ଓଡ଼ିଶାଲାଇଭ୍ ବ୍ୟୁରୋ

  • ମଦ ଦୋକାନ ଆଉ ମନ୍ଦିର ଖୋଲିବା ଏକାକଥା ନୁହେଁ
  • ଗର୍ଭଗୃହ କମ୍ ଓସାରିଆ ଯୋଗୁଁ ସାମାଜିକ ଦୂରତ୍ୱ ସମ୍ଭବ ନୁହେଁ
  • ସବୁ ଧର୍ମାନୁଷ୍ଠାନରେ ସୁରକ୍ଷା କର୍ମୀ ନିୟୋଜିତ କରିବା ସମ୍ଭବ ନୁହେଁ

ରାଜ୍ୟରେ ଏବେ କୌଣସି ବି ଧର୍ମାନୁଷ୍ଠାନ ଖୋଲିବାକୁ ଚାହୁଁନାହାନ୍ତି ରାଜ୍ୟ ସରକାର। ଏନେଇ ସରକାରଙ୍କ ପକ୍ଷରୁ ସୋମବାର ହାଇକୋର୍ଟରେ ଜବାବ ମଧ୍ୟ ଦାଖଲ କରାଯାଇଛି। ମନ୍ଦିରର ଗର୍ଭ ଗୃହ କମ୍ ଓସାରିଆ ହୋଇଥିବାରୁ ସେଛାରେ ଭକ୍ତଙ୍କ ମଧ୍ୟରେ ସାମାଜିକ ଦୂରତା ରହିବା ସମ୍ଭବ ନୁହେଁ। ଏଣୁ ଏପରି ପରିସ୍ଥିତିରେ ମନ୍ଦିର ଏବଂ ଅନ୍ୟାନ୍ୟ ଧର୍ମାନୁଷ୍ଠାନ ଖୋଲିବା ସମ୍ଭବ ନୁହେଁ ବୋଲି ସରକାର କହିଛନ୍ତି।

ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶର ତିରୁପତି ମନ୍ଦିର ଗତ ଜୁନ୍ ୧୧ରେ ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ଖୋଲାଗଲା। ଖୋଲାଯିବା ପରେ ଏହାର ୭ଶହ କର୍ମଚାରୀଙ୍କୁ କରୋନା ପଜିଟିଭ୍ ହୋଇଥିବା ଜଣାପଡିଛି। ଶେଷ ଦୁଇ ମାସରେ ତିରୁମାଲାରେ ତିନି ଜଣ କର୍ମଚାରୀ ମଧ୍ୟ କରୋନାରେ ପ୍ରାଣ ହରାଇଛନ୍ତି। ଯଦି ଏହି ପରୀପ୍ରେକ୍ଷୀରେ ପୁରୀ ଶ୍ରୀମନ୍ଦିର କଥା ଦେଖାଯାଏ ତାହେଲେ ଗତ ଅଗଷ୍ଟ ୨୬ ତାରିଖରୁ ଗତ ୨୩ ତାରିଖ ମଧ୍ୟରେ ୮୨୨ ଜଣ ସେବାୟତ ଏବଂ ମନ୍ଦିର କର୍ମଚାରୀଙ୍କ ମଧ୍ୟରୁ ସାମ୍ପୁଲ୍ ସଂଗ୍ରହ କରାଯାଇଥିଲା। ଏଥିରୁ ୩୭୯ଟି ପଜିଟିଭ୍ କେସ୍ ଆସିଥିବା ଜଣାପଡିଛି। ଏଥିରୁ ୪୭ ଜଣ ମନ୍ଦିର କର୍ମଚାରୀ ହୋଇଥିଲାବେଳେ ସେବାୟତ ସମ୍ପ୍ରଦାୟ ମଧ୍ୟରୁ ୩୩୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏସବୁ ସତ୍ତ୍ଵେ ମହାପ୍ରଭୁଙ୍କ ସେବାରେ କୌଣସି ବ୍ୟାଘାତ ଉପୁଜି ନାହିଁ। ଦୈନିକ ମହାପ୍ରଭୁଙ୍କ ନୀତିକାନ୍ତି ସୁରୁଖୁରୁରେ ଚାଲିଛି।ତେଣୁ ଯଦି ସେବାୟତ ଏବଂ ମନ୍ଦିରର କର୍ମଚାରୀମାନେ କରୋନା ପଜିଟିଭ୍ ଚିହ୍ନଟ ହୁଅନ୍ତି ତାହେଲେ ମହାପ୍ରଭୁଙ୍କ ସେବାରେ ବ୍ୟାଘାତ ଉପୁଜିବାର ଆଶଙ୍କା ରହିଛି। ତେଣୁ ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ସର୍ବସାଧାରଣଙ୍କ ନିମନ୍ତେ ଧର୍ମାନୁଷ୍ଠାନ ନଖୋଲିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି। କଟକର ସମାଜସେବୀ ଜୟନ୍ତ କୁମାର ବଳଙ୍କ ପକ୍ଷରୁ ହୋଇଥିବା ମାମଲାର ଶୁଣାଣି କରି ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ମହମ୍ମଦ ରଫିକ୍ ଏବଂ ବିଚାରପତି ଜଷ୍ଟିସ୍ ବିଆର ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଆସନ୍ତା ସପ୍ତାହକୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ହାଇକୋର୍ଟର ଏହି ସତ୍ୟପାଠରେ ଆହୁରି କୁହାଯାଇଛି ଯେ, ବ୍ୟବସାୟିକ ଅନୁଷ୍ଠାନ ଯେମିତିକି ମଲ୍, ଫିଟ୍ନେସ୍ ସେଣ୍ଟର, ଜିମ୍ କିମ୍ବା ମଦ ଦୋକାନ ଖୋଲିବା ସହ ମନ୍ଦିର ଖୋଲିବାକୁ ତୁଳନା କରାଯାଇ ପାରିବ ନାହିଁ। ମଲ୍, ଜିମ୍, ମଦ ଦୋକାନ ଜୀବନ ଜୀବୀକା ସହ ଜଡିତ। ରାଜ୍ୟରେ କରୋନା ସଂକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବାରୁ ରାଜ୍ୟ ସରକାର ଏଭଳି କଟକଣା ଜାରି କରିଛନ୍ତି। ଅନ୍ୟ ରାଜ୍ୟରେ କଟକଣାକୁ କୋହଳ କରିବା ଓଡ଼ିଶା ସହ ତୁଳନା କରାଯାଇ ପାରିବ ନାହିଁ। ପ୍ରତିଦିନ ଓଡ଼ିଶାରେ ୫୦ ହଜାର ପାଖାପାଖି ଲୋକଙ୍କ କରୋନା ପରୀକ୍ଷା କରାଯାଉଛି। ଏଥିରୁ ୪ ହଜାର ପଜିଟିଭ୍ କେସ୍ ଚିହ୍ନଟ ହେଉଛି। ପ୍ରତ୍ୟେକ ମନ୍ଦିରରେ ସୁରକ୍ଷା କର୍ମୀଙ୍କୁ ନିଯୁକ୍ତ କରାଗଲେ ମଧ୍ୟ ମନ୍ଦିରର ଗର୍ଭଗୃହ କମ୍ ଓସାରର ହୋଇଥିବାରୁ ଦର୍ଶନାଥୀଙ୍କ ମଧ୍ୟରେ ସାମାଜିକ ଦୂରତା ରକ୍ଷା କରିବା ସମ୍ଭବ ନୁହେଁ। ଯାହାଦ୍ଵାରା କରୋନା ସଂକ୍ରମଣ ହେବାର ଆଶଙ୍କା ଅଧିକ ରହିଛି ।

ଅପରପକ୍ଷରେ ଧର୍ମାନୁଷ୍ଠାନ ଖୋଲିବା ନେଇ ସୁପ୍ରିମକୋର୍ଟରେ ଏକ ମାମଲା ରୁଜୁ ହୋଇଥିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟଙ୍କୁ ଅବଗତ କରାଯାଇଥିଲା। ଏହି ମାମଲାରେ କେନ୍ଦ୍ର ସରକାର, ଅନ୍ୟ ରାଜ୍ୟ ସରକାରଙ୍କ ସମେତ ଓଡ଼ିଶା ସରକାରଙ୍କୁ ଜବାବ ରଖିବାକୁ ନୋଟିସ୍ କରାଯାଇଛି। ତେଣୁ ଏହି ପରିପ୍ରେକ୍ଷୀରେ ଆବେଦକାରୀଙ୍କ ପିଟିସନ୍‌କୁ ଖାରଜ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାର୍ଥନା କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଶୋକ କୁମାର ମହାପାତ୍ର, ଆଇନଜୀବୀ ବିଭୁତି ଭୂଷଣ ଚୌଧୁରୀ ମାମଲା ପରିଚାଳନା କରୁଛନ୍ତି।

Comment