ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ପବିତ୍ର ଶ୍ରୀରାମ ନବମୀ। ଉତ୍ସବମୁଖର ହୋଇଛି ଗାଁରୁ ସହର। ବିଭିନ୍ନ ସ୍ଥାନରେ ଧୂମଧାମରେ ପାଳନ କରାଯାଉଛି ଏହି ପର୍ବ। ରାମ ଧ୍ୱନୀରେ କମ୍ପୁଛି ସବୁ ପୀଠ ଓ ମନ୍ଦିର। ଗୁରୁବାର ଶ୍ରୀରାମ ନବମୀ ଅବସରରେ ଶ୍ରୀମନ୍ଦିରରେ ରାମ ଜନ୍ମ ନୀତି ପାଳନ ହେବ। ଏଥିଲାଗି ସନ୍ଧ୍ୟା ସମୟରେ ୩ ଘଣ୍ଟା ପାଇଁ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।

ଗୁରୁବାର ଶ୍ରୀମନ୍ଦିରରେ ମଧ୍ୟାହ୍ନଧୂପ ହେବାପରେ ରାମ ଜନ୍ମ ନୀତି ପାଳନ କରାଯିବ। ଶ୍ରୀମନ୍ଦିର ଦ୍ଵାର ବନ୍ଦ କରି ଏହି ଜନ୍ମ ନୀତିର ଆୟୋଜନ କରାଯିବ। ଏଥିପାଇଁ ସନ୍ଧ୍ୟା ୫ ଟା ରୁ ୮ ଟା ଯାଏଁ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହିବ। ଶ୍ରୀରାମ ନବମୀର ଏହି ସ୍ଵତନ୍ତ୍ର ନୀତି ପାଇଁ ଶ୍ରୀମନ୍ଦିରରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।

ଅନ୍ୟପଟେ ଭୁବନେଶ୍ୱରସ୍ଥିତ ରାମ ମନ୍ଦିରରେ ଶ୍ରୀରାମ ନବମୀ ପାଳନ କରାଯାଉଛି। ଗୁରୁବାର ସକାଳୁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି। ଅପରାହ୍ଣରେ ରାମ ମନ୍ଦିରରେ ହୋମ ଯଜ୍ଞ କରାଯିବାର କାର୍ଯ୍ୟକ୍ରମ ରହିଛି। ଶ୍ରୀରାମ ନବମୀ ଅବସରରେ ରାଜ୍ୟରେ ଆଇନ ଶୃଙ୍ଖଳା ଦୃଷ୍ଟିରୁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Tags: #SriRamNavami #SriMandir #RamMandir #SriRam

Comment