଯେ, ସେ ବିଜେପିର ଇଛା ପରେ ହିଁ ତାଙ୍କ ଫେରିବାକୁ ହଁ କହିଥିଲେ।

ଏଠାରେ ଏଲଜେପି ଓ ହିନ୍ଦୁସ୍ତାନ ଆବାମମୋର୍ଚ୍ଚା ମଧ୍ୟରେ ସମ୍ପର୍କ ସେତେ ମଧୁର ନୁହେଁ। ଉଭୟ ପରସ୍ପରର ଘୋର ବିରୋଧୀ। ସେପଟେ ଏଲଜେପି ନେତା ଚିରାଗ ପାଶୱାନ ବି ନୀତିଶ କୁମାରଙ୍କ କଠୋର ବିରୋଧୀ ଓ ସମାଲୋଚକ। ତେବେ ଏତେ ପରସ୍ପର ବିରୋଧୀ ଶକ୍ତିକୁ ନେଇ ଖୁବଶୀଘ୍ର ଆସନ ବୁଝାମଣା ହୋଇଯିବ ବୋଲି ଉଭୟ ବିଜେପି ଓ ଜେଡିୟୁର ବରିଷ୍ଠ ନେତୃତ୍ୱ କହିଛନ୍ତି।

Comment